ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଫେବୃଆରୀ ସୁଦ୍ଧା ରାଜ୍ୟର ରାଜସ୍ୱ ଆଦାୟ ପୂର୍ବବର୍ଷ ତୁଳନାରେ ୧୯.୨୪ ପ୍ରତିଶତ ବୃଦ୍ଧି ପାଇଛି ।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟ ସରକାର ମୋଟ ୯୪,୦୦୩.୧୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିବାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୭୮,୮୩୪.୪୮ କୋଟି ଟଙ୍କା ଆଦାୟ ହୋଇଥିଲା । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ନିରନ୍ତର ତଦାରଖ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଗତ ମାସ ସୁଦ୍ଧା ରାଜ୍ୟ ରାଜସ୍ୱ ଆଦାୟରେ ୧୯ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିପାରିଛି ।
୨୦୨୩-୨୪ ଏପ୍ରିଲରୁ ଫେବୃଆରୀ ମଧ୍ୟରେ ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ଆଦାୟ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୮.୬୬ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଗତ ମାସ ଶେଷ ସୁଦ୍ଧା ମୋଟ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ୪୭,୮୮୪.୩୬ କୋଟି ଟଙ୍କା ଥିବା ବେଳେ ଗତବର୍ଷ ସମାନ ସମୟରେ ରାଜ୍ୟ ୪୦,୩୫୫.୮୫ କୋଟି ଟଙ୍କା ଆଦାୟ କରିଥିଲା ।
ଏପ୍ରିଲ ୨୦୨୩ରୁ ଫେବୃଆରୀ ୨୦୨୪ ମଧ୍ୟରେ ରାଜ୍ୟରେ ଜିଏସଟି, ଭୂ ରାଜସ୍ୱ, ଯାନ ବାହାନ ଟିକସ ଏବଂ ବିଦ୍ୟୁତ ଶୁଳ୍କ ଆଦାୟ ବୃଦ୍ଧି ଯୋଗୁଁ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ବୃଦ୍ଧି ପାଇଛି । ଫେବୃଆରୀ ୨୦୨୪ ସୁଦ୍ଧା ବୃତ୍ତିଗତ ଟିକସ ଆଦାୟ ୩.୬୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭୂ ରାଜସ୍ୱରୁ ଆଦାୟ ୭୨.୨୦ ପ୍ରତିଶତ ଏବଂ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣରୁ ରାଜସ୍ୱ ସଂଗ୍ରହ ୫.୩୯ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ବିକ୍ରି ଟିକସ ୨୦.୭୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଏହାବ୍ୟତୀତ ଯାନବାହନ ଓ ବିଦ୍ୟୁତ ଶୁଳ୍କ ଉପରୁ ଟିକସ ଆଦାୟ ଯଥାକ୍ରମେ ୧୫.୨୬ ପ୍ରତିଶତ ଓ ୧୬.୬୧ ପ୍ରତିଶତ ବୃଦ୍ଧି ପାଇଛି ।
ଖଣି ରାଜସ୍ୱ ବୃଦ୍ଧି ଯୋଗୁଁ ରାଜ୍ୟର ଅଣଟିକସ ରାଜସ୍ୱ ଆଦାୟରେ ୧୯.୮୬ ପ୍ରତିଶତ ବୃଦ୍ଧି ଘଟିଛି । ଫେବୃଆରୀ ଶେଷ ସୁଦ୍ଧା ମୋଟ ଅଣଟିକସ ରାଜସ୍ୱ ଆଦାୟ ୪୬,୧୧୮.୭୯ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ ଏପ୍ରିଲରୁ ଫେବୃଆରୀ ମଧ୍ୟରେ ରାଜ୍ୟ ୩୮,୪୭୮.୬୨ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ କରିଥିଲା ।
ପ୍ରତିକୂଳ ବଜାର ପରିସ୍ଥିତି ସତ୍ତ୍ୱେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ର ଫେବୃଆରୀ ଶେଷ ସୁଦ୍ଧା ଖଣି ରାଜସ୍ୱ ସଂଗ୍ରହରେ ୧୫.୨୫ ପ୍ରତିଶତ ବୃଦ୍ଧି ଘଟିଛି । ତଥ୍ୟ ଅନୁଯାୟୀ ଗତବର୍ଷ ଏହି ସମୟରେ ରାଜ୍ୟ ସରକାର ଖଣିରୁ ୩୩,୯୩୬.୬୬ କୋଟି ଟଙ୍କା ଆଦାୟ କରିଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଖଣିରୁ ୩୯,୧୧୧.୯୯ କୋଟି ଟଙ୍କା ଆଦାୟ କରିପାରିଛନ୍ତି ।
୨୦୨୪ ଫେବୃଆରୀ ଶେଷ ସୁଦ୍ଧା ଅଂଶଧନ ଟିକସ ୪୬,୭୯୩.୮୬ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୨୭.୮୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ସେହିପରି ଗତ ମାସ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ପରିମାଣ ୧୯,୦୨୪.୫୬ କୋଟି ଟଙ୍କା ଥିଲା, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୩୫.୨୫ ପ୍ରତିଶତ ବୃଦ୍ଧି ପାଇଛି ।
ଗତ ମାସ ଶେଷ ସୁଦ୍ଧା କେନ୍ଦ୍ରରୁ ଉଭୟ ଅଂଶଧନ ଟିକସ ଏବଂ ଅନୁଦାନର ସମୁଦାୟ କେନ୍ଦ୍ରୀୟ ହସ୍ତାନ୍ତର ୬୫,୮୧୮.୪୨ କୋଟି ଟଙ୍କା ରହିଛି, ଯାହା କି ଗତ ଆର୍ଥିକ ବର୍ଷର ସମାନ ଅବଧିରେ ରାଜ୍ୟ କେନ୍ଦ୍ରଠାରୁ ପାଇଥିବା ଅନୁଦାନ ତୁଳନାରେ ୨୯.୯୩ ପ୍ରତିଶତ ଅଧିକ । ଅର୍ଥାତ୍ ଫେବୃଆରୀ ସୁଦ୍ଧା ସମସ୍ତ ଉତ୍ସରୁ ମୋଟ ରାଜସ୍ୱ ଆଦାୟ ୧,୫୯,୮୨୧.୫୭ କୋଟି ଟଙ୍କା ଥିଲା, ଯାହା କି ୨୦୨୩ ଏପ୍ରିଲରୁ ଫେବୃଆରୀ ମଧ୍ୟରେ ହୋଇଥିବା ୧,୨୯,୪୯୦.୩୯ କୋଟି ଟଙ୍କା ତୁଳନାରେ ୨୩.୪୨ ପ୍ରତିଶତ ଅଧିକ । (ତଥ୍ୟ)