ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍ରୁମ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ ।
ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍ରୁମ୍ଗୁଡ଼ିକର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍ରୁମ୍ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଛି ଆଉ ଏକ ନୂତନ ଫର୍ଦ୍ଦ, ଯାହା ପାରମ୍ପରିକ ତାଲିମ ପ୍ରଦାନ ପଦ୍ଧତିରେ ରୂପାନ୍ତରଣ ଆଣି ପ୍ରଶିକ୍ଷଣକୁ ଅଧିକ ଯୁଗୋପଯୋଗୀ କରିପାରିଛି ।
କୃଷି କ୍ଷେତ୍ରରେ ଗବେଷଣାଲବ୍ଧ ଜ୍ଞାନକୌଶଳ ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ରାଜ୍ୟର ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଭାଗ ପକ୍ଷରୁ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ରାଜ୍ୟ ସରକାର ଉନ୍ନତ ମାନର ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ବିଭାଗ ଦ୍ୱାରା କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର, ଉନ୍ନତ ମାନର ବିହନ ଓ କୀଟନାଶକ ବ୍ୟବହାର ଓ ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଫଳରେ ବିଗତ ଦୁଇଦଶନ୍ଧିରେ କୃଷି ଉତ୍ପାଦନ ଓ ଉତ୍ପାଦିକତାରେ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟ ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ ହୋଇପାରିଛି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ପ୍ରଶିକ୍ଷଣ ପଦ୍ଧତିରେ ସ୍ମାର୍ଟ କ୍ଲାସ୍ରୁମ୍ର ପ୍ରଚଳନ ଫଳରେ ଚାଷୀ ଓ ବିଭାଗୀୟ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ ନିମନ୍ତେ ଦକ୍ଷ ହୋଇପାରିବେ ଓ ସମୟ ସହିତ ତାଳଦେଇ ଚାଲିପାରିବେ । ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ପାଇଁ ଶିକ୍ଷଣୀୟ ଓ ଲାଭଦାୟକ ସାବ୍ୟସ୍ତ ହେବା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ସକ୍ଷମ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ପ୍ରୟୋଗ କ୍ଷେତ୍ରରେ ବିଭାଗ ରାଜ୍ୟର ଏକ ଆଗୁଆ ବିଭାଗ ରୂପେ ବିବେଚିତ ହୋଇଆସୁଛି । ନିକଟ ଅତୀତରେ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ୍ କୋ-ଚେୟାର ବିଲ୍ ଗେଟସ୍ଙ୍କ କୃଷି ଭବନ ପରିଦର୍ଶନ ଓ କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ ରାଜ୍ୟର କୃଷି କ୍ଷେତ୍ରରେ ହୋଇଥିବା ନୂତନ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ଓଡ଼ିଶାକୁ ବିଶ୍ୱଦରବାରରେ ପରିଚିତ କରାଇପାରିଛି । ସ୍ମାର୍ଟ କ୍ଲାସ୍ରୁମ୍ ପ୍ରଚଳନ ତାଲିମ ଅନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ସ୍ମାର୍ଟ କରିବା ସହିତ ଚାଷୀଭାଇମାନଙ୍କର ବହୁଳ ଉପଯୋଗୀ ହୋଇପାରିବ ବୋଲି ଡ. ପାଢ଼ୀ କହିଥିଲେ ।
ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଭୁବନେଶ୍ୱରରେ ଇମେଜ୍ ସମେତ ୫ଟି ତାଲିମ ପ୍ରତିଷ୍ଠାନ ସାଙ୍ଗକୁ ଢେଙ୍କାନାଳର ମହିଷାପାଟ, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ବଲାଙ୍ଗିରର ୩ଟି ରିଜିଓନାଲ୍ ଇନ୍ଷ୍ଟିଚୁ୍ୟଟ୍ ଫର ଟ୍ରେନିଂ ଆଣ୍ଡ ଏକ୍ସଟେନ୍ସନ୍ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅନ୍ତର୍ଗତ ଖୋର୍ଦ୍ଧା, ସମ୍ବଲପୁର ଓ କଳିଙ୍ଗା, ଜି. ଉଦୟଗିରିର ତାଲିମ କେନ୍ଦ୍ରରେ ସ୍ମାର୍ଟ କ୍ଲାସ୍ରୁମ୍ର ପ୍ରଚଳନ କରାଯାଇଛି ।
କାର୍ଯ୍ୟକ୍ରମ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ସମସ୍ତ ତାଲିମ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।