Home Energy ଅକ୍ଷୟଶକ୍ତି ପ୍ରକଳ୍ପ ଅନୁମୋଦିତ

ଅକ୍ଷୟଶକ୍ତି ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ସଂପ୍ରତି ରାଜ୍ୟ ଶକ୍ତି ବିଭାଗ ପ୍ରମୂଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଂଚମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୮୨.୪୨ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୫୫୬.୪୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତପୁର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍‌-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି ।

ଏହି ପଂଚମ ସିଙ୍ଗଲ୍ ୱିଣ୍ଡୋ କମିଟି ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଆଇ.ଟି.ସି ଲିମିଟେଡ୍ ଦ୍ୱାରା ୧୦ ମେଗାୱାଟ୍ ଉତ୍ପାଦନକ୍ଷମ ଗ୍ରାଉଣ୍ଡ ମାଉଁଟେଡ୍ ସୈାରପ୍ରକଳ୍ପ, ଟାଟାଷ୍ଟିଲ୍ ଦ୍ୱାରା ୭.୯୨ ମୋଗାୱାଟ୍ ଗ୍ରାଉଣ୍ଡ ମାଉଁଟେଡ୍ ସୈାରପ୍ରକଳ୍ପ ଏବଂ ଏମ୍‌.ଜି.ଏମ୍ ଗ୍ରୀନ୍ ଏନେର୍ଜି ଲିମିଟେଡ୍‌ର ୫ ମେଗାୱାଟ୍ କ୍ଷମତାଯୁକ୍ତ ଗ୍ରାଉଣ୍ଡ ମାଉଁଟେଡ୍ ସୈାରପ୍ରକଳ୍ପ ଅନ୍ତର୍ଭୁକ୍ତ, ଯାହାକି ରାଜ୍ୟର ସାମ୍ପ୍ରତିକ ସୈାରଶକ୍ତି କ୍ଷମତାକୁ ଅଧିକ ପରିବର୍ଦ୍ଧିତ କରିବ ।

ସେହିପରି, ରାଜ୍ୟରେ ଜଳବିଦ୍ୟୁତ୍ ଶକ୍ତି ଉତ୍ସର ଯଥାଯଥ ଉପଯୋଗ ଦିଗରେ ବଳିଷ୍ଠ ପଦକ୍ଷେପ ସ୍ୱରୂପ ରାଜ୍ୟସରକାରଙ୍କ ଅଧିନସ୍ଥ ଜେଡ୍‌କଲ୍ ଓ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ (ସେଲ୍‌)ର ଯୈାଥଉଦ୍ୟୋଗରେ ୧୦ ମେଗାୱାଟ୍ ଉତ୍ପାଦନକ୍ଷମ ଏକ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବକୁ ମଧ୍ୟ କମିଟି ଅନୁମୋଦନ କରିଛି ।

ଏତଦ୍‌ବ୍ୟତିତ, ଜେ.ଏସ୍‌.ଡବ୍ଲ୍ୟୁ-ନିଓ ଏନେର୍ଜି ଲିମିଟେଡ୍ ଦ୍ୱାରା ପ୍ରାସ୍ତାବିତ ୪୯.୫ ମେଗାୱାଟ୍ କ୍ଷମତା ବିଶିଷ୍ଟ ରାଜ୍ୟର ପ୍ରଥମ ପବନଶକ୍ତି ପ୍ରକଳ୍ପକୁ ମଧ୍ୟ କମିଟି ମଞ୍ଜୁରୀ ପ୍ରଦାନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ଆଜି ସୁଦ୍ଧା ୩୯୭.୨୬ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୩,୧୨୯.୫୪ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି ।