ଭୁବନେଶ୍ୱର : ସୁପ୍ରିମ୍ କୋର୍ଟରେ ମାମଲା ହାରିବା ପରେ ରାଜ୍ୟ ସରକାର କଲେଜ ଡିମୋନ୍ଷ୍ଟ୍ରେଟରଙ୍କୁ ୟୁଜିସି ହାରରେ ବେତନ ଦେବାକୁ ବାଧ୍ୟ ହୋଇଛନ୍ତି । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଚାଲିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକର ଡିମୋନ୍ଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାର୍ଗନିର୍ଦ୍ଦେଶିକା ଜାରି କରିଥିଲେ । ଏହାର ଅନୁପାଳନ କରାନଯିବାରୁ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଅନେକ ଡିମୋନ୍ଷ୍ଟ୍ରେଟର ଆଇନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟର ବିଶ୍ୱ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକର ଡିମୋନ୍ଷ୍ଟ୍ରେଟରମାନଙ୍କୁ ଇତିମଧ୍ୟରେ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ୟୁଜିସି ହାରରେ ବେତନ ପ୍ରଦାନ କରାଯାଉଛି ।
ରାଜଧାନୀ କଲେଜରୁ ଅବସର ଗ୍ରହଣ କରିଥିବା ଜଣେ ଡିମୋନ୍ଷ୍ଟ୍ରେଟର ସୁରେନ୍ଦ୍ର ନାଥ ମିଶ୍ରଙ୍କ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୁଦ୍ଧରେ ଉଚ୍ଚଶିକ୍ଷା ବିଭାଗ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କ ମାମଲାକୁ ଖାରଜ କରିଦେବାପରେ ତାଙ୍କୁ ତାଙ୍କର ପ୍ରାପ୍ୟ ନମିଳିବାରୁ ଶ୍ରୀ ମିଶ୍ର ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ।
ଏଭଳି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମିଶ୍ରଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ନିଷ୍ପତ୍ତି ନେବାସହ ତାଙ୍କର ଦରମା ବର୍ଦ୍ଧିତ ହାରରେ ସ୍ଥିର କରି ଅଦାଲତଙ୍କ ରାୟ ମୁତାବକ ୟୁଜିସି ହାରରେ ବେତନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମର୍ମରେ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏକ ସତ୍ୟପାଠ ଦାଖଲ କରିଛନ୍ତି ।
ଅବସରପ୍ରାପ୍ତ ଡିମୋନ୍ଷ୍ଟ୍ରେଟର ଶ୍ରୀ ମିଶ୍ରଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ଲାଗି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଅନ୍ୟ ଡିମୋନ୍ଷ୍ଟ୍ରେଟରମାନଙ୍କୁ ଏହି ହାରରେ ବେତନ ମିଳିବା ସମ୍ଭାବନା ସ୍ପଷ୍ଟ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ଏବେ ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଆଉ ଅନେକଗୁଡିଏ ମାମଲା ବିଚାରାଧୀନ ରହିଛି । ଏହାପରେ ଅନୁଦାନପ୍ରାପ୍ତ କଲେଜଗୁଡିକର ଡିମୋନ୍ଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ଦାବି ଉଠିଲାଣି ।
ବରିଷ୍ଠ ଆଇନଜ୍ଞ ଓ ପ୍ରଶାସନିକ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକର ଡିମୋନ୍ଷ୍ଟ୍ରେଟରମାନେ ୟୁଜିସି ହାରରେ ବେତନ ପାଇବେ କି ନାହିଁ ତାହା ଆଇନ ଅଦାଲତରେ ନିର୍ଦ୍ଦିଷ୍ଟ ମାମଲାରେ ଫଇସଲା ହୋଇ କାର୍ଯ୍ୟକାରୀ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ମାମଲା ନୀତି ଆଧାରରେ ଅନ୍ୟମାନଙ୍କୁ ଏହି ସୁବିଧା ମିଳିବା କଥା । କିନ୍ତୁ ଯେଉଁମାନେ ଅଦାଲତରୁ ନିର୍ଦ୍ଦେଶ ଆଣୁଛନ୍ତି କେବଳ ସେହିମାନଙ୍କୁ ୟୁଜିସି ହାରରେ ବେତନ ଦିଆଯିବାରୁ ଅନ୍ୟ ବଞ୍ôଚତ ଡିମୋନ୍ଷ୍ଟ୍ରେଟରମାନେ ବାଧ୍ୟ ହୋଇ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରୁଛନ୍ତି ।
ଏଥିରେ ସରକାରୀ କଳର ବ୍ୟାପକ ସମ୍ବଳ, ସମୟ ଓ ଶକ୍ତି ଅପଚୟ ହେଉଛି ଏବଂ ଶେଷରେ ଅଦାଲତ ଅବମାନନା ମାମଲା ପର୍ଯ୍ୟନ୍ତ କଥା ଯିବା ପରେ ଯାଇ ଆବେଦନକାରୀଙ୍କୁ ନ୍ୟାୟ ମିଳୁଛି । ଏଥିଯୋଗୁ ଆଇନ ଅଦାଲତ ଉପରେ ମାମଲାର ଚାପ ବଢୁଛି । ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଲାଗି ଯେଉଁ ବ୍ୟବସ୍ଥା ରହିଛି ତାହାର ଅନୁପାଳନ କରାଗଲେ ପ୍ରଶାସନିକ ସ୍ତରରେ ଲୋକେ ସହଜରେ ନ୍ୟାୟ ପାଇପାରନ୍ତେ ଏବଂ ଆଇନ ଅଦାଲତ ଉପରେ ମାମଲାର ଚାପ ହ୍ରାସ ପାଆନ୍ତା ବୋଲି ଅଭିଜ୍ଞ ଆଇନଜ୍ଞମାନେ କହୁଛନ୍ତି । (ତଥ୍ୟ)