ଭୁବନେଶ୍ୱର : ନିକଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପୁଣି ବିଜୟ ହାସଲ କରି ବିଜେଡି ଓଡ଼ିଶାରେ ଷଷ୍ଠଥର ସରକାର ଗଢିବ ଓ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ବିଜେପି ଓ କଂଗ୍ରେସ ଜିଣିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେଥିଘେନି କିନ୍ତୁ ଏଯାବତ୍ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।
ବିଭିନ୍ନ ସର୍ଭେକୁ ଆଧାର କରି ବିଜେଡି ପକ୍ଷରୁ କୁହାଯାଉଛି ଯେ ଏହି ଦଳ ଏଥର ୨୦ଟି ଲୋକସଭା ଆସନ ସହିତ ଅତିକମ୍ରେ ୧୨୬ଟି ବିଧାନସଭା ଆସନ ଦଖଲ କରିବ ଏବଂ ସ୍ୱୀକୃତିପ୍ରାପ୍ତ ବିରୋଧି ଦଳ ହେବାପାଇଁ ଅନ୍ୟ କୌଣସି ଦଳ ହାତରେ ଆବଶ୍ୟକ ପରିମାଣର ସଂଖ୍ୟା ରହିବ ନାହିଁ । ୨୦୦୦ ମସିହାରୁ ଏଯାବତ୍ ଲଗାତର ଭାବେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ନିକଟରେ ଉପସ୍ଥାପିତ କରି ତାଙ୍କ ନେତୃତ୍ୱରେ ବିଜେଡି ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ।
ବିଜେଡିକୁ ଓଡ଼ିଶାରେ ଦୁଇଟି ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଟକ୍କର ଦେଉଛନ୍ତି । ଏବେ ବିଧାନସଭାରେ କଂଗ୍ରେସର ମାତ୍ର ୯ଜଣ ସଦସ୍ୟ ଥିବାବେଳେ ଏଥର ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୯ରୁ ୯୦କୁ ବୃଦ୍ଧି ପାଇ କଂଗ୍ରେସ ରାଜ୍ୟରେ ସରକାର ଗଢିବ ବୋଲି କଂଗ୍ରେସ ପକ୍ଷରୁ ବାରମ୍ବାର କୁହାଯାଉଛି । ତେବେ କଂଗ୍ରେସ ଶାସନ କ୍ଷମତାକୁ ଫେରିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ଓ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ଆଗରେ ଉପସ୍ଥାପନ କରି ଦଳ ନିର୍ବାଚନ ଲଢିବ ସେ ସଂକ୍ରାନ୍ତରେ କିନ୍ତୁ କେହି କିଛି କହୁନାହାନ୍ତି ।
ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେହି ଦଳର ବିଧାୟକମାନଙ୍କ ନେତାକୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ । ତେଣୁ ନିର୍ବାଚନ ପରେ ଯଦି କଂଗ୍ରେସ ଅଧିକ ଆସନ ପାଇଲା ତେବେ ସେତେବେଳେ ଦଳର ହାଇକମାଣ୍ଡଙ୍କ ସ୍ୱୀକୃତି କ୍ରମେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ଏଠାରେ ଉଲ୍ଲେଖନୀୟ ଯେ ସ୍ୱାଧୀନତା ପ୍ରାପ୍ତି ପରଠାରୁ ୨୦୦୦ ବିଜେଡି ସରକାର ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେମାନଙ୍କ ଭିତରୁ କେବଳ ଏକମାତ୍ର ଗିରିଧର ଗମାଙ୍ଗ ଅଛନ୍ତି ଓ ସେ ଇତିମଧ୍ୟରେ କଂଗ୍ରେସରୁ ବିଜେପିକୁ ଆସି ପୁଣି କଂଗ୍ରେସକୁ ଘରବାହୁଡା କରିଛନ୍ତି ।
୨୦୦୯ରୁ ଏଯାବତ୍ ପ୍ରତିଟି ନିର୍ବାଚନରେ ବିଜେପି ସରକାର ଗଠନ କରିବ ବୋଲି କହିଆସୁଛି । ଏମିତିକି ୨୦୧୯ର ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ରୁ ଅଧିକ ଆସନ ପାଇବ ବୋଲି ଲକ୍ଷ୍ୟ ରଖିଥିବାବେଳେ ୨୩ଟି ଆସନ କିନ୍ତୁ ପାଇଥିଲା । ଏଥର ବି ବିଜେପି ୨୦୨୪ ପାଇଁ ୧୨୦ ପ୍ଲସ୍ ସ୍ଲୋଗାନ୍ ଦେଉଛି । ଏଥିସହିତ ୧୮ଟି ଲୋକସଭା ଆସନରେ ଜିଣିବ ବୋଲି ସର୍ଭେ ଆଧାରରେ ଦଳ କହୁଛି । ଯଦି ବିଜେପି ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ବୋଲି ଉଠୁଥିବା ପ୍ରଶ୍ନରେ ଦଳୀୟ ନେତାମାନେ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବାପାଇଁ ବିଜେପିରେ ବହୁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ।
ଚଳିତ ବିଧାନସଭା ଓ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ମାସରେ ଶେଷ ହେବ । ଏହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସମଗ୍ର ଦେଶରେ ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବି ବିଧାନସଭା ଲାଗି ନିର୍ବାଚନ ହେବାର ଅଛି । ଯେ କୌଣସି ସମୟରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି । ଏ ପରିପ୍ରେକ୍ଷୀରେ ବିଜେଡିର କେବଳ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିବାବେଳେ କଂଗ୍ରେସ ଓ ବିଜେପି କିନ୍ତୁ ନିଜ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଏଯାବତ୍ ଘୋଷଣା କରିନାହିଁ । (ତଥ୍ୟ)