ଭୁବନେଶ୍ୱର : ଶିଶୁ ଓ କିଶୋରମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ନକରିବାପାଇଁ ବାରମ୍ବାର ଗୁରୁତ୍ୱାରୋପ କରାଯାଉଥିଲେ ବି ଅନେକ ବ୍ୟକ୍ତି ଓ ସଂସ୍ଥା କିନ୍ତୁ ଶିଶୁମାନଙ୍କୁ ବିପଦଜନକ କାର୍ଯ୍ୟରେ ଲଗାଉଛନ୍ତି । ଯେଉଁଥିପାଇଁ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ସୁଦ୍ଧା ରାଜ୍ୟୋର ୧୭୩ଜଣ ଶିଶୁ ଶ୍ରମିକଙ୍କୁ ପ୍ରଶାସନ ଉଦ୍ଧାର କରିଛି । ଏହି ଘଟଣାରେ ବିଭିନ୍ନ ଆଇନ୍ ଅଦାଲତରେ ୧୪ଟି ମାମଲା ବି ଦାୟର ହେଲାଣି ।
ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍, ୧୯୮୬ ଅର୍ନ୍ତଗତ ବ୍ୟବସ୍ଥା ଅନୁଯାୟୀ ଶିଶୁ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ଏବଂ କିଶୋର ଶ୍ରମିକମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବନାହିଁ । ହେଲେ ଏହାକୁ ଅଧିକାଂଶ କ୍ଷେତ୍ରରେ ମାନୁନାହାନ୍ତି । ଶସ୍ତାରେ ଶିଶୁ ଓ କିଶୋର ଶ୍ରମିକ ମିଳୁନଥିବାରୁ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଫଳରେ ଏହି ପିଲାମାନେ ଆଉ ପାଠପଢି ପାରୁନାହାନ୍ତି ।
ଏଭଳି ବେଆଇନ୍ ଭାବେ ଶିଶୁମାନଙ୍କୁ ନିୟୋଜିତ କରୁଥିବା ବ୍ୟକ୍ତି ଓ କାରଖାନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ପିଲାମାନଙ୍କୁ ଉଦ୍ଧାର ପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ରହିଛି । ହେଲେ ଅଧିକାଂଶ ସମୟରେ ଏହି ଟାସ୍କଫୋର୍ସ ଠିକଣା ଭାବେ କାର୍ଯ୍ୟ କରୁନଥିବା ନେଇ ସ୍ୱେଚ୍ଛାସେବୀମାନେ ଅଭିଯୋଗ ଆଣିଛନ୍ତି । ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ ମତରେ ଯେତେ ସଂଖ୍ୟାରେ ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି ବାସ୍ତବରେ ତାହାଠାରୁ ଢେର ଅଧିକ ଶିଶୁଙ୍କୁ କାମରେ ଲଗାଯାଉଛି । ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଅନେକ ଶିଶୁ ଅନିଚ୍ଛାଭାବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ।
ତେବେ ରାଜ୍ୟରୁ ଶିଶୁ ଶ୍ରମିକ ବ୍ୟବସ୍ଥାର ମୂଳପୋଛ ପାଇଁ ସରକାର ଅନ୍ୟ ୯ଟି ବିଭାଗର ସମନ୍ୱୟରେ ଏକ କାର୍ଯ୍ୟ ଖସଡା କାର୍ଯ୍ୟକାରୀ କରୁଛନ୍ତି । ଏହା ସହ ପ୍ରତିବର୍ଷ ମଇମାସ ଠାରୁ ଜୁନ୍ ୧୨ ତାରିଖ ମଧ୍ୟରେ ଏକ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସହଯୋଗୀଙ୍କ ସହାୟତାରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଆୟୋଜନ କରାଯାଉଛି ।
ଶିଶୁ ଶ୍ରମିକ ବିଲୋପ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଗୁଡିକୁ ମିଶନ ବାତ୍ସଲ୍ୟ ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଉଛି । ତେବେ ଏହି ପାଣ୍ଠି ପର୍ଯ୍ୟାପ୍ତ ହେଉନଥିବା ଏବଂ ନିୟମିତ ଭାବେ କାର୍ଯ୍ୟକ୍ରମ ଜାରି ରହୁନଥିବାରୁ ଶିଶୁଶ୍ରମିକ ପ୍ରଥା ବିରୁଦ୍ଧରେ ଯେଭଳି ସଚେତନତା କରାଯିବାକଥା ତାହା ହୋଇପାରୁ ନାହିଁ । ବର୍ତ୍ତମାନ ଗାଁ ଗହଳରେ ମିଶନ ଶକ୍ତି ସକ୍ରିୟ ଥିବାବେଳେ ସେମାନଙ୍କୁ ଶିଶୁ ଶ୍ରମିକ ଉଦ୍ଧାର କାର୍ଯ୍ୟରେ ସରକାର ନିୟୋଜିତ କରୁନାହାନ୍ତି । ସେମାନଙ୍କୁ ଏଥିରେ ସାମିଲ କରାଗଲେ ଅନେକାଂଶରେ ଶିଶୁ ଶ୍ରମିକ ମାମଲା ହ୍ରାସପାଆନ୍ତା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)