ଭୁବନେଶ୍ୱର : ବେଙ୍ଗାଲୁର ମହାନଗରୀରେ ଉତ୍କଟ ପାନୀୟଜଳ ସଙ୍କଟ ଦେଖାଦେବା ପରେ ଏବେ ଭୁବନେଶ୍ୱରବାସୀଙ୍କ ଚେତା ପଶିଛି । ଯେଭଳି ସ୍ମାର୍ଟ ସିଟି ଭୁବନେଶ୍ୱରର ସମ୍ପ୍ରସାରଣ ସହିତ ଆଖିବୁଜା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ ଚାଲିଛି ଏବଂ ଗଛ ଓ ପାହାଡ ସଫା କରାଯାଇ ବିଭିନ୍ନ ଅଞ୍ଚଳରେ କୋଠାବାଡି ଗଢାଯାଉଛି ତାହା ଆଗାମୀ ଦିନରେ ଭୁବନେଶ୍ୱର ପାଇଁ ଜଳ ସଙ୍କଟର ଅନ୍ୟତମ କାରଣ ହେବ ବୋଲି ପରିବେଶବିତ୍ମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି ।
ଉତ୍କଟ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେବାପରେ ଏବେ ବେଙ୍ଗାଲୁରରେ କୋଚିଂ ସେଣ୍ଟର ସମେତ ଅନେକ ଅନୁଷ୍ଠାନକୁ ସାମୟିକ ଭାବେ ବନ୍ଦ ରଖାଯିବା ସଂଗେ ସଂଗେ ଜଳ ଯୋଗାଣକୁ ବି ନିୟନ୍ତ୍ରିତ କରାଯାଇଛି । ଏମିତିକି ଯାନବାହାନ ଧୋଇବା ଉପରେ ମଧ୍ୟ କଟକଣା ଲାଗିଛି । ଏବେ ସେଠାରେ ପାଣି ଟ୍ୟାଙ୍କରର ଦର ଢେର ଅଧିକ ହୋଇଥିବାବେଳେ ଜୀବନ ବଞ୍ଚାଇବାପାଇଁ ଟ୍ୟାଙ୍କରରୁ ଜଳ ସଂଗ୍ରହ ଲାଗି ଲମ୍ବା ଧାଡି ଦେଖିବାକୁ ମିଳୁଛି ।
ପରିବେଶବିଜ୍ଞାନୀମାନେ କହୁଛନ୍ତି ଭୁବନେଶ୍ୱରରେ ରାଜଧାନୀ ସ୍ଥାପନବେଳେ ଯେଉଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା ସେଥିରେ ଅନେକଗୁଡିଏ ଜଳଉତ୍ସ ରଖାଯାଇଥିଲା । ସେ ସମୟରେ ଭୁବନେଶ୍ୱରର ବହୁ ଅଞ୍ଚଳରେ ପ୍ରାକୃତିକ ଝରଣା ମଧ୍ୟ ଥିଲା । ପରବର୍ତ୍ତୀ ଅବସ୍ଥାରେ ମାଷ୍ଟରପ୍ଲାନରେ ଥିବା ଜଳଉତ୍ସଗୁଡିକୁ ଅକାମୀ କରିଦିଆଯାଇଛି । ଏହାଛଡା ଜଙ୍ଗଲ କାଟି ଓ ପାହାଡ ତାଡି ବହୁ ସ୍ଥାନରେ ଘରଦ୍ୱାର ମଧ୍ୟ କରାଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ପାଇଁ ହଂସପାଳ ଓ ଲିଙ୍ଗିପୁର ନିକଟରୁ କୁଆଖାଇ ନଈରୁ ପାଣି ଉଠାଯାଇ ବିଶୋଧନ ପରେ ଯୋଗାଯାଉଥିଲା । କିନ୍ତୁ ସହରର କଳେବର ବୃଦ୍ଧି ସହ ଜନସଂଖ୍ୟା ବଢିବା କାରଣରୁ ପରବର୍ତ୍ତୀ ସମୟରେ ମହାନଦୀ ବକ୍ଷରେ ମୁଣ୍ଡଳୀ ଠାରେ ବ୍ୟାରେଜ ନିର୍ମାଣ କରାଯାଇ ସେଠାରୁ ପାଣି ଆଣିବା ବ୍ୟବସ୍ଥା କରାଗଲା । ତେବେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ମହାନଦୀ ଓ ତାହାର ଶାଖାନଦୀଗୁଡିକ ଶୁଖି ଯାଉଥିବାରୁ ରାଜଧାନୀକୁ ଭବିଷ୍ୟତରେ ଜଳଯୋଗାଣ କ୍ଷେତ୍ରରେ ସଙ୍କଟ ଉପୁଜିପାରେ । ଜନସ୍ୱାସ୍ଥ୍ୟ ବିଭାଗ ମାଧ୍ୟମରେ ହେଉଥିବା ଜଳଯୋଗାଣ ବ୍ୟବସ୍ଥାକୁ ପରବର୍ତ୍ତୀ ସମୟରେ ୱାଟ୍କୋ ହାତରେ ନ୍ୟସ୍ତ କରାଯାଇଛି । କେବଳ ସେତିକି ନୁହେଁ, ବହୁ ସ୍ଥାନରେ ପାଣି ମିଟର ମଧ୍ୟ ବସାଯାଇ ଲୋକଙ୍କ ଠାରୁ ହିସାବ ମୁତାବକ ପାଣିଖର୍ଚ୍ଚ ବାବଦ ପଇସା ଆଦାୟ କରାଯାଉଛି ।
୨୦/୩୦ବର୍ଷ ତଳେ ଭୁବନେଶ୍ୱରରେ ଜଳ ସ୍ତର ବହୁତ ଉଚ୍ଚରେ ରହୁଥିଲା । ଏମିତିକି ଅଶୋକନଗର, ସତ୍ୟନଗର, ଶହୀଦନଗର, ଶାସ୍ତ୍ରୀନଗର, ଜାଗମରା, ପୁରୁଣା ଭୁବନେଶ୍ୱର, ବରଗଡ, ନୂଆପଲ୍ଲୀ, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଘର ତିଆରି ପାଇଁ ମୂଳଦୂଆ ଖୋଳିଲା ବେଳକୁ ବି ଜଳସ୍ରୋତ ପଡୁଥିଲା । ଅଳ୍ପ ଗଭୀରରେ କୂଅରୁ ବି ପାଣି ମିଳୁଥିଲା । ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜଧାନୀର ବହୁ ଅଞ୍ଚଳରେ ନଳକୂପ ବସାଯାଇଥିଲା । ତେବେ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ବହୁ କୂଅ ଓ ନଳକୂପ ଅଚଳ ହୋଇପଡିଛି । ଏମିତିକି ୨୦/୩୦ବର୍ଷ ତଳେ ହୋଇଥିବା ବୋରିଂ ଗୁଡିକରୁ ଏବେ ପାଣି ମିଳୁନାହିଁ ।
ପରିବେଶବିଜ୍ଞାନୀମାନେ କହୁଛନ୍ତି ଯେ ସହର ବଢିବା ସହ ପ୍ରାକୃତିକ ଜଳଉତ୍ସଗୁଡିକୁ ନଷ୍ଟ କରିଦେବା ସଂଗେ ସଂଗେ ଝରଣା, ପୋଖରୀ ଆଦିକୁ ବି ବିଲୁପ୍ତ କରିଦିଆଯାଇଛି । ଏହାଛଡା ରାସ୍ତାକଡରେ କଂକ୍ରିଟ ଓ ଟାଇଲ ବିଛାଯିବା ସହିତ ବର୍ଷାପାଣି ଖଲାସ ଲାଗି ଡ୍ରେନେଜ ବ୍ୟବସ୍ଥା ହେବାରୁ ବର୍ଷାଦିନେ ଭୂତଳ ଜଳସ୍ତର ରିଚାର୍ଜ ହୋଇପାରୁନାହିଁ । ବ୍ୟାପକ ଗଛ କଟାଯିବା ଯୋଗୁଁ ପରିବେଶ ବିଗିଡିବା ସହ ଉତ୍ତାପ ବଢୁଛି ଏବଂ ଭୂମିତଳକୁ ଜଳ ସଂଚରଣହେବା କ୍ଷେତ୍ରରେ ମଧ୍ୟ ବାଧା ଉପୁଜୁଛି । ଅନେକ ସ୍ଥାନରେ ଲଗାମଛଡା ଭାବେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ ହେବା ଯୋଗୁଁ ପାଣି ଉପରେ ବି ଚାପ ବଢୁଛି । ଏବେ ଠାରୁ ନିୟନ୍ତ୍ରଣ କରାନଗଲେ ଭୁବନେଶ୍ୱରରେ ଖୁବ୍ଶୀଘ୍ର ବେଙ୍ଗାଲୁର ଅବସ୍ଥାର ପ୍ରତିଫଳନ ଘଟିବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । (ତଥ୍ୟ)