ଭୁବନେଶ୍ୱର : ରାଜ୍ୟର କୁକୁଡା ଚାଷ ଏବେ ରାଜ୍ୟ ବାହାରର ବଡ ବଡ କୁକୁଡା ବ୍ୟବସାୟୀଙ୍କ ହାତରେ । ସେମାନେ ରାଜ୍ୟର ପ୍ରାୟ ୭ହଜାରରୁ ଅଧିକ କୁକୁଡା ଚାଷୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ସହିତ ରାଜ୍ୟରେ କୁକୁଡାମାଂସ ଦରକୁ ନିୟନ୍ତ୍ରଣ କରୁଛନ୍ତି ।
କୁକୁଡା ଚାଷ ଜରିଆରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ଅଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି । ଋଣ ଉପରେ ମଧ୍ୟ ସବସିଡ୍ ପ୍ରଦାନ କରୁଛନ୍ତି । ଲୋକେ ଋଣ ନେଇ କୁକୁଡା ଫାର୍ମ ପ୍ରତିଷ୍ଠା କରୁଛନ୍ତି । ହେଲେ ବାହାର କମ୍ପାନୀଗୁଡିକ କୁକୁଡାଫାର୍ମର ପରିଚାଳନା ଦାୟିତ୍ୱ ନେଇଯାଉଥିବାରୁ ଚାଷୀମାନେ ଯେଭଳି ଲାଭ ପାଇବାକଥା ତାହା ପାଇପାରୁ ନାହାନ୍ତି ।
ରାଜ୍ୟର ବାହାର ବିଶେଷକରି ଛତିଶଗଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶର ବଡ ବଡ କୁକୁଡା ଫାର୍ମ ଆସି ଓଡିଶାରେ କାୟା ବିସ୍ତାର କରିଛନ୍ତି । ଓଡିଶାର ମଧ୍ୟ କିଛି ବଡ ବଡ କୁକୁଡା ବ୍ୟବସାୟୀ ଅଛନ୍ତି । ଏମାନେ ଯେହେତୁ ଚାଷୀଙ୍କୁ କୁକୁଡା ଚିଆଁଠାରୁ ଆରମ୍ଭ କରି ଔଷଧ, ଦାନା ଆଦି ଯୋଗାଣ କରୁଛନ୍ତି ତେଣୁ ସମସ୍ତ କୁକୁଡାକୁ ଖରିଦ କରୁଛନ୍ତି । ଚାଷିଟି ଚାହିଁଲେ ମଧ୍ୟ ନିଜ ଘରପାଖରେ କୁକୁଡା ବିକିବାର ସୁଯୋଗ ନାହିଁ ।
ରାଜ୍ୟ ବାହାରର ଏହି ବଡ ବଡ କୁକୁଡା ବ୍ୟବସାୟୀମାନଙ୍କର ଏକତା ଥିବାରୁ ସେମାନେ ସମ୍ପୂର୍ଣ୍ଣ ରୂପେ ଓଡିଶାର କୁକୁଡା ମାଂସ ଦରକୁ ନିୟନ୍ତ୍ରଣ କରୁଛନ୍ତି । ଏପରିକି ଓଡିଶାକୁ କୁକୁଡା ପଶ୍ଚିମବଙ୍ଗ ଓ ଛତିଶଗଡ ଆଦି ରାଜ୍ୟକୁ ପଠାଇ ସେଠାରେ ବଜାର ଦରକୁ ନିଜ କବଜାରେ ରଖୁଛନ୍ତି । ହେଲେ କୁକୁଡାଚାଷୀମାନେ ଋଣ କରିବା ସହିତ ଦିନ ରାତି ଖଟୁଥିବାବେଳେ ଯେଉଁ ହାରରେ ଲାଭ ପାଇବାକଥା ତାହା ପାଉନାହାନ୍ତି ।
କୁକୁଡା ଚିଆଁ, ଦାନା ଓ ଔଷଧ ଆଦି ଯୋଗାଣ ଏହି କମ୍ପାନୀମାନେ କରୁଥିବାବେଳେ ଚାଷୀ ବିଜୁଳି, ପାଣି ଯୋଗାଣ ସହିତ ନିଜେ ପରିଶ୍ରମ କରୁଛି । ତେବେ କମ୍ପାନୀମାନେ ପୂର୍ବରୁ ଦର ଧାର୍ଯ୍ୟ କରି ଚାଷୀଙ୍କୁ କିଲୋପିଛା ଅର୍ଥ ପ୍ରଦାନ କରୁଛନ୍ତି । ବଜାରରେ କୁକୁଡା ମାଂସ ଦରବୃଦ୍ଧି ହେଲେ ବି ଚାଷୀଟି ଏହାର ଲାଭ ପାଇପାରୁ ନାହିଁ ।
ରାଜ୍ୟ ସରକାର କୁକୁଡା ଚାଷପାଇଁ ଦେଉଥିବା ଋଣ ଉପରେ ସବସିଡ୍ ପ୍ରଦାନ କରୁଥିବାବେଳେ ରାଜ୍ୟର କୁକୁଡା ଚାଷକୁ ନିୟନ୍ତ୍ରଣ କରୁଥିବା କମ୍ପାନୀମାନଙ୍କ ପାଇଁ କୌଣସି ନିୟମ କରିନାହାନ୍ତି । ଯାହା ଫଳରେ ସେମାନେ ସରକାରଙ୍କ ଆଖିଆଗରେ ଉଭୟ ଖାଉଟି ଓ ଚାଷୀମାନଙ୍କୁ ଏକ ପ୍ରକାର ଶୋଷଣ କରୁଛନ୍ତି । ଏହି ବଡ ବଡ କୁକୁଡାଚାଷୀମାନଙ୍କ ଏକତା ଓ ଲବି ଯୋଗୁଁ ସରକାରୀକଳ ସେମାନଙ୍କ କାରକାର ଉପରେ ନଜର ରଖୁନଥିବାରୁ ରାଜ୍ୟରେ କୁକୁଡା ଚାଷୀଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଆର୍ଥିକ ସ୍ଥିତିରେ ଯେଭଳି ଉନ୍ନତି ଆସିବାକଥା ତାହା ହେଉନାହିଁ । (ତଥ୍ୟ)