ଭୁବନେଶ୍ୱର : ଦୁର୍ବଳ ମାମଲା ନୀତି ଯୋଗୁଁ ଆଇନ୍ ଅଦାଲତଗୁଡିକରେ ମାମଲା ସଂଖ୍ୟା ବଢୁଛି । ଏହାର ନିୟନ୍ତ୍ରଣ ଲାଗି ରାଜ୍ୟ ମାମଲା ନୀତିରେ ସଂଶୋଧନ ଆଣିବାପାଇଁ ଓଡିଶା ହାଇକୋର୍ଟ ପ୍ରାୟ ୫ମାସ ତଳୁ ନିର୍ଦ୍ଦେଶ ଦେଇଥିଲେ ବି ଏଯାବତ୍ ସମୟ ଗଡା ଚାଲିଛି ।
ଏବେ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତ, ଟ୍ରିବ୍ୟୁନାଲ ଓ ଅନ୍ୟ ସଂସ୍ଥାଗୁଡିକରେ ପାଖାପାଖି ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଯେତେସବୁ ମାମଲା ରୁଜୁ କରୁଛନ୍ତି ସେଥିରୁ ଅଧିକାଂଶ ହେଉଛି ସେମାନଙ୍କ ଅଭିଯୋଗ ଫଏସଲାରେ ସରକାରୀ ସ୍ତରରେ ଶିଥିଳତା ।
ଏ ପ୍ରସଙ୍ଗରେ ଅର୍ଥ କମିଶନଙ୍କ ସୁପାରିଶ୍ ମୁତାବକ ବିଭିନ୍ନ ମହଲ ସହ ଆଲୋଚନା କରି ରାଜ୍ୟ ସରକାର ଏକ ସ୍ପଷ୍ଟ ମାମଲା ନୀତି ପ୍ରଣୟନ କରିଥିଲେ ଏବଂ ଓଡିଶା ଗେଜେଟିରେ ଏହା ୨୦୧୧ ମଇ ୩୧ ତାରିଖରେ ପ୍ରକାଶ ପାଇଥିଲା । ରାଜ୍ୟ ମାମଲା ନୀତିର ପ୍ରମୁଖ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ମାମଲା ସଂଖ୍ୟା ହ୍ରାସ ସହିତ ପୁରୁଣା ମାମଲାଗୁଡିକର ତ୍ୱରିତ ଫଏସଲା କରାଇ ୫ବର୍ଷରୁ ପୁରୁଣା ମାମଲା ସବୁକୁ ହଟାଇବା । କିନ୍ତୁ ପୁରୁଣା ମାମଲା ବିଶେଷ ହଟୁନାହିଁ ଏବଂ ନୂଆ ମାମଲା ରୁଜୁ ସଂଖ୍ୟା ବି କମୁନାହିଁ । ଏ ପରିପ୍ରେକ୍ଷୀରେ ତ୍ୱରିତ ନ୍ୟାୟ ପାଇଁ ଆଇନ୍ ଅଦାଲତର ଦ୍ୱାରସ୍ଥ ହେଉଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକେ ମାମଲାର ଚାପ ଦୃଷ୍ଟିରୁ ଏସବୁର ତ୍ୱରିତ ଫଏସଲା ବି ଆଇନ ଅଦାଲତଗୁଡିକ କରିବା ମୁସ୍କିଲ ହୋଇପଡୁଛି । ଏମିତିକି ହତ୍ୟା, ଧର୍ଷଣ, ଅପହରଣ, ଚୋରି, ଡକାୟତି ଭଳି ଅପରାଧିକ ମାମଲା ସବୁ ବର୍ଷ ବର୍ଷ ଧରି ଗଡୁଛି ।
ଏ ପ୍ରସଙ୍ଗ ଓଡିଶା ହାଇକୋର୍ଟଙ୍କ ଦୃଷ୍ଟିକୁ ଆସିବାପରେ ପ୍ରାୟ ୫ମାସ ତଳେ ହାଇକୋର୍ଟ ରାଜ୍ୟ ମାମଲା ନୀତିର ତ୍ୱରିତ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ କୁହାଯାଇଥିଲା ଯେ ସଂଶୋଧିତ ନୀତି ଏଭଳି ହେବା ଆବଶ୍ୟକ ଯାହା ଫଳରେ ଲୋକଙ୍କ ଅଭିଯୋଗ ଓ ମାମଲାର ସମାଧାନ ସରକାରୀ ସ୍ତରରେ ସହଜରେ ସମାଧାନ ହୋଇପାରିବ ।
ତେବେ ଏଥି ଘେନି ଅଦାଲତ ଯେଉଁ ସମୟସୀମା ଧାର୍ଯ୍ୟ କରିଥିଲେ ତାହା ଅତିକ୍ରମ କରିବାର ଚାରି ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାବତ୍ ନୂଆ ମାମଲା ନୀତି ପ୍ରଣୟନ କରାଯାଇ ପାରିନାହିଁ । ପ୍ରଚଳିତ ମାମଲା ନୀତିରେ ଥିବା ବ୍ୟବସ୍ଥାନୁଯାୟୀ ରାଜ୍ୟ ସ୍ତରୀୟ କମିଟି ଓ ବହୁ କ୍ଷେତ୍ରରେ ଜିଲ୍ଲା ସ୍ତରୀୟ କମିଟିର ବୈଠକମାନ ବର୍ଷ ବର୍ଷ ଧରି ବସୁନାହିଁ । ଏମିତିକି ଆଇନ୍ ଅଦାଲତରେ ଅଧାରୁ ଅଧିକ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ଥିବାବେଳେ ବହୁ କ୍ଷେତ୍ରରେ ଠିକଣା ସମୟରେ ସରକାରଙ୍କ ପକ୍ଷରୁ ନଥିପତ୍ର ଓ ସତ୍ୟପାଠ ଆଦି ମଧ୍ୟ ଦାଖଲ କରାଯାଇ ପାରୁନାହିଁ ।
ଓଡିଶାରେ ଯେତେ ସଂଖ୍ୟକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ବର୍ଷକୁ ୧୦ପ୍ରତିଶତ ମଧ୍ୟ ଫଏସଲା ହୋଇପାରୁନଥିବା ଏନ୍ସିଆରବି ରିପୋର୍ଟରୁ ଜଣାପଡୁଛି । କେବଳ ସେତିକି ନୁହେଁ, ବିଳମ୍ବିତ ବିଚାର, ଦୁର୍ବଳ ତଦନ୍ତ ଏବଂ ସାକ୍ଷ୍ୟ ପ୍ରମାଣ ନଷ୍ଟ ହେଉଥିବା ଯୋଗୁଁ ସଂଖ୍ୟାଧିକ ଅପରାଧିକ ମାମଲାରେ ଅଭିଯୁକ୍ତମାନେ ଖସିଯିବାରେ ସମର୍ଥ ହେଉଛନ୍ତି । ଏହା ଆଇନ୍ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି । ଏମିତିକି ବହୁ କ୍ଷେତ୍ରରେ ନିମ୍ନ ଅଦାଲତ ତ ଦୂରରକଥା ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ବି ସୀମିତ ସମୟ ମଧ୍ୟରେ କାର୍ଯ୍ୟକାରୀ ନକରି ଉପର ଠାଉରିଆ ଭାବେ ଅପିଲ୍ ଆବେଦନ କରାଯାଇ ସରକାରୀ କଳର ବ୍ୟାପକ ସମୟ, ଶକ୍ତି ଓ ସମ୍ବଳ ଅପଚୟ କରାଯିବା ସହ ମାମଲା ସଂଖ୍ୟା ବଢାଯାଉଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)