Home Administration ବଦଳି ଚିନ୍ତାରେ ଅଧିକାରୀ

ବଦଳି ଚିନ୍ତାରେ ଅଧିକାରୀ

ଭୁବନେଶ୍ୱର : ନିର୍ବାଚନ କମିଶନ ଜାରି କରିଥିବା ନୂଆ ବଦଳି ନୀତି କାର୍ଯ୍ୟକାରୀ ପରେ ଏବେ ରାଜ୍ୟରେ ଏକ ପ୍ରକାର ଗଣ ବଦଳି ଚାଲିଛି । ଗୋଟିଏ ସଂସଦୀୟ କ୍ଷେତ୍ରରେ ତିନି ବର୍ଷରୁ ଅଧିକ ସମୟ ଧରି ରହିଥିବା କର୍ମଚାରୀଙ୍କୁ ଏବେ ଅନ୍ୟ ସଂସଦୀୟ କ୍ଷେତ୍ରକୁ ବଦଳି ଆରମ୍ଭ ହୋଇଛି ।

ଏହି ନୂଆ ନିୟମ ଲାଗୁ ପରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିକଟରେ ବିଧାନସଭା ବାହାରକୁ ବଦଳି କରାଯାଇଥିଲା ସେମାନଙ୍କୁ ପୁଣିଥରେ ବଦଳି କରାଯାଉଛି । ଏପରିକି ମାସେ କିମ୍ବା ପନ୍ଦର ଦିନ ତଳେ ବଦଳି ହୋଇଥିବା ଅନେକ ଅଧିକାରୀ ଓ କର୍ମଚାରୀ ଏବେ ବଦଳିର ସମ୍ମୁଖୀନ ହୋଇଛନ୍ତି । ଏଥି ସହିତ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜିଲ୍ଲା ବାହାରକୁ ବଦଳି ହେଉଛନ୍ତି ।

ନୂଆ ବଦଳି ନିୟମ ଲାଗୁପରେ ଏବେ ପୁଣିଥରେ ପ୍ରଶାସନିକ ସ୍ତରରେ ବଦଳି କସରତ ଆରମ୍ଭ ହୋଇଛି । ବିଶେଷକରି ବିଧାନସଭା କ୍ଷେତ୍ର ବାହାରକୁ ଯାଇଥିବା କର୍ମଚାରୀମାନଙ୍କ ସଂସଦୀୟ କ୍ଷେତ୍ର ବାହାକୁ ବିଦା କରିବାପାଇଁ ଲମ୍ବା ତାଲିକା ପ୍ରସ୍ତୁତ ହେଉଛି । ତେବେ ଏଭଳି ଅଚାନକ ବଦଳି ଏବେ ଅନେକ କର୍ମଚାରୀ ଓ ଅଧିକାରୀଙ୍କୁ ସମସ୍ୟାରେ ପକାଇଛି ।

ବିଶେଷକରି ବର୍ତ୍ତମାନ ପରୀକ୍ଷା ଋତୁ ଓ ଆଗକୁ ନାମଲେଖା ଋତୁ ଆସୁଥିବାରୁ କର୍ମଚାରାମାନଙ୍କର ଏଭଳି ଦୂର ଦୂରାନ୍ତକୁ ବଦଳି ସମସ୍ୟା ପାଲଟିଛି । କାରଣ ସପ୍ତାହକ ମଧ୍ୟରେ ଅନେକ କର୍ମଚାରୀ ଓ ଅଧିକାରୀ ଲୋକସଭା ନିର୍ବାଚନମଣ୍ଡଳୀ ବାହାକୁ ବିଦା ହେବେ । ନିର୍ବାଚନ ପ୍ରକ୍ରିୟା ସରିଲାପରେ ଅବଶ୍ୟ ସେମାନେ ଫେରିବାର ସମ୍ଭାବନା ରହିଛି । ଏହା ହେଲା ବେଳକୁ ଅତି କମ୍‍ରେ ଜୁନ୍‍ ମଧ୍ୟଭାଗ ହୋଇଯିବ ।

ବର୍ତ୍ତମାନ ମାଟ୍ରିକ, ଯୁକ୍ତ ଦୁଇ ସମେତ ସିବିଏସ୍‍ଇ ବୋର୍ଡର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଅଭିଭାବକମାନେ ସେଥିରେ ବ୍ୟସ୍ତ ଅଛନ୍ତି । ଏଭଳି ସମୟରେ ସରକାରୀ ଚାକିରି କରିଥିବା ଅଭିଭାବକମାନେ ବଦଳି ଆଦେଶ ପାଇବା ଯୋଗୁଁ ଚିନ୍ତାରେ ପଡି ଯାଇଛନ୍ତି । ଏପରିକି ଅନେକଙ୍କୁ ପରୀକ୍ଷା ମଝିରୁ ପିଲାଙ୍କୁ ଛାଡି ବାହାରକୁ ଯିବାକୁ ପଡିବ ।

ଉଲ୍ଲେଖନୀୟ ଯେ ପୂର୍ବରୁ ର୍ନିବାଚନ କାର୍ଯ୍ୟ ସହିତ କର୍ମଚାରୀ ଓ ଅଧିକାରୀ ଯେଉଁମାନେ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ ସେମାନଙ୍କୁ ନିର୍ବାଚନ କମିଶନଙ୍କ ନିୟମ ମୁତାବକ ବିଧାନସଭା ନିର୍ବାଚନମଣ୍ଡଳୀ ବାହାକୁ ବଦଳି କରାଯାଉଥିଲା । ସେହିଭଳି ଯେଉଁମାନେ ନିଜ ନିଜ ଗୃହ ଜିଲ୍ଲାରେ ଥିଲେ ସେମାନେ ବି ବିଧାନସଭା କ୍ଷେତ୍ର ବାହାରକୁ ଏପରିକି ଜିଲ୍ଲା ବାହାରକୁ ଯାଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ନିକଟରେ ଏକାଧିକ ବଦଳି ତାଲିକା ପ୍ରକାଶ କରିଥିଲେ ।

ଏବେ ନିର୍ବାଚନ କମିଶନ ଏଭଳି ବଦଳି ବିଧାନସଭା କ୍ଷେତ୍ର ବଦଳରେ ସଂସଦୀୟ କ୍ଷେତ୍ର ଧାର୍ଯ୍ୟ କରିବାପରେ ଏବେ ପ୍ରଶାସନ ମୁଣ୍ଡରେ ଏକ ପ୍ରକାର ଚଡକ ପଡିଛି । ଗୋଟିଏ ପଟେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଅନ୍ୟପଟେ ଏବେ ବଦଳି ତାଲିକା ପ୍ରସ୍ତୁତି ନେଇ ଅଧିକାରୀମାନେ ନାକେଦମ ହେଉଛନ୍ତି । ତେବେ ନୂଆ ନିୟମ ବଦଳି ଲାଗୁ ହେବାପରେ ଗୋଟିଏ ଗୋଟିଏ ଜିଲ୍ଲାରେ ଏପଟି ସେପଟ ହେଉଥିବା ଅନେକ ଅଧିକାରୀ ଏବେ ଜିଲ୍ଲା ବାହାରକୁ ନଚେତ ଦୂର ଦୂରାନ୍ତକୁ ବଦଳି ହେବାରେ ଲାଗିଛନ୍ତି । (ତଥ୍ୟ)