ଭୁବନେଶ୍ୱର : ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ହାତରୁ ସାର୍ଟିଫିକେଟ ପାଇବାପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବାବେଳେ ଶିକ୍ଷକ ଅଭାବରୁ ପାଠପଢା ଓ ଗବେଷଣା କାର୍ଯ୍ୟ ଯେଭଳି ଏଠାରେ ବ୍ୟାହତ ହେଉଛି ସେଥିଘେନି ବହୁ ଛାତ୍ରଛାତ୍ରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ଆସନ୍ତା ସପ୍ତାହରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡିଗ୍ରୀ ସାର୍ଟିଫିକେଟ ବଣ୍ଟନ କରିବେ । ଏଥିଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୂର୍ବରୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ପ୍ରଦାନ ସମୟରେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ହେବାରୁ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ଏହାକୁ ଆଖିଆଗରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଏହାଛଡା ରାଷ୍ଟ୍ରପତିଙ୍କ ଏହି ଗସ୍ତକ୍ରମ ଯେଭଳି ସୁରୁଖୁରୁରେ ସମ୍ପନ୍ନ ହୁଏ ତାହାକୁ ଆଖିଆଗରେ ରଖି ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜି, ପୁଲିସ୍ କମିଶନର ଆଦି ମଧ୍ୟ ସତର୍କ ଦୃଷ୍ଟି ରଖିଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କହୁଛନ୍ତି ଯେ ଏଠାରେ ଶିକ୍ଷାଦାନ ଓ ଗବେଷଣା ପାଇଁ ୨୪୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ବାସ୍ତବରେ କିନ୍ତୁ ଆହୁରି ଅଧିକ ନୂଆ ପଦବୀ ସୃଷ୍ଟିର ଆବଶ୍ୟକତା ରହିଛି । ତେବେ ନୂଆ ପଦବୀ ସୃଷ୍ଟି ତ ଦୂରରକଥା ଏବେ ଏଠାରେ ପାଖାପାଖି ଅଧା ପଦବୀ ଖାଲି ପଡିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ ଆଦି ବିଭାଗ ଲାଗି ୪୬ଟି ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୩୫ଟି ଦୀର୍ଘବର୍ଷ ଧରି ଖାଲିପଡିଛି । ସେହିପରି ଉକ୍ତ ବିଶ୍ୱବିଦ୍ୟାଳୟର ୭୫ଟି ମଞ୍ଜୁରୀପ୍ରାପ୍ତ ସହଯୋଗ ପ୍ରଫେସର ପଦବୀରୁ ବି ୪୧ଟି ଖାଲି । ୧୨୩ଟି ସହକାରୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ବି ୪୩ଟି ଖାଲିପଡିଛି ।
ପଦୋନ୍ନତି ଦିଆଯାଇ ପ୍ରଫେସର ପଦବୀଗୁଡିକ ପୂରଣ କରାଯାଉନଥିବାରୁ ବହୁ ବିଭାଗ ବସ୍ତୁତଃ ମୁରବୀ ଶୂନ୍ୟ ଭଳି ରହିଛି । କେବଳ ସେତିକି ନୁହେଁ, ବର୍ଷ ବର୍ଷ ଧରି ପଦୋନ୍ନତି ନପାଇ ମୂଳ ପଦବୀରେ ଅବସର ଗ୍ରହଣ କରୁଥିବାରୁ ଶିକ୍ଷକମାନଙ୍କର ଆଗ୍ରହ ମଧ୍ୟ କମିଯାଉଛି ।
ରାଜ୍ୟର ପ୍ରଥମ ଓ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାକ୍ ସ୍ୱାଧୀନତା କାଳରେ ୧୯୪୩ ମସିହାରେ ଆରମ୍ଭ ହୋଇଥିଲା । ଏଠାରେ ଶିକ୍ଷକଙ୍କ ଉତ୍କଟ ମରୁଡି ଅବସ୍ଥା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ସଚେତନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏକଦା ଉତ୍କଳ ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଛାତ୍ରନେତା ଥିଲେ । ପୂର୍ବତନ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ର୍ନିବାଚିତ ସଭାପତି ଥିଲେ ।
୮୦ବର୍ଷର ପୁରୁଣା ଏହି ବିଶ୍ୱବିଦ୍ୟାଳୟରେ ପ୍ରାୟ ୩୦ବର୍ଷ ଧରି ଶିକ୍ଷକ ଓ କର୍ମଚାରୀ ଅଭାବ ସମସ୍ୟା ଲାଗି ରହିଛି । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ୍ର ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟ ହାତରୁ ଶିକ୍ଷକ ଚୟନ କ୍ଷମତା କାଢିନେଇ ଓଡିଶା ଲୋକସେବା ଆୟୋଗ ହାତରେ ନ୍ୟସ୍ତ କରିବାପରେ ଏଥିଘେନି ମାମଲା ସୁପ୍ରିମକୋର୍ଟରେ ଗଡୁଛି । କେନ୍ଦ୍ର ସରକାରଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ରୁଜୁ କରିଥିବା ମାମଲାରେ ଜାରି ଥିବା ରହିତାଦେଶ ଯୋଗୁଁ ନୂଆ ନିଯୁକ୍ତି ଦିଆଯାଇ ପାରୁନାହିଁ । ଏ ପ୍ରସଙ୍ଗରେ ନିଜେ ରାଷ୍ଟ୍ରପତି ହସ୍ତକ୍ଷେପ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଖାଲି ପଡିଥିବା ନିୟମିତ ଶିକ୍ଷକ ପଦବୀଗୁଡିକ ପୂରଣ ଦିଗରେ ଧ୍ୟାନ ଦେବାପାଇଁ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)