Home Energy ହୋଇପାରୁନି ଶକ୍ତି ସଂରକ୍ଷଣ

ହୋଇପାରୁନି ଶକ୍ତି ସଂରକ୍ଷଣ

ଭୁବନେଶ୍ୱର : ବିଦ୍ୟୁତ୍‍ ସଞ୍ଚୟ ପାଇଁ ସରକାର ସ୍ୱଳ୍ପ ଶକ୍ତି ଖର୍ଚ୍ଚ କରୁଥିବା ବୈଦ୍ୟୁତିକ ସାଜ ସରଞ୍ଜାମ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି । ହେଲେ ବିଭିନ୍ନ ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସକୁ ଯେଉଁ ବୈଦ୍ୟୁତିକ ସାମଗ୍ରୀ ଯୋଗାଣ ହେଉଛି ତାହା ଢେର ଅଧିକ ବିଦ୍ୟୁତ୍‍ ଖର୍ଚ୍ଚ କରୁଛି ।

ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସ ଗୁଡିକରେ ବିଜୁଳି ପଙ୍ଖା, ବଲ୍‍ବ, ଟ୍ୟୁବଲାଇଟ୍‍, ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ସରକାର ଲଗାଇଥାନ୍ତି । ତେବେ ସରକାରୀ ସ୍ତରରେ କିଭଳି ଅଧିକ ଶକ୍ତି ସଞ୍ଚୟ କରାଯାଇପାରିବ ତାହା ଉପରେ ମାନସ ମନ୍ଥନ ହେବା ସହିତ ଏଣିକି ଅଳ୍ପ ବିଜୁଳି ଖର୍ଚ୍ଚ କରୁଥିବା ୫ତାରକା ମାନର ବୈଦ୍ୟୁତିକ ସାମଗ୍ରୀ ଯୋଗାଣ ପାଇଁ ସ୍ଥିର ହୋଇଥିଲା ।

ହେଲେ ଏବେ ବି ଅନେକ ସରକାରୀ ଦପ୍ତରରେ ଲାଗିଥିବା ପୁରୁଣାକାଳିଆ ପଙ୍ଖା, ଟ୍ୟୁବଲାଇଟ୍‍ ଓ ଏସି ଆଦିକୁ ବଦଳା ଯାଉନାହିଁ । ତେବେ ଯେଉଁ ଠାରେ ନୂତନ ବୈଦ୍ୟୁତିକ ସାମଗ୍ରୀ ଖରିଦ ହେଉଛି ସେଠାରେ ଏହି ମାନଦଣ୍ଡ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ପୁରୁଣାକାଳିଆ ସାଜ ସରଞ୍ଜାମ ଲାଗିଥିବା ଦପ୍ତରରେ ଏବେ ପୂର୍ବଭଳି ଅଧିକ ବିଜୁଳି ବିଲ୍‍ ଗଣିବାକୁ ପଡୁଛି ।

ସେହିଭଳି ସରକାରୀ କ୍ୱାଟର୍ସଗୁଡିକୁ ସରକାର ପଙ୍ଖା ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ଯୋଗାଇଥାନ୍ତି । ହେଲେ ବହୁ ସରକାରୀ କ୍ୱାଟର୍ସରେ ଏବେ ବି ୨୦/୨୫ ବର୍ଷ ତଳର ପୁରୁଣା ପଙ୍ଖା ବୁଲୁଥିବାବେଳେ ଯେଉଁସବୁ ନୂଆ ପଙ୍ଖା ଲଗାଯାଉଛି ତାହା ଏକ ତାରକା କିମ୍ବା ଦୁଇ ତାରକା ବିଶିଷ୍ଟ । ତେବେ ସରକାରୀ କ୍ୱାଟର୍ସର ବିଦ୍ୟୁତ ଦେୟ ସେହି କ୍ୱାଟର୍ସରେ ରହୁଥିବା କର୍ମଚାରୀ ଓ ହିତାଧିକାରୀମାନଙ୍କୁ ଦେବାକୁ ପଡୁଛି । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ସ୍ତରରେ ଏବେ ବି ଅଧିକ ବିଜୁଳି ଖର୍ଚ୍ଚ ହେଉଥିବା ନିମ୍ନ ମାନର ସାମଗ୍ରୀ ଖରିଦ କରାଯାଉଛି ତାହାର ଉତ୍ତର କାହାରି ପାଖରେ ନାହିଁ ।

ସେହିଭଳି ବିଜୁଳି ଦେୟ ହ୍ରାସ କରିବାପାଇଁ ସରକାରୀ ଦପ୍ତରଗୁଡିକରେ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ହାତଗଣତି କେତୋଟି ସରକାରୀ ଦପ୍ତରରେ ଏହି ସୁବିଧା ଉପଲବ୍ଧ । ଅନ୍ୟାନ୍ୟ ସରକାରୀ ଦପ୍ତର ବିଶେଷକରି ନୂତନ ଭାବେ ଗଢିଉଠୁଥିବା ସରକାରୀ ସୌଧ ଓ ହଷ୍ଟେଲଗୁଡିକରେ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ତେଣୁ ସେହିସବୁ ସ୍ଥାନରେ ଅଧିକ ପରିମାଣରେ ବିଜୁଳି ଦେୟ ଦେବାକୁ ପଡୁଛି ।

ରାଜ୍ୟରେ ସୌରଶକ୍ତି ସେବା ଯୋଗାଇବାର ଦାୟିତ୍ୱ ବିଜୁଳି ବଣ୍ଟକାରୀ କମ୍ପାନୀଗୁଡିକ ଉପରେ ନ୍ୟସ୍ତ ହୋଇଥିଲେ ମଧ୍ୟ ସେମାନେ କେବଳ କେତେକ ସଚେତନତା ବୋର୍ଡ ମାରି କାମ ସାରିଦେଉଛନ୍ତି । ଫଳରେ ସାଧାରଣ ଗ୍ରାହକଟିଏ ଚାହିଁଲେ ମଧ୍ୟ ନିଜ ଘରେ ସୌରଶକ୍ତି ବ୍ୟବହାର କରିପାରୁ ନାହିଁ ।

ତେଣୁ ତୁରନ୍ତ ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସରେ ଥିବା ଅତି ପୁରୁଣାକାଳିଆ ପଙ୍ଖା, ଏସି ଆଦିକୁ ବଦଳାଇବା ସହିତ ସେହି ସ୍ଥାନରେ ୫ତାରିକା ବିଶିଷ୍ଟ ବୈଦ୍ୟୁତିକ ସାଜ ସରଞ୍ଜାମ ଲଗାଇଲେ ସରକାରଙ୍କ ବିଜୁଳି ଖର୍ଚ୍ଚ ହ୍ରାସ ପାଇବ । ସେହିଭଳି ରାଜ୍ୟରେ ସୌରଶକ୍ତି ବ୍ୟବହାରକୁ ତ୍ୱରାନ୍ୱିତ ବିଶେଷକରି ସରକାରୀ ଓ ଅର୍ଦ୍ଧ ସରକାରୀ ସଂସ୍ଥାଗୁଡିକରେ ଏହାକୁ ବାଧ୍ୟତାମୂଳକ କରାଯାଇ ପାରିଲେ କେବଳ ସରକାରଙ୍କର ବିଜୁଳି ବୋଝ କମିବ ନାହିଁ ପରିବେଶ ସୁରକ୍ଷାରେ ମଧ୍ୟ ଏହା ବେଶ୍‍ ସହାୟକ ହେବ । (ତଥ୍ୟ)