Home General ଇଲେକଟ୍ରିକ ଯାନ ବିକ୍ରି ୫୦ ପ୍ରତିଶତ ବୃଦ୍ଧି

ଇଲେକଟ୍ରିକ ଯାନ ବିକ୍ରି ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର : ଦେଶରେ ଇଲେକଟ୍ରିକ ଯାନର ବିକ୍ରି ହୁ ହୁ ହୋଇ ବଢୁଛି । ଗୋଟିଏ ବର୍ଷରେ ମୋଟ୍‍ ଇଭି ବିକ୍ରିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ବାଣିଜ୍ୟିକ ଯାନ ବିକ୍ରି ହାର ଶତ ପ୍ରତିଶତରୁ ଅଧିକ ରହିଛି । ତେବେ ସମସ୍ତ ଯାନ ମଧ୍ୟରେ ଦୁଇ ଚକିଆ ଇଭିର ସଂଖ୍ୟା ସର୍ବାଧିକ ଅଛି ।

୨୦୨୨ ମସିହାରେ ସମଗ୍ର ଦେଶରେ ୧୦,୨୫,୦୬୩ ଟି ଇଲେକଟ୍ରିକ ଯାନ ବିକ୍ରି ହୋଇଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୬,୩୧,୪୬୪ଟି ଦୁଇ ଚକିଆ ଯାନ ରହିଥିଲା । ସେହିଭଳି ୩,୫୨,୭୧୦ ଟି ତିିନି ଚକିଆ ଯାନ ଥିବାବେଳେ ୩୮,୨୪୦ଟି ଯାତ୍ରୀବାହୀ ଓ ୨୬୪୯ଟି ବ୍ୟବସାୟିକ ଯାନ ବିକ୍ରି ହୋଇଥିଲା । କିନ୍ତୁ ୨୦୨୩ ରେ ଇଭି ବିକ୍ରି ସଂଖ୍ୟାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୩ ମସିହାରେ ଦେଶରେମୋଟ୍‍ ୧୫,୨୯,୯୪୭ଟି ଇଲେକଟ୍ରିକ ଯାନ ବିକ୍ରି ହୋଇଥିବାବେଳେ ଯାତ୍ରୀ ପରିବହନ କରୁଥିବା ଯାନ ସଂଖ୍ୟାରେ ପାଖାପାଖି ୧୧୫ ପ୍ରତିଶତ ବୃଦ୍ଧି ପାଇଛି । ଏହିବର୍ଷ ୮୨ ହଜାରରୁ ଅଧିକ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିବାବେଳେ ବାଣିଜ୍ୟିକ ଯାନ ସଂଖ୍ୟାରେ ବି ୧୧୪ ପ୍ରତିଶତରୁ ଅଧିକ ବିକ୍ରି ହୋଇଛି । ସେହିଭଳି ୩ ଚକିଆ ଯାନ ବିକ୍ରିରେ ୬୫ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଦୁଇ ଚକିଆ ଯାନ ବିକ୍ରିରେ ୩୬ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଦେଶରେ ହାଇବ୍ରିଡ ଇଲେକଟ୍ରିକ ଯାନ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯ ମସିହାରେ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ବର୍ତ୍ତମାନ ଇଲେକଟ୍ରିକ ଯାନ ଉପରେ ଜିଏସ୍‍ଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିବାବେଳେ ରାଜ୍ୟ ସରକାରମାନେ ଇଭି ଉପରୁ ପଞ୍ଜିକରଣ ଓ ସଡକ ଟିକସ ଛାଡ କରିଛନ୍ତି । ଏଥି ସହିତ ଏହି ଯାନ କିଣୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ରାଜ୍ୟରେ ପ୍ରୋତ୍ସାହନ ରାଶି ବାବଦରେ ଭିନ୍ନ ଭିନ୍ନ ପରିମାଣର ଅର୍ଥ ପ୍ରଦାନ କରାଯାଉଛି । ଫେମ୍‍-୨ ରେ ଇଭି ନିର୍ମାତାମାନଙ୍କୁ ସବସିଡ୍‍ ବାବଦରେ ଇତି ମଧ୍ୟରେ ୫୭୯୦ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି । ସେମାନେ ମୋଟ୍‍ ୧୩,୪୧,୪୫୯ଟି ଇଭି ବିକ୍ରି ବାବଦକୁ ଏହି ଅର୍ଥ ଚଳିତବର୍ଷ ଜାନୁଆରୀ ଶେଷସୁଦ୍ଧା ନେଇଛନ୍ତି ।

ସେହିଭଳି ଇଲେକଟ୍ରିକ ଯାନ ଚାର୍ଜିଂ ପାଇଁ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୮୭୭ଟି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଥିବାବେଳେ ଏଥିରୁ ୧୪୮ଟି ନିର୍ମାଣ ସରିଲାଣି । ସେହିଭଳି ତୈଳ କମ୍ପାନୀମାନେ ଦେଶର ବିଭିନ୍ନ ରାଜ୍ୟରେ ୭୪୩୨ଟି ସର୍ବସାଧାରଣ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ଭାରି ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ତୈଳ କମ୍ପାନୀଗୁଡିକୁ ୮୦୦ କୋଟି ଟଙ୍କାର ସବସିଡ୍‍ ପ୍ରଦାନ କରାଯାଇଛି । (ତଥ୍ୟ)