ଭୁବନେଶ୍ୱର : ଜୈବିକ ଚାଷକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ୨୦୧୫-୧୬ ମସିହାରେ ଦେଶରେ ପମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) କାର୍ଯ୍ୟକାରୀ କରିଥିବାବେଳେ ବର୍ତ୍ତମାନ ଓଡିଶାରେ ୨ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜୈବିକ ଚାଷ ହେଉଛି । ତେବେ ଆନ୍ଧ୍ରପ୍ରଦେଶ ତୁଳନାରେ ଓଡିଶାରେ କମ୍ ପରିମାଣର ଜମିରେ ଜୈବିକ ଚାଷ କରାଯାଉଛି ।
୨୦୧୫-୧୬ ବର୍ଷରେ କେନ୍ଦ୍ର ସରକାର ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରିବା ସହିତ ଜୈବିକ ଚାଷକୁ ପ୍ରୋତ୍ସାହନ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛନ୍ତି । ଏଥି ମଧ୍ୟରେ ଜୈବିକ ସାମଗ୍ରୀ ଉତ୍ପାଦନ, ଏହାର ପ୍ରମାଣିକରଣ ଓ ବଜାର ବ୍ୟବସ୍ଥା ଆଦି ଅର୍ନ୍ତଭୁକ୍ତ । ଜୈବିକ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ସେମାନଙ୍କୁ ତାଲିମ ପ୍ରଦାନ ସହିତ ଉତ୍ପାଦିତ ସାମଗ୍ରୀର ପ୍ୟାକେଜିଂ ଓ ବଜାର ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି । ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୪.୧୩ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବାବେଳେ ଏଥିରେ ୧୬.୧୯ ଲକ୍ଷ ଚାଷୀଙ୍କୁ ଅର୍ନ୍ତଭୁକ୍ତ କରାଯାଇ ପାରିଛି । ଇତି ମଧ୍ୟରେ ୮ଟି ରାଜ୍ୟ ସୋମନଙ୍କ ଉତ୍ପାଦିତ ଜୈବିକ କୃଷିଜାତି ସାମଗ୍ରୀର ନିଜସ୍ୱ ବ୍ରାଣ୍ଡିଂ କରିପାରିଛନ୍ତି ।
ତେବେ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ଜୈବିକ ଚାଷ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ୨,୧୦,୮୭୯ ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ ୨,୩୦୯୧୬ ହେକ୍ଟର ଜମିରେ ଏହା କରାଯାଉଛି । ଛତିଶଗଡରେ ୯୫,୮୯୯ ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବାବେଳେ ଝାଡଖଣ୍ଡରେ ୭୮,୦୫୯ ଏବଂ ପଶ୍ଚିମବଙ୍ଗରେ ଏହି ପରମାଣ ୨୨,୧୯୪ ହେକ୍ଟର ରହିଛି । ତେବେ ଦେଶର ଅଗ୍ରଣୀ ରାଜ୍ୟଗୁଡିକ ଜୈବିକ ଚାଷ କ୍ଷେତ୍ରରେ ଆଗରେ ରହିଛନ୍ତି । ମଧ୍ୟପ୍ରଦେଶରେ ୧୫ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜୈବିକ ଚାଷ ହେଉଥିବାବେଳେ ମହାରାଷ୍ଟ୍ରରେ ଏହା ୧୩ଲକ୍ଷ ହେକ୍ଟରରୁ ଅଧିକ ରହିଛି । ରାଜସ୍ଥାନରେ ଏହା ୬.୭୮ ଲକ୍ଷ ହେକ୍ଟରରୁ ଅଧିକ ଥିବାବେଳେ ଗୁଜୁରାଟରେ ୯ଲକ୍ଷ ହେକ୍ଟରରୁ ଅଧିକ ରହିଛି ।
ସେହିଭଳି ଜୈବିକ ଚାଷକୁ ପ୍ରୋତ୍ସାହନ ଓ ଉତ୍ପାଦିତ କୃଷିଜାତ ସାମଗ୍ରୀର ବିପ୍ପଣନ ପାଇଁ ବିଭିନ୍ନ ରାଜ୍ୟରେ କ୍ଲଷ୍ଟର ନିର୍ମାଣ ହୋଇଛି । ଓଡିଶାରେ ୧୦୪୦ କ୍ଲଷ୍ଟର ସମେତ ସମଗ୍ର ଦେଶରେ ୪୬,୯୨୫ ଟି କ୍ଲଷ୍ଟର ନିର୍ମାଣ କରାଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୮୪୯୯ ଟି କ୍ଲଷ୍ଟର ଥିବାବେଳେ ଉତ୍ତରାଖଣ୍ଡରେ ୭୦୨୭ଟି କ୍ଲଷ୍ଟର ରହିଛି ।
ବର୍ତ୍ତମାନ ଜୈବିକ କୃଷିଜାତ ସାମଗ୍ରୀ ପ୍ରତି ଲୋକଙ୍କର ଆଗ୍ରହ ବଢୁଥିବାବେଳେ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ଏହାର ଚାହିଦା ରହୁଛି । ଫଳରେ ଜୈବିକ ସାମଗ୍ରୀ ପାଇଁ ଅଧିକ ରପ୍ତାନିର ସୁଯୋଗ ରହିଛି । ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)