ଭୁବନେଶ୍ୱର : ରାଜ୍ୟର ହାଇସ୍କୁଲଗୁଡିକର ରୂପାନ୍ତରଣ ହୋଇଥିବାବେଳେ ସେଠାରେ କମ୍ପ୍ୟୁଟର ପଢାଇବାକୁ ସ୍ୱତନ୍ତ୍ର ଭାବେ ଶିକ୍ଷକ ନାହାନ୍ତି । ଏବେ ସେହିସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କମ୍ପ୍ୟୁଟର ତାଲିମ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ଯେଉଁମାନେ ତାଲିମ ପରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ ।
ପୂର୍ବରୁ ରାଜ୍ୟର ଦୁଇ ହଜାରରୁ ଅଧିକ ହାଇସ୍କୁଲକୁ କମ୍ପ୍ୟୁଟର, ପ୍ରିଣ୍ଟର, କ୍ୟାମେରା ଆଦି ସହିତ ଇଣ୍ଟରନେଟ୍ ସଂଯୋଗ ଦିଆଯାଇଥିଲା । ପିଲାଙ୍କୁ କମ୍ପ୍ୟୁଟର ପାଠ ପଢାଇବାପାଇଁ ଠିକା ଶିକ୍ଷକ ବି ନିଯୁକ୍ତ ହୋଇଥିଲେ । ଉଦ୍ଦେଶ୍ୟ ଥିଲା ଏହି ଠିକା ଶିକ୍ଷକମାନେ ପିଲାଙ୍କୁ କମ୍ପ୍ୟୁଟର ଜ୍ଞାନ ଦେବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ କମ୍ପ୍ୟୁଟର ତାଲିମ ଦେବେ । ସେମାନେ ତାଲିମ ପାଇଲା ପରେ ପିଲାଙ୍କୁ ପାଠ ପଢାଇବେ ।
ହେଲେ ଏହି ଠିକା କମ୍ପ୍ୟୁଟର ଶିକ୍ଷକଙ୍କ ଚାକିରି କାଳ ସରିଗଲା ପଛେ ଅଧିକାଂଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ କମ୍ପ୍ୟୁଟର ପ୍ରଶିକ୍ଷଣ ପାଇପାରିଲେନି । ଏଥିପ୍ରତି ଅଧିକାଂଶ ଆଗ୍ରହ ଦେଖାଇଲେ ନାହିଁ । ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ହାଇସ୍କୁଲଗୁଡିକୁ ଯୋଗା ଯାଇଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଖତ ହୋଇଗଲା । ଅବଶ୍ୟ ଭଲ ଅବସ୍ଥାରେ ଥିବା ଗୋଟିଏ ଦୁଇଟି କମ୍ପ୍ୟୁଟରରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଚଳାଯାଉଛି ।
ଏବେ ହାଇସ୍କୁଲଗୁଡିକର ରୂପାନ୍ତରଣ ପାଇଁ ବିଦ୍ୟାଳୟ ପିଛା ୪୫ ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥରେ ଶ୍ରେଣୀଗୃହ ଚକାଚକ୍ ହେବା ସହିତ ନୂଆ ନୂଆ କମ୍ପ୍ୟୁଟର ବି ଯୋଗାଇ ଦିଆଯାଇଛି । ବହୁ ବିଦ୍ୟାଳୟକୁ ଇଣ୍ଟରନେଟ୍ ସଂଯୋଗ ମିଳିଛି । ହେଲେ କମ୍ପ୍ୟୁଟର ପାଠ ପଢାଇବାକୁ ଶିକ୍ଷକ ନିଯୁକ୍ତ ହେଉନାହାନ୍ତି । ସରକାରଙ୍କ ଯୁକ୍ତି ହେଉଛି ଯେ ରୂପାନ୍ତରଣ ପରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ମାଧ୍ୟମରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ ।
ହେଲେ ଯାହା ଲକ୍ଷ୍ୟ କରାଯାଉଛି କମ୍ପ୍ୟୁଟର ତାଲିମ ପାଇଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କୁ କମ୍ପ୍ୟୁଟର ପାଠ ପଢାଇବାକୁ ଆଗ୍ରହୀ ନୁହନ୍ତି । ଅନେକ ସ୍ଥାନରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମୟ ବି ନାହିଁ । ବହୁ ସ୍ଥାନରେ ଆବଶ୍ୟକ ତୁଳନାରେ କମ୍ ସଂଖ୍ୟକ ବିଷୟ ଶିକ୍ଷକ ଥିବାରୁ କୌଣସି ପ୍ରକାରେ କାମ ଚଳାଯାଉଛି । ସେଭଳି ସ୍ଥିତିରେ ପିଲାଙ୍କୁ ନିୟମିତ ଭାବେ କମ୍ପ୍ୟୁଟର ପାଠ ପଢାଇବା ସମ୍ଭବପର ନୁହେଁ ।
ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତି ଆଧାରରେ ବିଦ୍ୟାଳୟଗୁଡିକୁ କମ୍ପ୍ୟୁଟର ଯୋଗାଣ ହେଉଥିବାବେଳେ ପିଲାଙ୍କୁ କିଭଳି ଭଲ ଭାବେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ ଏହା ଉପରେ କେହି ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ନୂଆ ନୂଆ କମ୍ପ୍ୟୁଟର ଉପକରଣ ଥିଲେ ମଧ୍ୟ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ଅଭିଜ୍ଞ ଓ ତାଲିମପ୍ରାପ୍ତ କମ୍ପ୍ୟୁଟର ଶିକ୍ଷକଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରିବାକୁ ଅଭିଭାବକମାନେ ମତପ୍ରକାଶ କରୁଛନ୍ତି । (ତଥ୍ୟ)