Home General ଆରପାରିରେ ଦାମୋଦର

ଆରପାରିରେ ଦାମୋଦର

ଭୁବନେଶ୍ୱର : ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଆଜି ୮୩ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପୁତ୍ର ସମ୍ବିତ ରାଉତରାୟ ।

ଦୁଇ ଦିନ ତଳେ ଡାକ୍ତର ରାଉତ ବିଳମ୍ବିତ ରାତ୍ରୀରେ ହଠାତ୍‍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ଡାକ୍ତରଖାନା ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କ୍ୟାପିଟାଲ ଡାକ୍ତରଖାନରେ ଚିକିତ୍ସାରେ ଅବହେଳା ପାଇଁ ଡାକ୍ତର ରାଉତଙ୍କ ବ୍ରେନ୍‍ ଡେଡ୍‍ ହୋଇଥିବା ନେଇ ପୁତ୍ର ସମ୍ବିତ ଅଭିଯୋଗ କରିଥିଲେ ।

ଘରୋଇ ଡାକ୍ତରଖାନାରେ ଡାକ୍ତର ରାଉତ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବାବେଳେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଡାକ୍ତର ରାଉତଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ ପଶୁ ଚିକିତ୍ସକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଡାକ୍ତର ରାଉତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । ଜଗତ୍‍ସିଂହପୁର ଜିଲ୍ଲାରୁ ସେ ବିଧାନସଭାକୁ ୭ଥର ନିର୍ବାଚିତ ହୋଇଥିବାବେଳେ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ପୁତ୍ର ସମ୍ବିତ ଏବେ ବିଧାୟକ ଥିବାବେଳେ ଝିଅ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଅଛନ୍ତି । ପୂର୍ବରୁ ଡାକ୍ତର ରାଉତଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ସାରିଛି ।