Home MSME ମହିଳା ପରିଚାଳିତ ଏମଏସଏମଇ ଲକ୍ଷେରୁ ଅଧିକ

ମହିଳା ପରିଚାଳିତ ଏମଏସଏମଇ ଲକ୍ଷେରୁ ଅଧିକ

ଭୁବନେଶ୍ୱର : ଦେଶରେ ଥିବା ମୋଟ୍‍ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମଧ୍ୟରୁ ୨୦.୫ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଓଡିଶାରେ ଏଭଳି ଏମଏସଏମଇ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି । ଏଥିରେ ୮ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି ।

ସମଗ୍ର ଦେଶରେ ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇ ସଂଖ୍ୟା ୪୬.୬୭ ଲକ୍ଷରୁ ଅଧିକ ଥିବାବେଳେ ଏଥିରେ ୨.୮୪ କୋଟିରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ତେବେ ଓଡିଶାରେ ମହିଳାଙ୍କ ଦ୍ୱାରା ପରିଚାଳିତ ୧,୦୬,୬୫୬ଟି ଏମଏସଏମଇ ମଧ୍ୟରୁ ୧,୦୫,୦୪୧ଟି ଅଣୁ ଶିଳ୍ପ ହୋଇଥିବାବେଳେ ୧୫୫୬ ଟି କ୍ଷୁଦ୍ର ଓ ୫୯ଟି ମଧ୍ୟମ ଉଦ୍ୟୋଗ ରହିଛି । ଏହିସବୁ ଉଦ୍ୟୋଗଗୁଡିକ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୮ହଜାର କୋଟି ଟଙ୍କାର କାରବାର କରିଥିବା ସରକାରୀ ଭାବେ ଦର୍ଶାଯାଉଛି ।

କେନ୍ଦ୍ର ସରକାରଙ୍କ ଉଦ୍ୟମ ପୋର୍ଟାଲରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ପଞ୍ଜିକରଣ ହେଉଛି ସେଥି ମଧ୍ୟରୁ ୧୮.୭୩ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇ ହୋଇଥିବାବେଳେ ସମସ୍ତ ପୁଞ୍ଜିନିବେଶର ୧୧.୧୫% ଏଥିରେ ହେଉଛି । ସେହିଭଳି ଏମଏସଏମଇ କ୍ଷେତ୍ରରେ ହେଉଥିବା ମୋଟ୍‍ କାରବାରର ୧୦.୨୨ ପ୍ରତିଶତ ମହିଳା ଏମଏସଏମଇ ଦ୍ୱାରା କରାଯାଉଛି । ତେବେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇଗୁଡିକର ଅବଦାନ୭୦ ପ୍ରତିଶତରୁ ଅଧିକ ରହିଛି ।

ଇତି ମଧ୍ୟରେ କେନ୍ଦ୍ର ସରକାର ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇଗୁଡିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ ପାଇଁ କେତେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥି ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରାଳୟ, ବିଭାଗ ଓ ଅନ୍ୟାନ୍ୟ ସଂସ୍ଥା ଖରିଦ କରୁଥିବା ସାମଗ୍ରୀର ଅତି କମ୍‍ରେ ୩ ପ୍ରତିଶତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏମଏସଏମଇ ଠାରୁ ଖରିଦ କରିବେ । ସେହଭଳି ଏଭଳି ଏମଏସଏମ୍‍ଇଗୁଡିକୁ ବାର୍ଷିକ ଗ୍ୟାରେଣ୍ଟି ଫିରେ ୧୦% ରିହାତି ମିଳୁଥିବାବେଳେ ଅତିରିକ୍ତ ଭାବେ ଆଉ ୧୦% ଗ୍ୟାରେଣ୍ଟି ପ୍ରଦାନ କରାଯିବ ।

ସେହିଭଳି ମହିଳା ଏମଏସଏସଇ ଉଦ୍ୟୋଗୀମାନଙ୍କୁ ପିଏମଇଜିପି ଯୋଜନାରେ ମିଳୁଥିବା ସବସିଡ୍‍ ରାଶି ପ୍ରଦାନ କରରାଯାଉଛି । ଏହାଦ୍ୱାରା ଅନୁସୂଚିତ ଜାତି, ଜନଜାତି, ଓବିସି ବର୍ଗର ମହିଳା ଉଦ୍ୟୋଗୀମାନେ ଅଧିକ ଲାଭବାନ ହେଉଛି । ସେହିଭଳି ମହିଳା ଉଦ୍ୟୋଗୀମାନଙ୍କୁ ସାମଗ୍ରୀ ଖରିଦ ସହିତ ବ୍ୟବସାୟୀ ପାଇଁ ଅଧିକ ପରିମାଣର ସବସିଡ୍‍ ପ୍ରଦାନ କରାଯାଉଛି । ଏହି ମହିଳା ଉଦ୍ୟୋଗୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସମର୍ଥ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ଜରିଆରେ ଉଭୟ ସହରାଞ୍ଚଳର ଓ ଗ୍ରାମାଞ୍ଚଳର ୭୫୦୦ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଜଣାଯାଇଛି । (ତଥ୍ୟ)