ଭୁବନେଶ୍ୱର : ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଓଏଏସ୍ ଚାକିରିରୁ ୫ବର୍ଷ ଧରି ବଞ୍ଚିତ ଥିବା ଜଣେ ଭିନ୍ନକ୍ଷମ ଯୋଗ୍ୟ ପ୍ରାର୍ଥୀଙ୍କୁ ୨ମାସ ମଧ୍ୟରେ ନିଯୁକ୍ତି ଦେବାଲାଗି ଓଡିଶା ହାଇକୋର୍ଟଙ୍କ ରାୟ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହୋଇପାରି ନାହିଁ । ବହୁ ବିଳମ୍ବରେ ଏଥିଲାଗି ଫାଇଲ୍ ଚାଷ ଆରମ୍ଭ ହୋଇଥିବାବେଳେ ଏବେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅନମୋଦନ ପ୍ରତୀକ୍ଷାରେ ଥିବା କୁହାଯାଉଛି ।
୨୦୧୭ ବ୍ୟାଚ୍ର ଓଏଏସ୍ ପ୍ରାର୍ଥୀ ଅଣୁଶ୍ରବ ଗନ୍ତାୟତ ଜଣେ ଅଣ ସଂରକ୍ଷିତ ଭିନ୍ନକ୍ଷମ ପ୍ରାର୍ଥୀ । ତେବେ ସେ ଅନେକ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଅପେକ୍ଷା ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ତାଙ୍କ ନାମକୁ କେନ୍ଦ୍ରୀୟ ଆଇନ୍ର ତ୍ରୁଟିପୂର୍ଣ୍ଣ ତର୍ଜମା କରି ଓଡିଶା ଲୋକସେବା ଆୟୋଗ ବାଦ୍ ଦେଇଥିଲା । ସେ ପ୍ରିଲିମିନାରୀ, ଲିଖିତ ଓ ସାକ୍ଷାତକାର ପରୀକ୍ଷାରେ ବେଶ୍ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ସରକାର ଏବଂ ଓଡିଶା ଲୋକସେବା ଆୟୋଗ ସ୍ୱୀକାର କରି ଆସୁଛନ୍ତି । ଏମିତିକି ଏହି ବଞ୍ଚିତ ପ୍ରାର୍ଥୀ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ୧୩୦୨ ଓ ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଇତି ମଧ୍ୟରେ ଏମାନଙ୍କ ମଧ୍ୟରୁ କେତେକ ଚାକିରି ଛାଡି ପଳାଇଥିବାବେଳେ ଆଉ କେତେକ ଚାକିରିରେ ଯୋଗଦେଇନଥିବା କଥା ବିଭାଗୀୟ କର୍ତ୍ତୃପକ୍ଷ ସ୍ୱୀକାର କରିଆସୁଛନ୍ତି ।
ଏମିତିକି ଏହି ବଞ୍ଚିତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନାମ ଅଣସଂରକ୍ଷିତ ଯୋଗ୍ୟ ପ୍ରାର୍ଥୀ ତାଲିକାରେ ଯଥାସ୍ଥାନରେ ସ୍ଥାନିତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାପାଇ ଖୋଦ୍ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରମ୍ବାର ଲୋକସେବା ଆୟୋଗଙ୍କୁ କୁହାଯାଇଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଥିଲା । ଏ ପ୍ରସଙ୍ଗରେ ପୂର୍ବରୁ ଏହି ଯୋଗ୍ୟ ପ୍ରାର୍ଥୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ୟାଟ୍ ମଧ୍ୟ ଏହି ପ୍ରାର୍ଥୀଙ୍କ ନିଯୁକ୍ତି ବ୍ୟାପାର କେନ୍ଦ୍ରୀୟ ଆଇନ୍ ଆଧାରରେ ବିଚାର କରିବାକୁ କହିଥିଲେ । ତେବେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏକ ସଙ୍କଳ୍ପରେ ଥିବା ତ୍ରୁଟିକୁ ଆଳ ଦେଖାଇ ଆୟୋଗ ତାହାକୁ ଏଡାଇ ଯାଇଥିବାବେଳେ ବିଭାଗ କିନ୍ତୁ ଅନ୍ୟଏକ ସଙ୍କଳ୍ପ ଜାରିକରି ତାଙ୍କ ତ୍ରୁଟି ସଂଶୋଧନ କରିଥିଲେ ।
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳର ଏହି ପ୍ରାର୍ଥୀ ଜଣଙ୍କ ବିଭିନ୍ନ ମହଲର ଗୁହାରୀ କରିବାପରେ ଶେଷରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ଅଣୁଶ୍ରବଙ୍କ ପ୍ରତି ଅନ୍ୟାନ୍ୟ କରାଯାଇଥିବା କଥାକୁ ସ୍ୱୀକାର କରାଯିବା ସଂଗେ ସଂଗେ ଏହା ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର ଏବଂ କେନ୍ଦ୍ରୀୟ ଆଇନ୍କୁ ଉଲ୍ଲଙ୍ଘନ କରିଥିବା ଘେନି ସ୍ୱୀକାରୋକ୍ତି ଦିଆଯାଇଥିଲା ।
ମାମଲାଟିର ବ୍ୟାପକ ଶୁଣାଣି ପରେ ଓଡିଶା ହାଇକୋର୍ଟ ଗତ ଡିସେମ୍ବର ୧୯ତାରିଖରେ ବିସ୍ତୃତ ରାୟ ପ୍ରଦାନ କରି ଏହି ବଞ୍ଚିତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ ହୋଇଥିବା ଉଲ୍ଲେଖ କରିବା ସଂଗେ ସଂଗେ ତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରାଯିବା ସମ୍ପୂର୍ଣ୍ଣ ବେଆଇନ୍ ବୋଲି କହିଥିଲେ । ଏଥି ସହ ଦୁଇମାସ ମଧ୍ୟରେଏହି ବଞ୍ଚିତ ପ୍ରାର୍ଥୀଙ୍କୁ ଯୋଗ୍ୟତା ଆଧାରରେ ଦୁଇମାସ ମଧ୍ୟରେ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ଦେବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ବି ଇତି ମଧ୍ୟରେ ଦୁଇ ମାସ ସମୟ ଅତିବାହିତ ହୋଇଗଲାଣି । କିନ୍ତୁ ସରକାରୀ ଫାଇଲ୍ର ମନ୍ଥର ଗତି ଯୋଗୁଁ ଆଇନ୍ ଅଦାଲତର ନିର୍ଦ୍ଦେଶ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏବେ ଏହି ବ୍ୟାପାର ବିଭାଗୀୟ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିବାବେଳେ ସଚିବାଳୟରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ତାହା ସେଠାରେ ଅଟକି ରହିଥିବା ଜଣାଯାଇଛି । (ତଥ୍ୟ)