Home News in Odia ଖରାରେ ସିଝିବେ ନେତା

ଖରାରେ ସିଝିବେ ନେତା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ-ମଇ ମାସରେ ହେବାକୁ ଥିବା ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଖରାରେ ସିଝିବା ଏକ ପ୍ରକାର ନିଶ୍ଚିତ । ଏବେ ଠାରୁ ଯେଭଳି ତାତି ବଢିଲାଣି ଓ ସରକାର ସତର୍କ କରାଇଲେଣି ସେତେବେଳକୁ ବିଭିନ୍ନ ଜିଲ୍ଲାରେ ଅଗ୍ନିବର୍ଷା ଭଳି ସ୍ଥିତି ହେବ ବୋଲି ନେତାମାନେ ଆଶଙ୍କା ପ୍ରକାଶ କଲେଣି ।

ଓଡିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍‍ ୨୪ ତାରିଖରେ ଶେଷ ହେଉଥିବାବେଳେ ଲୋକସଭାର କାର୍ଯ୍ୟକାଳ ଜୁନ୍‍ ୧୬ରେ ଶେଷ ହେଉଛି । ତେଣୁ ରାଜ୍ୟରେ ଉଭୟ ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଛି । ଯଦିଓ ଏଥିପାଇଁ କାର୍ଯ୍ୟସୂଚୀ ଜାରି ହୋଇନାହିଁ, ତଥାପି ଏପ୍ରିଲ-ମଇ ମାସରେ ନିର୍ବାଚନ ପ୍ରଚାର ସହିତ ଭୋଟ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଫେବୃୟାରୀ ମାସରେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ଟପିଥିବାବେଳେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ଚଳିତବର୍ଷ ଖରାଦିନେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ ବି କରୁଛନ୍ତି । ତେଣୁ ତାତିର ଏହି ଧାରା ଜାରି ରହିଲେ ଏପ୍ରିଲ୍‍-ମଇ ବେଳକୁ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି ପଶ୍ଚିମଓଡିଶାରେ ଅଗ୍ନିବର୍ଷା ଭଳି ତାତି ଅନୁଭବ ହେବ । ଉପକୂଳରେ ବି ତାତି କିଛି କମ୍‍ ରହିବ ନାହିଁ ।

ଏଭଳି ସ୍ଥିତିରେ ଡହ ଡହ ଖରାରେ କିଭଳି ନିର୍ବାଚନ ପ୍ରଚାର କରାଯିବ ସେଥିନେଇ ନେତାମାନେ ଏବେ ଠାରୁ ଆଶଙ୍କା ପ୍ରକାଶ କଲେଣି । କାରଣ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସାଧାରଣତଃ ଦିନବେଳା ହିଁ ନିର୍ବାଚନ ପ୍ରଚାର କରିବାକୁ ହେବ । ରାତିରେ ସଭା ସମିତି, ମାଇବ ବଜାଇବା ଉପରେ କଟକଣା ରହିଛି । ତେଣୁ ନିଜ ନିଜର ଚେଲା ଚାମୁଣ୍ଡାଙ୍କୁ ନେଇ ନେତାମାନଙ୍କୁ ଦିନବେଳା ହିଁ ପ୍ରଚାରରେ ସାମିଲ ହେବାକୁ ପଡିବ ।

ଚଳିତବର୍ଷର ନିର୍ବାଚନ ପାଇଁ ରାଜ୍ୟରେ ଏବେ ଠାରୁ ସଭା, ଶୋଭାଯାତ୍ରା ଆଦି ଜୋର ଧରିଲାଣି । ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଏହା ଆହୁରି ସରଗରମ ହେବ । ବିଶେଷକରି ବିଭିନ୍ନ ଦଳର ନେତାମାନେ ଯୁବକ ଯୁବତୀମାନଙ୍କୁ ନେଇ ମୋଟର ସାଇକେଲ ରାଲି ସହିତ ପଦଯାତ୍ରା କରିବାକୁ ବାଧ୍ୟ ହେବେ । ଏହାଛଡା ଘରକୁ ଘର ବୁଲି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ବିଭିନ୍ନ ଦଳ ପକ୍ଷରୁ ନେତା ଓ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିଯୋଗିତା ଜୋରଦାର ହେବାକୁ ଥିବାବେଳେ ପ୍ରଚାର ବି ସେହି ଅନୁଯାୟୀ ହେବାନେଇ ଆକଳନ କରାଯାଉଛି । ନେତାମାନେ ଖରାକୁ ଖାତିର ନକରି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବାଧ୍ୟହେବେ । କର୍ମୀମାନେ ବି ଏଥିରେ ସାମିଲ ହେବେ । ତେଣୁ ଅଂଶୁଘାତକୁ ଦୃଷ୍ଟିରେ ରଖି ସରକାର କି ପ୍ରକାର ସତର୍କତା ଜାରି କରିବେ ଓ ନିର୍ବାଚନ ପ୍ରଚାର ପାଇଁ ସମୟରେ କିଛି ପରିବର୍ତ୍ତନ କରିବେ କି ନାହିଁ ସେଥିନେଇ ବିଭିନ୍ନ ଦଳର ନେତାମାନେ ଚିନ୍ତାରେ ଅଛନ୍ତି ।

କାରଣ ଅଂଶୁଘାତ ବିପଦକୁ ଦୃଷ୍ଟିରେ ରଖି ଖରାରେ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସରକାର ପରାମର୍ଶ ଦେଇଥାନ୍ତି । ଏପରିକି ଦିନବେଳା ଯାନ ବାହାନ ଚଳାଚଳ ଉପରେ କଟକଣା ଜାରି ସହିତ ସେମାନଙ୍କୁ ପାଇଁ ଅଂଶୁଘାତି ମାର୍ଗଦର୍ଶିକା ଜାରି ହୋଇଥାଏ । ତେବେ ଯେତେ ଯାହା ହେଲେ ବି ଏପ୍ରିଲ୍‍-ମଇ ମାସର ଝାଞ୍ଜିରେ ଅନେକ ନେତାଙ୍କୁ ସିଝିବାକୁ ପଡିବ ବୋଲି ଏବେଠାରୁ ଉଭୟ ନେତା ଓ କର୍ମୀମାନେ ଆଶଙ୍କା ପ୍ରକାଶ କଲେଣି । (ତଥ୍ୟ)