Home Election ର୍ନିଦ୍ୱନ୍ଦରେ ନିର୍ବାଚିତ ହେଉଥିଲେ ୬୬

ର୍ନିଦ୍ୱନ୍ଦରେ ନିର୍ବାଚିତ ହେଉଥିଲେ ୬୬

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକରୁ ପ୍ରାର୍ଥୀ ହେବାଲାଗି ଶହ ଶହ ଆଶାୟୀ ଥିବାବେଳେ ରାଜ୍ୟ ରାଜଧାନୀରୁ ଗ୍ରାମାଞ୍ଚଳର ବୁଥ୍‍ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ସରଗରମ ରହିଛି । ତେବେ ବର୍ତ୍ତମାନ ପିଢିର ଅଧିକାଂଶ ରାଜନେତା ହୁଏତ ବିଶ୍ୱାସ କରିବେ ନାହିଁ ଯେ ଗୋଟିଏ ସମୟରେ ଓଡ଼ିଶା ବିଧାନସଭାକୁ ପ୍ରାୟ ୬୬ ପ୍ରତିଶତ ଆସନରୁ ଯୋଗ୍ୟ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଉଥିଲେ ବୋଲି ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜ୍ୟ ବିଧାନସଭା ଆରମ୍ଭ ହୋଇଥିଲା କଟକର ରେଭେନ୍ସା କଲେଜ ପରିସରରୁ । ସେତେବେଳେ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଭଳି ୬ଟି ଅବିଭକ୍ତ ଜିଲ୍ଲାକୁ ନେଇ ଓଡ଼ିଶା ପ୍ରଦେଶ ଥିଲା ଏବଂ ସେ ସମୟରେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ଥିଲା ୬୦ । ଏଥିମଧ୍ୟରୁ ଚାରୋଟି ଆସନ ରାଜ୍ୟପାଳଙ୍କ ଦ୍ୱାରା ମନୋନୟନ ଭିତ୍ତିରେ ପୁରଣ କରଯାଉଥିବାବେଳେ ଆଉ ୫୬ଟି ଆସନ ପାଇଁ ନିର୍ବାଚନ ହେଉଥିଲା ।

ନିର୍ବାଚନ ହେଉଥିବା ଆସନ ଗୁଡିକ ଭିତରେ ମୁସଲମାନ, ମହିଳା, ଖ୍ରୀଷ୍ଟିଆନ୍‍, ଶିଳ୍ପଦ୍ୟୋଗୀ ଓ ବ୍ୟବସାୟୀ, ରାଜା- ଜମିଦାର ଓ ଶ୍ରମିକମାନଙ୍କ ପାଇଁ ୧୧ଟି ଆସନ ସଂରକ୍ଷିତ ହୋଇ ରହିଥିଲା । ଏହାଛଡ଼ା ତଫସିଲଭୁକ୍ତ ଜାତିଙ୍କ ଲାଗି ଯୁଗ୍ମ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ପ୍ରତି ସଂରକ୍ଷିତ ଆସନରୁ ଜଣେ ଅଣସଂରକ୍ଷିତ ଓ ଅନ୍ୟଜଣେ ସଂରକ୍ଷିତ ପ୍ରାର୍ଥୀ ନିର୍ବାଚିତ ହେଉଥିଲେ । ୧୯୩୭ର ପ୍ରଥମ ନିର୍ବାଚନରେ ୫୬ରୁ ୪୦ଟି ଆସନରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ଅବଶିଷ୍ଟ ୧୬ଟି ଆସନରେ ପ୍ରାର୍ଥୀମାନେ ବିନା ଲଢେଇରେ ଜିଣିଥିଲେ ।

ତେବେ ‘ଓଡ଼ିଶାରେ ନିର୍ବାଚନ’ର ତଥ୍ୟ ମୁତାବକ ୧୯୪୬ର ଦ୍ୱିତୀୟ ବିଧାନସଭା ନିର୍ବାଚନରେ ପ୍ରାକ୍‍ ସ୍ୱାଧୀନତା କାଳରେ ୫୬ଟି ଆସନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ୩୭ଟିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାବେଳେ ଅବଶିଷ୍ଟ ୧୯ଟି ଆସନରୁ ୧୦ଟିରେ ବି ଜିଣିଥିଲେ । ସ୍ୱାଧୀନତା ପରେ ଓଡ଼ିଶା ବିଧାନସଭା ପାଇଁ ୧୬ଥର ନିର୍ବାଚନ ହୋଇଥିଲେ ବି କୌଣସି ଥର ଏତେ ସଂଖ୍ୟକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇନାହାନ୍ତି ।

ଦେଶର ସମ୍ବିଧାନ ଲାଗୁ ହେବାପରେ ୧୯୫୧-୫୨ ବର୍ଷରେ ବିଧାନସଭା ସହିତ ଲୋକସଭା ପାଇଁ ନିର୍ବାଚନ ହୋଇଥିଲା । ସେତେବେଳେ ବିଧାନସଭାର ଆସନ ସଂଖ୍ୟା ୧୪୦ ଥିବାବେଳେ ଓଡ଼ିଶା ପାଇଁ ଲୋକସଭା ଆସନ ଥିଲା ୧୬ଟି । ଏହି ଆସନ ଗୁଡିକରୁ ଚାରୋଟି ଯୁଗ୍ମ ନିର୍ବାଚନମଣ୍ଡଳୀ ଥିବା ଦୃଷ୍ଟିରୁ ସଂରକ୍ଷିତ ପ୍ରାର୍ଥୀଙ୍କୁ ମିଶାଇ ୨୦ଜଣ ନିର୍ବାଚିତ ହେଉଥିଲେ । ଏହି ପ୍ରଥମ ଲୋକସଭା ନିର୍ବାଚନରେ ରାୟଗଡ଼ା-ଫୁଲବାଣୀ ଆସନରୁ କଂଗ୍ରେସ ପ୍ରାର୍ଥୀ ଟି. ସାଙ୍ଗାନ୍ନା ବି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ଯେଉଁ ରେକର୍ଡ କରିଥିଲେ ତାହା ଏଯାବତ୍‍ କେହି ଭାଙ୍ଗି ନାହାନ୍ତି ।

ସେ ସମୟର ପୁରୁଖା ଭୋଟରଙ୍କ ମଧ୍ୟରୁ କେତେକ କୁହନ୍ତି ଯେ ପ୍ରାକ୍‍ ସ୍ୱାଧୀନତା କାଳରେ ପ୍ରାର୍ଥୀଙ୍କୁ ଚିହ୍ନରେ ଭୋଟ ଦିଆଯାଉନଥିଲା । ବିଭିନ୍ନ ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଭୋଟ ବାକ୍ସ ରଖାଯାଉଥିଲା ଏବଂ ଭୋଟରମାନେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ରଙ୍ଗର ବାକ୍ସରେ ଭୋଟ ଦେଉଥିଲେ । ବର୍ତ୍ତମାନ ଭଳି ସେ ସମୟରେ ଆକର୍ଷଣୀୟ ପ୍ରଚାର ସାମଗ୍ରୀ ନଥିଲା ଏବଂ ପ୍ରାର୍ଥୀ ଓ ରାଜନୈତିକ କର୍ମୀମାନେ ଗାଁ ଗାଁ ପଦଯାତ୍ରାରେ ଯାଇ ଲୋକଙ୍କୁ ଭେଟି ଭୋଟ ସଂକ୍ରାନ୍ତରେ ଆଲୋଚନା କରୁଥିଲେ । ସେ ସମୟରେ ନିର୍ବାଚନ ପାଇଁ ଭୋଟରଙ୍କୁ ଟଙ୍କା କିମ୍ବା ନିଶାପାଣି ବଣ୍ଟା ଯାଉନଥିଲା ।

୧୯୩୭ର ବିଧାନସଭା ନିର୍ବାଚନ ଲାଗି ନିଖିଳ ଭାରତ କଂଗ୍ରେସ କମିଟି ଓଡ଼ିଶାକୁ ମାତ୍ର ୧୦ହଜାର ଟଙ୍କାର ପାଣ୍ଠି ଯୋଗାଇଥିଲା, ଯେଉଁଥିରୁ ପାଖାପାଖି ୩ ହଜାର ଟଙ୍କା ଖର୍ଚ୍ଚ ହୋଇନପାରିବା ଘଟଣାରୁ ନିର୍ବାଚନ ବ୍ୟୟବହୁଳ ନଥିବା ସ୍ପଷ୍ଟ ପ୍ରତୀୟମାନ । ଏଠାରେ ଉଲ୍ଲେଖନୀୟ ଯେ ୧୯୩୭ରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିଜେ ଜବାହାରଲାଲ ନେହେରୁ ଓଡ଼ିଶା ଗସ୍ତରେ ଆସିଥିଲେ । ସରକାରୀ ତଥ୍ୟ ମୁତାବକ ସେ ସମୟରେ ସେମିତି କିଛି ରାଜନୈତିକ ହିଂସାକାଣ୍ଡ ଘଟୁନଥିଲା । ଅବଶ୍ୟ ସମ୍ବିଧାନ ଲାଗିହେବା ପୂର୍ବରୁ ପ୍ରାକ୍‍ ସ୍ୱାଧୀନତା କାଳରେ ହେଉଥିବା ବିଧାନସଭା ନିର୍ବାଚନ ସମୟରେ ସୀମିତ ସଂଖ୍ୟକ ସ୍ୱଚ୍ଛଳ ଲୋକଙ୍କୁ ଭୋଟ ଦାନ ଅଧିକାର ମିଳୁଥିଲା । ୧୯୩୭ରେ ଓଡ଼ିଶାରେ ଭୋଟରଙ୍କ ସଂଖ୍ୟା ୫,୨୦,୫୮୪ଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୩କୋଟି ୨୪ଲକ୍ଷ ହେବ ବୋଲି କୁହାଯାଉଛି । (ତଥ୍ୟ)