ଭୁବନେଶ୍ୱର : ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାରେ କର୍ପୋରେଟ୍ ହାଉସ୍ ଓ ବ୍ୟବସାୟିକ ସଂସ୍ଥାମାନେ ସବୁଠାରୁ ଆଗରେ । ଏମାନେ ମୋଟ୍ ଚାନ୍ଦାର ୯୬.୯୧% ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରିଥିବାବେଳେ ବ୍ୟକ୍ତିଗତ ଦାତାଙ୍କ ଚାନ୍ଦାର ପରିମାଣ ରହିଛି ୩.୦୯% ।
ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ନିର୍ବାଚନୀ ବଣ୍ଡ୍କୁ ବିଶ୍ଲେଷଣ କରି ଏହି ସୂଚନା ପ୍ରଦାନ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ (ଏଡିଆର) । ଏହିଆର ଦର୍ଶାଇଛି ଯେ ୨୦୧୯ଏପ୍ରିଲ୍ ୧୨ ରୁ ୨୦୨୪ ଫେବୃଆରୀ ୧୫ ତାରିଖ ମଧ୍ୟରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ଲୋକେ ମୋଟ୍ ୧୮,୮୭୧ଟି ନିର୍ବାଚନୀ ବଣ୍ଡ୍ ଖରିଦ କରିଛନ୍ତି ।
ଏଥି ମଧ୍ୟରୁ କର୍ପୋରେଟ୍ ହାଉସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ୧୬,୬୩୧ଟି ବଣ୍ଡ୍ କିଣିଥିବାବେଳେ ବ୍ୟକ୍ତିଗତ ଭାବେ ୨୨୪୦ଟି ବଣ୍ଡ୍ ଖରିଦ କରାଯାଇଛି । ତେକେ ବ୍ୟବସାୟିକ ସଂସ୍ଥାଙ୍କ ବଣ୍ଡ୍ର ମୂଲ୍ୟ ୧୧,୭୮୦ କୋଟି ଟଙ୍କା ରହିଛି ଯାହାକି ମୋଟ୍ ଚାନ୍ଦା ଅର୍ଥର ୯୬.୯୧ ପ୍ରତିଶତ । ସେହିଭଳି ବ୍ୟକ୍ତିଗତ ଭାବେ ଖରିଦ ହୋଇଥିବା ବଣ୍ଡ୍ର ମୂଲ୍ୟ ୩୭୫ କୋଟି ଟଙ୍କା ରହିଛି । ତେଣୁ ସମସ୍ତ ବଣ୍ଡ୍ର ମୂଲ୍ୟ ରହିଛି ୧୨,୧୫୫ କୋଟି ଟଙ୍କା ।
ଏଡିଆର ଦର୍ଶାଇଛି ଯେ ବ୍ୟବସାୟିକ ସଂସ୍ଥାଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ଫ୍ୟୁଚର ଗେମିଙ୍ଗ୍ ଆଣ୍ଡ ହୋଟେଲ ସର୍ଭିସେସ୍ । ଏହି ସଂସ୍ଥା ୧୩୬୮ କୋଟି ଟଙ୍କା ମୂଲ୍ୟର ନିର୍ବାଚନୀ ବଣ୍ଡ୍ ଖରିଦ କରିଛି । ଏହା ପଛକୁ ମେଘା ଇଞ୍ଜିନିୟରିଂ ୯୬୬ କୋଟି, କୁଇକ୍ ସପ୍ଲାଇ ଚେନ୍ ୪୧୦ କୋଟି, ବେଦାନ୍ତ ୪୦୦ କୋଟି ୬୫ଲକ୍ଷ, ହଳଦିଆ ଏନର୍ଜି ୩୭୭ କୋଟି, ଏଏସଏଲ୍ ମାଇନିଂ ୨୨୪ କୋଟି ୫୦ଲକ୍ଷ, ଭାରତୀ ଏୟାରଟେଲ୍ ୧୯୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି ।
ସେହିଭଳି ବ୍ୟକ୍ତିଗତ ଭାବେ ବଣ୍ଡ୍ କିଣିଥିବା ଲୋକଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଲକ୍ଷ୍ମୀ ନିବାସ ମିତ୍ତଲ । ସେ କିଣିଛନ୍ତି ୩୫ କୋଟି ଟଙ୍କାର ବଣ୍ଡ୍ । ଏହା ପଛକୁ କେ ଆର ରାଜା ୨୫ କୋଟି, ଲକ୍ଷ୍ମୀଦାସ ବଲ୍ଲଭଦାସ ଅସ୍ମିତା ମେର୍ଚ୍ଚା ୨୫ କୋଟି, ରାହୁଳ ଭାଟିଆ ୨୦କୋଟି, ଇନ୍ଦରଠାକୁରଦାସ ଜୟସିଙ୍ଘାନି ୧୪କୋଟି, ରାଜେଶ ଅଗ୍ରୱାଲଙ୍କର ୧୩ କୋଟି ଟଙ୍କା ରହିଛି ।
ନିର୍ବାଚନୀ ବଣ୍ଡ୍ ଜରିଆରେ ଚାନ୍ଦା ଗ୍ରହୀତାଙ୍କ ମଧ୍ୟରେ ସବୁଠାରୁ ଆଗରେ ବିଜେପି ରହିଥିବା ଏଡିଆର ଦର୍ଶାଇଛି । ବିଜପେି ମୋଟ୍ ଚାନ୍ଦାର ୪୭.୪୬% ଅର୍ଥାତ୍ ୬୦୬୦ କୋଟି ୫୧ଲକ୍ଷ ୧୧ ହଜାର ଟଙ୍କା ପାଇଥିବାବେଳେ ତୃଣମୂଳକ କଂଗ୍ରେସ ୧୬୦୯ କୋଟି ୫୩ଲକ୍ଷ ୧୪ହଜାର, କଂଗ୍ରେସ ୧୪୨୧ କୋଟି ୮୬ଲକ୍ଷ ୫୫ ହଜାର, ବିଆରଏସ୍ ୧୨୧୪ କୋଟି ୭୦ ଲକ୍ଷ ୯୯ ହଜାର, ବିଜେଡି ୭୭୫ କୋଟି ୫୦ଲକ୍ଷ, ଡିଏମକେ ୬୩୯ କୋଟି, ୱାଇଏସଆର କଂଗ୍ରେସ ୩୩୭ କୋଟି, ଟିଡିପି ୨୧୮କୋଟି ୮୮ଲକ୍ଷ, ଶିବସେନା ୧୫୮କୋଟି ୩୮ଲକ୍ଷ ୧୧ହଜାର ଟଙ୍କାର ଚାନ୍ଦା ପାଇଛନ୍ତି । ସବୁଠାରୁ କମ୍ ୩୫ଲକ୍ଷ ଟଙ୍କାର ଚାନ୍ଦା ଜିଏଫ୍ପି ଦଳକୁ ମିଳିଛି ।