Home General ପାଉଡ଼ି ଭୂୟାଁଙ୍କୁ ମିଳିଲା ଆବାସସ୍ଥଳୀ ଅଧିକାର

ପାଉଡ଼ି ଭୂୟାଁଙ୍କୁ ମିଳିଲା ଆବାସସ୍ଥଳୀ ଅଧିକାର

ଭୁବନେଶ୍ଵର : ଏକ ଐତିହାସିକ ପଦକ୍ଷେପ କ୍ରମେ ଓଡ଼ିଶା ସରକାର ଆଜି ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ସମ୍ପ୍ରଦାୟର ୩୨ଟି ଗାଁକୁ ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ) ଅଧୀନରେ ପାରମ୍ପରିକ ବାସସ୍ଥଳୀ ଅଧିକାର ପ୍ରଦାନ କରିଛନ୍ତି। ମୋ ଜଙ୍ଗଲ ଜମି ଯୋଜନା (ଏମଜେଜେଏମ)ରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ପାଉଡି ଭୂୟାଁ ସମ୍ପ୍ରଦାୟର ବରିଷ୍ଠ ଲୋକମାନଙ୍କୁ ପାରମ୍ପରିକ ବାସସ୍ଥଳୀ ଅଧିକାର ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଆଦିମ ଜନଜାତି ବା ପିଭିଟିଜି ପାଉଡ଼ି ଭୂୟାଁ ହେଉଛନ୍ତି ଓଡ଼ିଶାରୁ ପ୍ରଥମ ଆଦିବାସୀ ସମ୍ପ୍ରଦାୟ ଯିଏ କି ପାରମ୍ପରିକ ଆବାସସ୍ଥଳୀ ଉପରେ ଅଧିକାର ପାଇଛନ୍ତି । ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ଦିଆଯାଇଥିବା ପାଉଡି ଭୂୟାଁମାନେ ହେଉଛନ୍ତି ଭାରତରେ ପ୍ରଦାନ କରାଯାଇଥିବା ଚତୁର୍ଥ ଆଦିମ ଜନଜାତି । ସେମାନଙ୍କ ପୂର୍ବରୁ ମଧ୍ୟପ୍ରଦେଶର ଭାରିଆ ଆଦିମ ଜନଜାତି ଏବଂ ଛତିଶଗଡ଼ର କମାର ଏବଂ ବାଇଗା ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ଦିଆଯାଇଥିଲା ।

ଏହି ସମ୍ପ୍ରଦାୟଙ୍କ ଦାବି ଦାଖଲ ପ୍ରକ୍ରିୟା ସମୟରେ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ସହଯୋଗରେ ବୈଷୟିକ ସହାୟତା ପ୍ରଦାନ କରାଯାଇଥିଲା।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର କମିଶନର ତଥା ସଚିବ ରୂପା ରୋଶନ ସାହୁ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ, ଓଡ଼ିଶାର ପ୍ରଥମ ପିଭିଟିଜି ସମ୍ପ୍ରଦାୟ ଦେବଗଡ଼ର ପାଉଡି ଭୂୟାଁଙ୍କୁ ଏଫଆରଏ ଅଧୀନରେ ଆବାସ ଅଧିକାର ପ୍ରଦାନ କରାଯାଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ।

ଏସସିଏସଟିଆରଟିଆଇ ନିର୍ଦେଶକ ତଥା ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆନନ୍ଦର ସହ ଏହାକୁ ଏକ “ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ” ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ଟିମର ନିରନ୍ତର ପ୍ରୟାସ ଏବଂ ବେସରକାରୀ ସଂସ୍ଥା ଗୁଡ଼ିକର ଅତୁଟ ସହଯୋଗରେ ଏହା ସରକାରୀ ସ୍ୱୀକୃତିରେ ପରିଣତ ହୋଇଛି।

ପଚେରିପାଣି ଗ୍ରାମର ପାଉଡ଼ି ଭୂୟାଁ ସମ୍ପ୍ରଦାୟରେ ଥିବା ଦେବୀ ରମ୍ଭାଙ୍କ ପୂଜକ ଚେଣ୍ଡାଲି ପ୍ରଧାନ (୬୦) ସତ୍ବାଧିକାର ଦସ୍ତାବିଜ ପାଇବା ପରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ (ଏମଏଫପି) ସଂଗ୍ରହ କରିବୁ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଲଘୁ ବନଜାତ ଦ୍ରାବ୍ୟ କ୍ରୟ (ଲାଭ) ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରି କରିପାରିବୁ ।

ତାଙ୍କ ଭଳି ସାରଣାପୁଟ ଗ୍ରାମର ଜଙ୍ଗଲ ଅଧିକାର ସମିତି (ଏଫ୍ଆରସି)ର ସଭାପତି ତେଲା ପ୍ରଧାନ (୨୯) ୩୨ଟି ଗ୍ରାମର ସମୁଦାୟ ଲୋକଙ୍କୁ ଉନ୍ନତ ଜୀବିକା ଯୋଗାଇବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଦେବଗଡ ଜିଲ୍ଲାର ପାଉଡ଼ି ଭୂୟାଁ ସମ୍ପ୍ରଦାୟର ୩୨ଟି ଗାଁରେ ଥିବା ଧାର୍ମିକ ସ୍ଥଳଗୁଡ଼ିକର ବିକାଶ ଦିଗରେ ଆବାସ ଅଧିକାର ପଥ ପ୍ରଶସ୍ତ କରିବ ବୋଲି ଗୁରୁସଙ୍ଗ ଗ୍ରାମର ଟିକେଶ୍ୱର ନାୟକ (୫୫) ଆଶା କରିଛନ୍ତି ।

ଭାରତରେ କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୭୫ଟି ଆଦିମ ଜନଜାତି ରହିଛନ୍ତି । ଢେବର କମିଶନ (୧୯୬୦-୬୧)ର ରିପୋର୍ଟ ଆଧାରରେ ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ଅନୁସୂଚିତ ଜନଜାତିଙ୍କ ମଧ୍ୟରୁ ଏହି ସ୍ୱତନ୍ତ୍ର ବର୍ଗର ପରିକଳ୍ପନା କରାଯାଇଥିଲା । ସମ୍ପୃକ୍ତ ରାଜ୍ୟର ଆଦିବାସୀ ଗବେଷଣା ପ୍ରତିଷ୍ଠାନର ସୁପାରିସ କ୍ରମେ ଏହି ଜନଜାତିଙ୍କୁ ସ୍ୱତନ୍ତ୍ର ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ୧୩ଟି ପିଭିଟିଜି ସମ୍ପ୍ରଦାୟ ରହିଛନ୍ତି ।

୨୦୨୧ ମସିହା ସେପ୍ଟେମ୍ବର ୧୫ ତାରିଖରେ ବାରକୋଟ ତହସିଲ ଅନ୍ତର୍ଗତ ବାମୁଣ୍ଡା ଆଞ୍ଚଳିକା ପାଉଡ଼ି ଭୂୟାଁ ସମାଜ ଜରିଆରେ ପାଉଡ଼ି ଭୂୟାଁ ସମ୍ପ୍ରଦାୟ ଲୋକେ ଆବାସ ଅଧିକାର ଦାବିପତ୍ର ଦାଖଲ କରିଥିବା ବେଳେ ଦେବଗଡ଼ରେ ଉପଖଣ୍ଡ ସ୍ତରୀୟ କମିଟି (ଏସଡିଏଲସି) ଓ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି ହୋଇଥିଲା। ଏଠାରେ ପାଉଡ଼ି ଭୂୟାଁ ପିଭିଟିଜି ସମ୍ପ୍ରଦାୟର ଜମି ଅଧିକାର ଦାବିର ସମୀକ୍ଷା କରାଯାଇ ଅନୁମୋଦନ ମିଳିଥିଲା। ଏହି ପ୍ରକ୍ରିୟାରେ ମା’ ରମ୍ଭାବା ଦେବୀ ପବିତ୍ର ପୀଠରେ ସାଂସ୍କୃତିକ ଓ ଧାର୍ମିକ ଅଧିକାର ପାଇଁ ମଧ୍ୟ ଅନୁମୋଦନ ମିଳିଥିଲା ।

ଏହା କେବଳ ଯେ ପାଉଡ଼ି ଭୂୟାଁ ଆଦିମ ଜନଜାତି ସମ୍ପ୍ରଦାୟର ସଫଳତା ନୁହଁ, ବରଂ ସମଗ୍ର ଆଦିବାସୀ ସମ୍ପ୍ରଦାୟର ସଂସ୍କୃତିର ସଂରକ୍ଷଣ ଏବଂ ଆଦିମ ଜନଜାତିମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି ।

ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଖୁସି ପ୍ରକାଶ କରି କହିଛନ୍ତି ଯେ, ପାଉଡ଼ି ଭୂୟାଁ ସମ୍ପ୍ରଦାୟର ଆବାସସ୍ଥଳୀ ଉପରେ ଅଧିକାର ସେମାନଙ୍କ ନିଜସ୍ବ ବାସସ୍ଥାନ, ପିଢ଼ିଗତ ଜ୍ଞାନ, ସାଂସ୍କୃତିକ ପରିଚୟ ଏବଂ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବ। ଏହି ଅଂଚଳର ସୌହାର୍ଦ୍ଦ୍ୟପୂର୍ଣ୍ଣ ବିକାଶ ପାଇଁ ଅନେକ ପ୍ରମୁଖ ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆବାସସ୍ଥଳୀ ଉପରେ ଅଧିକାର ମିଳିବା ନିଶ୍ଚିତ ଭାବରେ ସେମାନଙ୍କର ସ୍ୱତନ୍ତ୍ର ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ସ୍ୱୀକୃତି ଦେବାରେ ସାହାଯ୍ୟ କରିବ।

ଦେବଗଡ଼ ଆଂଚଳିକ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋ କହିଛନ୍ତି ଯେ, ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ସ୍ଥାନୀୟ ପରିବେଶ, ଉଦ୍ଭିଦ, ଜୀବଜନ୍ତୁ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ବିଷୟରେ ଅନନ୍ୟ ଜ୍ଞାନ ରଖନ୍ତି । ସେମାନଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦ୍ୱାରା ସେମାନେ ସ୍ଥାନୀୟ ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା କରିପାରିବେ।

ଜଙ୍ଗଲ ଜମି ଅଧିକାର ବିଶେଷଜ୍ଞ ତଥା ବସୁନ୍ଧରାର ଟିମ୍ ଲିଡ ଅରବିନ୍ଦ ରାଉତ କହିଛନ୍ତି, “ଏହି ଅନନ୍ୟ ଉପଲବ୍ଧି ପାଉଡି ଭୂୟାଁଙ୍କ ସାମାଜିକ-ଅର୍ଥନୈତିକ-ସାଂସ୍କୃତିକ ପରିଚୟକୁ ସ୍ୱୀକୃତି ଦେଉଛି । ପିଢ଼ି ପିଢ଼ି ଧରି ସେମାନେ ସାଧାରଣତଃ ପୂଜା କରୁଥିବା ନିଜ ଅଞ୍ଚଳ କିମ୍ବା ଦେବତା ଏବଂ ପ୍ରକୃତି ପାଇଁ କୌଣସି ସ୍ୱୀକୃତି ପାଇନଥିଲେ l