Home General ଦୁଇ ମହାନଗର ନିଗମରେ ନିର୍ବାଚନ କେବେ ?

ଦୁଇ ମହାନଗର ନିଗମରେ ନିର୍ବାଚନ କେବେ ?

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢି ଚାଲିଥିବାବେଳେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଲୋକେ କିନ୍ତୁ ସେମାନଙ୍କ ନିଗମର ନିର୍ବାଚନ କେବେ ହେବ ସେଥିଘେନି ରାଜନେତାମାନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ।

ପ୍ରାୟ ୧୦ବର୍ଷ ଧରି ରାଉରକେଲା ଓ ସମ୍ବଲପୁରର ପୌରସଂସ୍ଥା ଲାଗି ଆଉ ନିର୍ବାଚନ ହୋଇନାହିଁ । ୨୦୧୪ ମସିହାରେ ରାଜ୍ୟ ସରକାର ସମ୍ବଲପୁର ଓ ରାଉରକେଲାକୁ ନୂଆ ମହାନଗର ନିଗମ ଭାବେ ଘୋଷଣା କରିଥିଲେ । ତେବେ ଅଦାଲତି ମାମଲା ଯୋଗୁଁ ମହାନଗର ନିଗମ ଘୋଷଣା ହେବା ପରଠାରୁ ଏଯାବତ୍‍ ଏଠାରେ ନିର୍ବାଚନ ହୋଇନାହିଁ ।

ଭୁବନେଶ୍ୱର ଓ କଟକ ମହାନଗର ନିଗମ ପରେ ବ୍ରହ୍ମପୁରକୁ ମହାନଗର ନିଗମ ମାନ୍ୟତା ଦିଆଯାଇଥିଲା । ଏହି ତିନି ମହାନଗର ନିଗମରେ ନିୟମିତ ବ୍ୟବଧାନରେ ମେୟର, ଡେପୁଟୀ ମେୟର ଓ କର୍ପୋରେଟର ନିର୍ବାଚନ ହେଉଥିବାବେଳେ ରାଉରକେଲା ଓ ସମ୍ବଲପୁରରେ କିନ୍ତୁ ମେୟର,ଡେପୁଟୀ ମେୟର ଓ କର୍ପୋରେଟର ନାହାନ୍ତି ।

ରାଜ୍ୟ ନିର୍ବାଚନ କମିଶନ ଓ ନଗର ଉନ୍ନୟନ ବିଭାଗ ହାଇକୋର୍ଟ ମାମଲା ଆଳ ଦେଖାଇ ନିର୍ବାଚନ ପ୍ରସଙ୍ଗକୁ ବାରମ୍ବାର ଏଡାଇ ଯାଉଛନ୍ତି । ସେ ଅଞ୍ଚଳର ଲୋକେ ଅଭିଯୋଗ କରୁଛନ୍ତି ଯେ ସମ୍ବଲପୁର ଓ ରାଉରକେଲା ପାଇଁ ମହାନଗର ନିଗମର କମିଶନର ନିଯୁକ୍ତ ହେଉଛନ୍ତି ଏବଂ ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି । ତେବେ ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ସାଧାରଣ ଲୋକେ ସେମାନଙ୍କ ସମସ୍ୟା ଏହି ଦୁଇ ମହାନଗର ନିଗମ ନିକଟରେ ଉଠାଇ ପାରୁନାହାନ୍ତି ।

ଅନ୍ୟ ତିନିଟିଯାକ ମହାନଗର ନିଗମ ଅଞ୍ଚଳରେ କର୍ପୋରେଟରମାନେ ପ୍ରାୟ ସବୁଦିନ ସେମାନଙ୍କ ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟା ପରଖିବା ସହ ନିଜ ନିଜର ୱାର୍ଡ ଅଫିସ ମାଧ୍ୟମରେ ଲୋକଙ୍କ ସମସ୍ୟା ବି ବୁଝୁଛନ୍ତି ଏବଂ ଆବଶ୍ୟକସ୍ଥଳେ ଏ ପ୍ରସଙ୍ଗ କର୍ପୋରେସନ ବୈଠକରେ ଉଠାଉଛନ୍ତି । ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ଅମଲାତାନ୍ତ୍ରିକ ଢାଞ୍ଚାରେ ଲୋକଙ୍କ ସମସ୍ୟା ଶୁଣିବା, ଦେଖିବା ଓ ସମାଧାନ କରିବା କ୍ଷେତ୍ରରେ ସମସ୍ୟା ଲାଗି ରହୁଛି ।

ଦଳମତ ନିର୍ବିଶେଷରେ ଉଭୟ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳର ଲୋକେ କହୁଛନ୍ତି ଯେ ଯେଉଁ ମାମଲାରେ ଏହି ଦୁଇ ମହାନଗର ନିଗମର ନିର୍ବାଚନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ତାହାକୁ ଉଠାଇବା ସହ ମୂଳ ମାମଲା ଫଏସଲା କରିବାଲାଗି ଏହି ଦୁଇ ମହାନଗର ନିଗମ ଏବଂ ବିଶେଷକରି ନଗର ଉନ୍ନୟନ ବିଭାଗ ଗୁରୁତ୍ୱଆରୋପ କରୁନଥିବାରୁ ପ୍ରାୟ ୧୦ବର୍ଷ ଧରି ମାମଲା ଗଡୁଛି ଏବଂ ଏହା କେବେ ଫଏସଲା ହେବ ତାହାର ଉତ୍ତର କୌଣସି ଅଧିକାରୀଙ୍କ ନିକଟରେ ନାହିଁ ।

ଉଭୟ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର ମେୟର, ଡେପୁଟୀ ମେୟର ଓ କର୍ପୋରେଟର ହେବାଲାଗି ବିଭିନ୍ନ ଦଳର ଅନେକ ଆଶାୟୀ ଅଛନ୍ତି । ଏମିତିକି ଇତି ମଧ୍ୟରେ ଅପେକ୍ଷା କରି କରି କେତେକ ଆଶାୟୀଙ୍କ ମୃତ୍ୟୁ ଘଟିଲାଣି ଓ ଆଉ କେତେକ ବୟସାଧିକ୍ୟ କାରଣ ଯୋଗୁଁ ଆଉ ନିର୍ବାଚନ ଲଢିବାପାଇଁ ଆଗ୍ରହୀ ନୁହନ୍ତି । ତେବେ ନୂଆ ଆଶାୟୀଙ୍କ ତାଲିକା କିନ୍ତୁ ଲମ୍ବିବାରେ ଲାଗିଥିଲେ ମଧ୍ୟ ରହିତାଦେଶ ଯୋଗୁଁ ନିର୍ବାଚନ ହୋଇପାରୁ ନାହିଁ । ଯଦି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ମହାନଗର ନିଗମ ପାଇଁ ନିର୍ବାଚିତ ସଂସ୍ଥା ରହୁଛି ତାହେଲେ ରାଉରକେଲା ଓ ସମ୍ବଲପୁରରେ କାହିଁକି ମହାନଗର ନିଗମ ଲାଗି ନିର୍ବାଚିତ ଲୋକପ୍ରତିନିଧି ନରହିବେ ସେ ପ୍ରଶ୍ନ ଉଠାଇବା ସହିତ ଯଦି ସରକାର ନିର୍ବାଚନ କରାଇ ପାରୁନାହାନ୍ତି ତେବେ ମହାନଗର ନିଗମକୁ ଭାଙ୍ଗି ପୁଣି ପୌର ଓ ଏନଏସି ନିର୍ବାଚନ ଏଠାରେ ପୂର୍ବଭଳି କରାଇବାପାଇଁ ଦାବି ଜୋର ଧରୁଛି । (ତଥ୍ୟ)