Home News in Odia ବିଜେପିର ଆସନ ସଂଖ୍ୟା ବଢିବ

ବିଜେପିର ଆସନ ସଂଖ୍ୟା ବଢିବ

ଭୁବନେଶ୍ୱର : ନିର୍ବାଚନରେ ବିଜେପି ସହ ବିଜେଡିର ମେଣ୍ଟ କାର୍ଯ୍ୟକାରୀ ହେଲେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପିର ଆସନ ସଂଖ୍ୟା ବୃଦ୍ଧି ପାଇବା ସହ ବିଜେଡିର ଆସନ ସଂଖ୍ୟା କମିପାରେ । କେବଳ ସେତିକି ନୁହେଁ, ଲୋକସଭାରେ ମାତ୍ର ଗୋଟିଏ ଓ ରାଜ୍ୟ ବିଧାନସଭାରେ ଏବେ ନଅଟି ଆସନ ରଖିଥିବା କଂଗ୍ରେସ ଦଳର ଆସନ ସଂଖ୍ୟା ମଧ୍ୟ ମେଣ୍ଟ କାରଣରୁ ବଢିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

୨୦୧୯ ନିର୍ବାଚନରେ ଓଡିଶାରୁ ବିଜେଡିର ସର୍ବାଧିକ ୧୨ଜଣ ଜିଣିଥିବାବେଳେ ବିଜେପିର ୮ ଓ କଂଗ୍ରେସର ଜଣେ ପ୍ରାର୍ଥୀ ଜିଣିଥିଲେ । ଏବେ ବିଜେଡି-ବିଜେପି ମେଣ୍ଟ ସଂକ୍ରାନ୍ତରେ ସୂଚନା ମିଳିଥିବାବେଳେ କେଉଁଦଳ କେତେ ଆସନରୁ ଓ କେଉଁ କେଉଁ ସ୍ଥାନରୁ ଓଡିଶାରୁ ଲୋକସଭାବ ର୍ନିବାଚନ ଲଢିବ ସେଥିଘେନି ସ୍ପଷ୍ଟ ଚିତ୍ର ଆସିନାହିଁ । ତେବେ ଲୋକସଭା ପାଇଁ ବିଜେଡି ଅପେକ୍ଷା ବିଜେପି ଅଧିକ ଆସନରେ ଓଡିଶାରୁ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ୨୦୧୯ ର ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୧୨ଟି ଆସନରୁ ଜିଣିଥିଲା ଓ ସେତେବେଳେ ବିଜେପି ଖାତାକୁ ୨୩ଟି ଆସନ ଯାଇଥିବାବେଳେ କଂଗ୍ରେସ କବଜାକୁ ଆସିଥିଲା ମାତ୍ର ୯ଟି ସ୍ଥାନ । ପରବର୍ତ୍ତୀ ସମୟରେ ବିଜେପିର ଆସନ ସଂଖ୍ୟା ୨୨କୁ ହ୍ରାସ ପାଇଥିବାବେଳେ ବିଜେଡିର ଆସନସଂଖ୍ୟା କିନ୍ତୁ ୧୧୪କୁ ବୃଦ୍ଧି ପାଇଥିଲା । ଏବେ ଏଥିର ଗୋଟିଏ ଆସନ ଖାଲି ରହିଥିବାରୁ ଓଡିଶା ବିଧାନସଭାରେ ବିଜେଡିର ୧୧୩ଜଣ ବିଧାୟକ ଅଛନ୍ତି । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ମୁତାବକ ବିଜେଡି ମେଣ୍ଟ ହେଲେ ବିଜେଡି ୧୦୦ରୁ ଅଧିକ ଓ ବିଜେପି ୫୦ରୁ କମ୍‍ ଆସନରେ ପ୍ରାର୍ଥୀ ଦେଇପାରନ୍ତି । ଏହା ଫଳରେ ବିଜେଡିର କେତେକ ବିଧାୟକ ଓ ମନ୍ତ୍ରୀ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହେବା ଏକପ୍ରକାର ନିଶ୍ଚିତ ଥିବାବେଳେ ବିଜେପିରେ ବି କିଛିଟା ଅଦଳ ବଦଳ ହେବ । ତେବେ ମେଣ୍ଟ ହେଲେ ବିଜେଡିର ଏବେ ବିଧାୟକ ଓ ସାଂସଦ ସଂଖ୍ୟା ଯାହା ରହିଛି ତାହା ଢେର କମିବ ଓ ବିଜେପିର ସଂଖ୍ୟା ବଢିବ । ଏହି ପ୍ରକ୍ରିୟାରେ ଉଭୟ ଦଳର କେଉଁ ନେତା କେଉଁ ନିର୍ବାଚନମଣ୍ଡଳୀରେ ବଳି ପଡିବେ ସେଥିଘେନି ସାଧାରଣରେ ଚର୍ଚ୍ଚା ଚାଲିଛି ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ୨୦୧୯ ନିର୍ବାଚନ ଓ ତତ୍ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ବିଜେଡି ବିରୋଧି ଭୋଟ୍‍ କଂଗ୍ରେସ ଅପେକ୍ଷା ବିଜେପି ଖାତାକୁ ଅଧିକ ପରିମାଣରେ ଯାଇଥିଲା । ଏଥର ବିଜେପି-ବିଜେଡି ମେଣ୍ଟ ହେଲେ ବିଜେପି ଓ ବିଜେଡିକୁ ପସନ୍ଦ କରୁନଥିବା ମତଦାତାମାନଙ୍କ ଭୋଟ ଅଧିକ ସଂଖ୍ୟାରେ କଂଗ୍ରେସକୁ ଯାଇପାରେ । ଏହା ଫଳରେ ରାଜ୍ୟ ବିଧାନସଭା ଓ ଲୋକସଭାରେ ଓଡିଶାରୁ କଂଗ୍ରେସ ଦଳର ପ୍ରତିନିଧିତ୍ୱ କିଛି ପରିମାଣରେ ବଢିପାରେ ।

ତେବେ ବର୍ତ୍ତମାନର ଯେଉଁ ରାଜନୈତିକ ହାୱା ବହୁଛି ସେଥିରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି କ୍ଷମତାକୁ ଆସିବବୋଲି କୁହାଯାଉଥିଲେ ମଧ୍ୟ ‘ଇଣ୍ଡିଆ ସାଇନିଙ୍ଗ୍‍’ ସ୍ଲୋଗାନ ଦେଇ ୨୦୦୪ ନିର୍ବାଚନରେ ଏନ୍‍ଡିଏ ମେଣ୍ଟର ଯେଉଁ ପରାଜୟ ଘଟିଲା ଏବଂ ଅତ୍ୟଧିକ ଆତ୍ମବିଶ୍ୱାସର ସହ ନିର୍ବାଚନ ଲଢି ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ଜନତାଦଳ ୧୯୯୦ ନିର୍ବାଚନରେ ରେକର୍ଡ ସଂଖ୍ୟକ ୧୨୩ ଆସନ ବିଧାନସଭାରେ ଦଖଲକରିଥିବାବେଳେ ୧୯୯୫ରେ ଯେପରି ବିପର୍ଯ୍ୟୟ ଘଟିଲା ସେ ସଂକ୍ରାନ୍ତରେ ବି ସବୁ ଦଳ ସଚେତନ ଅଛନ୍ତି ।

ଏବେ ବିଜେଡି ଓ ବିଜେପିରୁ କେଉଁଠୁ କିଏ ଟିକଟ ପାଇବେ ଓ ନପାଇବେ ସେଥିଘେନି ସମ୍ପୃକ୍ତ ଦଳର ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଏହି ଦୁଇ ଦଳରୁ କେତେକ ନେତା କଂଗ୍ରେସକୁ ଡିଆଁ ମାରିବା ସମ୍ଭାବନକୁ ଏଡାଇ ଦେଇହେବ ନାହିଁ । (ତଥ୍ୟ)