Home Election ଚାରି ପର୍ଯ୍ୟାୟରେ ଓଡିଶାରେ ଭୋଟ୍‍

ଚାରି ପର୍ଯ୍ୟାୟରେ ଓଡିଶାରେ ଭୋଟ୍‍

ନୂଆଦିଲ୍ଲୀ : ଚଳିତ ବର୍ଷ ମଇ ୧୩, ୨୦, ମେ ୨୫ ଓ ଜୁନ୍ ପହିଲାରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମଇ ୧୩ ତାରିଖରେ ମତଦାନ ହେବ।

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ର ସାଂସଦ ନିର୍ବାଚନ ମଣ୍ଡଳୀ ସମେତ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଧାୟକ ଆସନପାଇଁ ଆସନ୍ତା ମଇ ୨୦ ତାରିଖରେ ମତଦାନ ହେବ।

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସାଂସଦ ଆସନ ସମେତ ବିଧାୟକ ଆସନ ପାଇଁ ଆସନ୍ତା ମଇ ୨୫ ତାରିଖରେ ମତଦାନ ହେବ।

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଧାୟକ ନିର୍ବାଚନ ମଣ୍ଡଳୀରେ ଜୁନ୍ ପହିଲାରେ ନିର୍ବାଚନ ହେବ।  

୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଇ ୧୩ତାରିଖରେ ମତଦାନ ହେବ, ଯେଉଁଥିପାଇଁ ଏପ୍ରିଲ ୧୮ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ ୨୫ ନାମାଙ୍କନ ଦାଖଲର ଶେଷ ଦିନ ହେବ। ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ଏପ୍ରିଲ ୨୯ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ସେହିପରି ୩୫ଟି ବିଧାୟକ ଆସନ ପାଇଁ (ମେ ୨୦ତାରିଖରେ ହେବାକୁ ଥିବା) ନିର୍ବାଚନ ପାଇଁ ଏପ୍ରିଲ ୨୬ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ, ଯେଉଁଥିପାଇଁ ପ୍ରାର୍ଥୀମାନେ ମଇ ୩ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିପାରିବେ। ଆସନ୍ତା ମଇ ୪ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀମାନେ ମଇ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ।

ଆସନ୍ତା ୨୫ ତାରିଖରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏପ୍ରିଲ ୨୯ ରେ ସରକାରୀ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ପ୍ରାର୍ଥୀମାନେ ମଇ ୬ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ମଇ ୭ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମଇ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ଜୁନ୍ ପହିଲାରେ ମତଦାନ ହେବ ଏବଂ ଏଥିପାଇଁ ମଇ ୭ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀମାନେ ମଇ ୧୪ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିପାରିବେ ଏବଂ ପରଦିନ କାଗଜପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ମଇ ୧୭ ରହିଛି।