ଭୁବନେଶ୍ୱର : ରାଜ୍ୟ ସରକାର କାଳିଆ ଯୋଜନାର ଅବଧିକୁ ଆଉ ତିନି ବର୍ଷ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କାଳିଆ ଯୋଜନାର ଅବଧି ୨୦୨୪-୨୫ ରୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବବଦରେ ୬୦୨୯.୭୦ କୋଟି ଟଙ୍କା ବ୍ୟୟ ହେବ ଏବଂ ଏହାଦ୍ୱାରା କାଳିଆ ଯୋଜନାର ହିତାଧିକାରୀମାନେ ଉପକୃତ ହେବେ ।
ଏହି ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରବା ତଥା କୃଷକମାନଙ୍କ ଆର୍ଥିକ ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ଥିକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବାପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହାଛଡା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷାର ପ୍ରଗତି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମେନ୍ତ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ ହେବେ ।
ଉଲ୍ଲେଖନୀୟ ଯେ କାଳିଆ ଯୋଜନା ରାଜ୍ୟରେ ୨୦୧୮-୧୯ ମସିହାରୁ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା କୃଷି ବିକାଶକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର କୃଷି ସମୃଦ୍ଧିରେ ବିଶେଷ ସହାୟକ ହୋଇ ପାରୁଛି ।
ପୂର୍ବରୁ ଖରିଫ ଋତୁ ପାଇଁ ଏପ୍ରିଲ୍ ୧ତାରିଖ ଓ ପରବର୍ତ୍ତୀ ସମୟ ତଥା ରବି ଋତୁ ପାଇଁ ସେପ୍ଟେମ୍ବର ୧ତାରିଖ ଓ ପରବର୍ତ୍ତୀ ସମୟରେ କାଳିଆ ସହାୟତା ପ୍ରଦାନ କରାଯାଉଥିଲା ।
ବର୍ତ୍ତମାନ କୃଷକମାନଙ୍କର ସୁବିଧା ଓ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ କୃଷି ଉତ୍ପାଦଗୁଡକର ସହଜ ଲବ୍ଧ ଓ କ୍ରୟ ନିଶ୍ଚିତ କରିବାକୁ ରାଜ୍ୟ ସରକାର କାଳିଆ ସହାୟତା ପୂର୍ବ ପ୍ରକାଶିତ ସମୟ ବ୍ୟତିତ ଯେକୌଣସି ସମୟରେ ଦେଇପାରିବେ । ଏହି ସମୟରେ ଭୂମିହୀନ କୃଷି ପରିବାରକୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ।