Home News in Odia ଆସୁ ନାହାନ୍ତି ପର୍ଯ୍ୟଟକ

ଆସୁ ନାହାନ୍ତି ପର୍ଯ୍ୟଟକ

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକର ବିକାଶ ଲାଗି ଗତ ୧୦ବର୍ଷ ମଧ୍ୟରେ ୧୬୫୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥିରେ ୧୨୬୭ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏତେ ପରିମାଣର ଅର୍ଥ ପ୍ରଦାନ ସତ୍ୱେ ରାଜ୍ୟକୁ କିନ୍ତୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାରେ ଲାଗିଛି ।

ବିପୁଳ ଅର୍ଥ ବ୍ୟୟରେ ଭିତ୍ତିଭୂମିକର ବିକାଶ ସତ୍ୱେ ୨୦୧୮ରେ ରାଜ୍ୟରୁ ୧କୋଟି ୫୨ଲକ୍ଷ ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ୨୦୨୨ରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୮.୬୮କୁ ହ୍ରାସ ପାଇଛି । କେବଳ ଦେଶୀୟ ପର୍ଯ୍ୟଟକଙ୍କ ନୁହନ୍ତି ବିଦେଶୀ ପର୍ଯ୍ୟଟକ ମଧ୍ୟ ଓଡିଶାକୁ ସେଭଳି ଆସୁନାହାନ୍ତି । ସେମାନଙ୍କ ସଂଖ୍ୟା ବି କମି ଯାଇଛି । ୨୦୧୮ ମସିହାରେ ରାଜ୍ୟକୁ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୨୨ହଜାରକୁ ହ୍ରାସ ପାଇଛି ।

ବିଦେଶୀ ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦେଶକୁ ଉଡୁଥିବା ବିମାନକୁ ରିହାତି ଅର୍ଥ ପ୍ରଦାନ କରୁଥିବାବେଳେ ଓଡିଶାରୁ ଆର୍ନ୍ତଜାତୀୟ ଉଡାଣ କରୁଥିବା ବିମାନକୁ ମଧ୍ୟ ଇନ୍ଧନ ରିହାତି ପ୍ରଦାନ କରାଯାଉଛି । ଏହା ସତ୍ୱେ ବି ଦେଶର ଅନ୍ୟାନ୍ୟ ରାଜ୍ୟକୁ ଯେତେ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଯାଉଛନ୍ତି ସେହି ଅନୁପାତରେ ଓଡିଶା ମୁହାଁ ହେଉନାହାନ୍ତି ।

ତେବେ ଓଡିଶାକୁ ବିଦେଶୀ ପର୍ଯ୍ୟଟକ ହ୍ରାସ ପାଇବାର ଅନ୍ୟତମ କାରଣ ବିମାନ ସଂଯୋଗ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବିଦେଶରୁ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ନିୟମିତ ବିମାନ ସଂଯୋଗ ନାହିଁ । ତେଣୁ ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଡକ ପଥରେ ଅଧିକ ସମୟ ବରବାଦ କରିବା ବଦଳରେ ବିମାନ ସଂଯୋଗ ଥିବା ଅନ୍ୟ ରାଜ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

ଆନ୍ଧ୍ରପ୍ରଦେଶକୁ ୨୦୨୨ରେ ୧.୬୬ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ଦେଶୀୟ ପର୍ଯ୍ୟଟକସଂଖ୍ୟା ସେହିବର୍ଷ ଆନ୍ଧ୍ରରେ ୧୯କୋଟିରୁ ଅଧିକ ରହିଛି । ସେହିଭଳି ୨୦୨୨ରେ ପଶ୍ଚିମବଙ୍ଗକୁ ୧୦.୩୭ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ଝାଡଖଣ୍ଡକୁ ପାଖପାଖି ୨ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସେହିଭଳି ଝାଡଖଣ୍ଡକୁ ଏହି ସମୟରେୁ ୩.୮୨ କୋଟିରୁ ଅଧିକ ଦେଶୀୟ ପର୍ଯ୍ୟଟକ ଆସିଛନ୍ତି । ଓଡିଶାରେ ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାର ଥିବାବେଳେ ପଡୋଶୀ ରାଜ୍ୟ ତୁଳନାରେ ଓଡିଶାକୁ ଅତ୍ୟନ୍ତ କମ୍‍ ପରିମାଣର ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ଆସୁଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ସରକାର କରିଥିବା ଆକଳନ ଅନୁଯାୟୀ ଏହି କ୍ଷେତ୍ରରେ ୧୦ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେଲେ ୮୯ଟି ନିଯୁକ୍ତି ସୃଷ୍ଟି ହୋଇଥାଏ । ଜଣେ ଲୋକ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ପାଉଥିବାବେଳେ ୩ଲକ୍ଷ ପରୋକ୍ଷ ନିଯୁକ୍ତି ପାଇଛନ୍ତି । ହେଲେ ଓଡିଶାରେ ପର୍ଯ୍ୟଟନର ଯେଭଳି ବିକାଶ ହେବାକଥା ଓ ଯେଉଁ ହାରରେ ପର୍ଯ୍ୟଟକ ଆସିବାକଥା ତାହା ହୋଇପାରୁ ନଥିବାରୁ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମଧ୍ୟ ସେଭଳି ଆଖିଦୃଶିଆ ହୋଇପାରୁ ନାହିଁ । (ତଥ୍ୟ)