Home News in Odia ଡିଜିଟାଲ ଟ୍ରାଫିକ କେବେ ?

ଡିଜିଟାଲ ଟ୍ରାଫିକ କେବେ ?

ଭୁବନେଶ୍ୱର : କମିଶନରେଟ ପୁଲିସ୍‍ ଅଞ୍ଚଳରେ ଥିବା ଛକ ଗୁଡିକରେ ଯାନବାହାନ ଚଳାଚଳକୁ ସୁଶୃଙ୍ଖଳିତ କରିବାପାଇଁ ଡିଜିଟାଲ ସିଗ୍ନାଲ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରାଯାଇଥିଲେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନକୁ ଛାଡିଦେଲେ ଆଉ କେଉଁଠି ଏହା କାର୍ଯ୍ୟକାରୀ ହେଉନାହିଁ ।

କଳିଙ୍ଗ ହସ୍ପିଟାଲ ଛକରେ ଡିଜିଟାଲ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିବାରୁ ସେଠାରେ ଟ୍ରାଫିକ ଉଲ୍ଲଙ୍ଘନ ବିଶେଷ ହେଉନାହିଁ ବୋଲି ଉକ୍ତ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ସ୍ୱୀକାର କରୁଛନ୍ତି । ଏହି ଡିଜିଟାଲ ଟ୍ରାଫିକ ସିଗ୍ନାଲ ମାଧ୍ୟମରେ ପୂର୍ବଭଳି ନୀଳ, ହଳଦିଆ ଓ ନାଲି ଲାଇଟ୍‍ ବ୍ୟବସ୍ଥା ରହିବା ସହିତ ଏକ ସ୍ୱତନ୍ତ୍ର ପ୍ୟାନେଲ ବୋର୍ଡରେ ସଂଖ୍ୟା ଦର୍ଶାଯାଉଛି । ଫଳରେ ଏହି ଟ୍ରାଫିକ ଛକରେ ଯାନ ବାହାନ ଅତିକ୍ରମ କରିବାବେଳେ ଚାଳକମାନେ ବିଶେଷ ସତର୍କ ହୋଇ ଶୂନ ଆସିବା ପୂର୍ବରୁ ଅଟକି ରହୁଛନ୍ତି । ଅନ୍ୟ ଛକଗୁଡିକରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଟ୍ରାଫିକ ପୁଲିସ୍‍ମାନଙ୍କ ଉପରେ କାମର ଚାପା କମିବା ସହିତ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।

ଏବେ ଦେଖାଯାଉଛି ଯେ ରାଜଧାନୀର ଅନେକ ଟ୍ରାଫିକ ଛକରେ ପୁରୁଣା ଟ୍ରାଫିକ ଲାଇଟ୍‍ ସବୁ କାମ କରୁନଥିବାରୁ ଟ୍ରାଫିକ ପୁଲିସ୍‍ମାନେ ନାକେଦମ ହୋଇ ହାତ ଦେଖାଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ତେବେ ଟ୍ରାଫିକ ଲାଇଟ୍‍ ସହିତ ଅଭ୍ୟସ୍ତ ଚାଳକମାନେ ବହୁ ଛକରେ ଟ୍ରାଫିକ ପୁଲିସ୍‍ଙ୍କୁ ଠାବ ନକରିପାରିବା ଯୋଗୁଁ ସମସ୍ୟା ଉପୁଜୁଛି । ଏମିତିକି ବ୍ୟସ୍ତବହୁଳ ଏଜି ଛକ ସମେତ ଆଉ କେତେକ ସ୍ଥାନରେ ଟ୍ରାଫିକ ଲାଇଟ୍‍ ଠିକଣା ଭାବେ କାମ କରୁନାହିଁ ।

ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍‍ପୋଷ୍ଟଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ବାବଦରେ ବ୍ୟାପକ ଅର୍ଥ ବ୍ୟୟ ହେଉଛି । ଅଥଚ କଳ୍ପନା, ରବି ଟକିଜ୍‍, ଲକ୍ଷ୍ମୀସାଗର, କନଭେଣ୍ଟ, ରାମମନ୍ଦିର, ସତ୍ୟନଗର, ରୂପାଲି, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର, ପଟିଆ, ଶୈଳଶ୍ରୀବିହାର, ପାୱାରହାଉସ୍‍, ସିଆରପି, ଡିଏଭି, ବରମୁଣ୍ଡା ଛକ, ସିଟିଓମେନ୍ସ କଲେଜ ଛକ, କୃଷି ମହାବିଦ୍ୟାଳୟ, ଗଙ୍ଗନଗର, କ୍ୟାପିଟାଲ ହସ୍ପିଟାଲ, ଏୟାରପୋର୍ଟ, ଫରେଷ୍ଟପାର୍କ, ଶିଶୁଭବନ, ମାଉସୀମା ଛକ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପୋଷ୍ଟରେ ଅଧିକାଂଶ ସମୟ ଟ୍ରାଫିକ ଲାଇଟ୍‍ ଅଚଳ ହୋଇ ରହୁଛି । ଆଉ କେତେକ ସ୍ଥାନରେ ଟ୍ରାଫିକ ଲାଇଟ୍‍ର ତୀବ୍ରତା କମ୍‍ ଥିବାରୁ ଖରାବେଳେ ଏହା ଦେଖାଯାଉନାହିଁ ।

ଟ୍ରାଫିକ ଲାଇଟ୍‍ ଅଧିକାଂଶ ଛକରେ ଅଚଳ ହୋଇ ପଡୁଥିବାରୁ ଯେଉଁଠି ଜଣେ ଦୁଇଜଣ ଟ୍ରାଫିକ କର୍ମଚାରୀରେ କାମ ଚଳିବାକଥା ସେଠାରେ ୭/୮ ଜଣ ପୁଲିସ୍‍ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା ଭଳି ଦେଶର ପ୍ରମୁଖ ମହାନଗରୀଗୁଡିକରେ ୨୪ଘଣ୍ଟିଆ ଟ୍ରାଫିକ ଲାଇଟ୍‍ ସେବାକୁ ସୁନିଶ୍ଚିତ କରାଯାଇ ପାରୁଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱରରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

ଟ୍ରାଫିକ ଲାଇଟ୍‍ରେ ଅଭ୍ୟସ୍ତ ରାଜଧାନୀର ଗାଡିଚାଳକମାନେ ଏଥିଯୋଗୁଁ ଅନେକ ସମୟରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଅନେକ ଛକରେ ଟ୍ରାଫିକ କର୍ମଚାରୀ ନିର୍ଦ୍ଦିଷ୍ଟ ଟ୍ରାଫିକ ପୋଷ୍ଟରେ ଯାନବାହାନ ନିୟନ୍ତ୍ରଣ ନକରି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଛିଡାହୋଇ ହୁଇସିଲ୍‍ ମାରି ହାତ ଦେଖାଇବା ଫଳରେ ଅନିଚ୍ଛାକୃତ ଭାବେ ଅନେକ ଚାଳକ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ କେତେକ କ୍ଷେତ୍ରରେ ମଧ୍ୟ ଟ୍ରାଫିକ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଚାଲୁଥିବା ଅଭିଯୋଗ ହେଉଛି । ତୁରନ୍ତ ଘୋଷଣଶ ମୁତାବକ ରାଜଧାନୀର ସମସ୍ତ ଟ୍ରାଫିକ ଛକରେ ଡିଜିଟାଲ ପ୍ୟାନେଲଯୁକ୍ତ ଟ୍ରାଫିକ ଲାଇଟ୍‍ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)