Home Agriculture ପାମ୍‍ ଚାଷରେ ଧିରେ ଧିରେ ଆଗଉଛି ଓଡିଶା

ପାମ୍‍ ଚାଷରେ ଧିରେ ଧିରେ ଆଗଉଛି ଓଡିଶା

ଭୁବନେଶ୍ୱର : ଦେଶରେ ପାମ୍‍ ତେଲ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୧ ମସିହାରେ ପାମ୍‍ ତେଲ କମିଶନ ଗଠନ କରାଯିବା ସହିତ ଏହି ଚାଷକୁ ଅଗ୍ରାଧିକାର ଦିଆଯାଉଛି । ତେବେ ପାମ୍‍ ଚାଷପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି ଓଡିଶାରେ ସେ କ୍ଷେତ୍ରରେ ଧିରେ ଧିରେ ଆଗକୁ ବଢୁଛି ।

୨୦୨୧ ମସିହାରେ କମିଶନ ଗଠନ ସହିତ ଏହା ଜରିଆରେ ଅଧିକ ୬.୫୦ ଲକ୍ଷ ହେକ୍ଟରରେ ପାମ୍‍ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥି ମଧ୍ୟରୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ୩.୨୮ ହେକ୍ଟର ଜମିରେ ପାମ୍‍ ଗଛ ଲଗାଇବାକୁ ଲକ୍ଷ୍ୟ ଥିଲା । ଉତ୍ତର-ପୂର୍ବରୁ ଏହି ୧୫ଟି ରାଜ୍ୟ ମଧ୍ୟରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ତାମିଲନାଡୁ, ଗୁଜୁରାଟ, ଗୋଆ, କର୍ଣ୍ଣାଟକ, କେରଳ, ମିଜୋରାମ, ନାଗାଲାଣ୍ଡ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରା ଆଦି ରହିଛନ୍ତି ।

ଏହି ୧୫ଟି ରାଜ୍ୟ ପାଇଁ ୨୦୨୧-୨୨ ବର୍ଷରେ ୨୯,୪୨୨ ହେକ୍ଟର ଜମିରେ ପାମ୍‍ ଗଛ ଲଗାଇବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୨୨,୪୫୮ ହେକ୍ଟରରେ ତାହା ଲାଗିଥିଲା । ତେବେ ସେହିବର୍ଷ ଓଡିଶା ପାଇଁ କୌଣସି ଲକ୍ଷ୍ୟ ନଥିବାବେଳେ ରାଜ୍ୟରେ ୪୭୪ ହେକ୍ଟରେ ପାମ୍‍ ଗଛ ଲାଗିଥିବା ଜଣାଯାଇଛି । ଏହା ପରବର୍ଷ ଅର୍ଥାତ୍‍ ୨୦୨୨-୨୩ ବର୍ଷରେ ଓଡିଶାରେ ୧୫୦୦ ହେକ୍ଟରରେ ପାମ୍‍ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ମାତ୍ର ୪୮୩ ହେକ୍ଟରେ ଏହା ସମ୍ଭବ ହୋଇଥିଲା ।

ତେବେ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୩-୨୪ବର୍ଷରେ ସ୍ଥିତିରେ କିଛିଟା ସୁଧାର ଆସିଛି । ଚଳିତ ବର୍ଷ ୧୧୦୦ ହେକ୍ଟରରେ ପାମ୍‍ ଗଛ ଲଗାଇବାପାଇଁ ଲକ୍ଷ୍ୟ ଥିବାବେଳେ ଜାନୁଆରୀ ଶେଷ ସୁଦ୍ଧା ୫୫୯ ହେକ୍ଟରରେ ଏହା ଲଗାଯାଇ ପାରିଛି । ତେବେ ଚଳିତ ଆର୍ଥିକ ବର୍ଷରେ ଉତ୍ତର ପୂର୍ବର ଏହି ୧୫ଟି ରାଜ୍ୟରେ ୧,୩୭,୯୧୫ ହେକ୍ଟର ଜମିରେ ପାମ୍‍ ଚାଷ ପାଇଁ ଲକ୍ଷ୍ୟ ଥିବାବେଳେ ଜାନୁଆରୀ ଶେଷ ସୁଦ୍ଧା ୩୯ ହଜାର ହେକ୍ଟରରେ ଏହା ସମ୍ଭବ ହୋଇଛି ।

ପାମ୍‍ ଚାଷ କ୍ଷେତ୍ରରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ସବୁଠାରୁ ଆଗରେ ରହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ତେଲେଙ୍ଗାନାରେ ୧୮,୨୪୦ ହେକ୍ଟରେ ପାମ୍‍ ଗଛ ଲାଗିଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୫,୮୫୯ ହେକ୍ଟରର ଏହି ଚାଷ ହୋଇଛି । ତେବେ ଏହି ଦୁଇ ରାଜ୍ୟକୁ ଯଥାକ୍ରମେ ୮୦ ହଜାର ଓ ୨୪ ହଜାର ହେକ୍ଟରର ଲକ୍ଷ୍ୟ ଦିଆଯାଇଛି । ଏହି ସମୟରେ ଅରୁଣାଚଳପ୍ରଦେଶରେ ୧୭୦୦ ହେକ୍ଟର ଜମିରେ ପାମ୍‍ ଚାଷ ହୋଇଥିବା ଜଣାଯାଇଛି ।

ଖାଇବା ତେଲ କ୍ଷେତ୍ରରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବାପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ତୈଳଚାଷ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଥିରେ ଆଗରେ ରହିଛି ପାମ୍‍ ଚାଷ । କାରଣ ପାମ୍‍ ତେଲର ଦର କମ୍‍ ରହୁଥିବାରୁ ଏହାର ବେଶ୍‍ ଚାହିଦା ରହିଛି । ହେଲେ ଆବଶ୍ୟକ ପାମ୍‍ ତେଲର ସିଂହଭାଗ ବିଦେଶରୁ ଆମଦାନୀ ହେଉଥିବାରୁ ଏ ବାବଦରେ ବିପୁଳ ପରିମାଣ ବୈଦେଶିକ ମୁଦ୍ରା ଖର୍ଚ୍ଚ ଖର୍ଚ୍ଚ ହେଉଛି । ତେଣୁ ଭାରତକୁ ପାମ୍‍ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାପାଇଁ ପାମ୍‍ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । (ତଥ୍ୟ)