ଭୁବନେଶ୍ୱର : ଧାନମଣ୍ଡଳ ଠାରେ ପ୍ରତିଷ୍ଠା କରାଯାଇଥିବା ଓଡିଶାର ଏକମାତ୍ର ଝୋଟ କଳ ଦୀର୍ଘବର୍ଷ ଧରି ବନ୍ଦ ରହିଥିବାବେଳେ ଓଡିଶା ଲୋକଙ୍କ ପାଇଁ ଝୋଟ ତିଆରି ଅଖା ଓ ବ୍ୟାଗ୍ ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଓଡିଶାରେ ଅଖା ଓ ଝୋଟ ବ୍ୟାଗ୍ ବିକି ପଡୋଶୀ ରାଜ୍ୟର ବ୍ୟବସାୟୀମାନେ ଫାଇଦା ଉଠାଉଥିବାବେଳେ ମୁଖ୍ୟତଃ ଓଡିଶା ଚାଷୀଙ୍କ ପଇସା ସେମାନଙ୍କ ପକେଟକୁ ପଳାଉଛି ।
ପ୍ଲାଷ୍ଟିକ ମୁଣିରେ ଚାଉଳ, ଡାଲି, ଚିନି ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରଖିବା ବିପଦଜନକ ବୋଲି ପରିବେଶ ଓ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଏହାଛଡା ପ୍ଲାଷ୍ଟିକ ଅଖାଗୁଡିକ ପରିବେଶ ଅନୁକୂଳ ହୋଇନଥିବାରୁ ଏଗୁଡିକ ମାଟିରେ ମିଶୁନାହିଁ । ଏହାକୁ ନଷ୍ଟ କରିବାଲାଗି ନିଆଁରେ ପୋଡିଲେ ସେଥିରୁ ଯେଉଁ ବିଷାକ୍ତ ଧୂଆଁ ଉଠେ ତାହା ଦ୍ୱାରା କର୍କଟ ସମେତ ବିଭିନ୍ନ ପ୍ରକାରର ଶ୍ୱାସନଳୀ ଓ ଫୁସ୍ଫୁସ୍ ରୋଗ ଇତ୍ୟାଦି ହୋଇଥାଏ ।
ଏବେ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ପାଉଥିବା ପାଖାପାଖି ୯୬ଲକ୍ଷ ପରିବାରକୁ ମାଗଣାରେ ଦୁଇଟି କରି ଅଖା ବ୍ୟାଗ୍ ଦିଆଯାଉଛି । ଏ ବାବଦରେ ରାଜ୍ୟ ସରକାରଙ୍କୁ ୨୭୮ କୋଟି ୬୯ଲକ୍ଷ ଟଙ୍କା ବ୍ୟୟ କରିବାକୁ ହେଉଛି । ଅର୍ଥାତ୍ ବଣ୍ଟା ଯାଉଥିବା ଝୋଟ ବ୍ୟାଗର ହାରାହାରି ମୂଲ୍ୟ ଗୋଟାପ୍ରତି ୧୪୫ ଟଙ୍କା ପଡୁଛି ।
ଧାନମଣ୍ଡଳ ଝୋଟ କଳରୁ କାମଧନ୍ଦା ହରାଇଥିବା କୁଶଳୀ ଶ୍ରମିକମାନେ ଅଭିଯୋଗ କରୁଛନ୍ତି ଯେ ଯଦି ଏହି ଝୋଟକଳ କାର୍ଯ୍ୟକ୍ଷମ ଥାଆନ୍ତା ତେବେ ଏହି ବ୍ୟାଗ୍ର ଉତ୍ପାଦନ ଖର୍ଚ୍ଚ ହାରାହାରି ୬୦ ପ୍ରତିଶତ କମ୍ ରହିଥାନ୍ତା । ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନଙ୍କୁ ଏବେ ଦୁଇଟି କରି ଝୋଟ ବ୍ୟାଗ୍ ମାଗଣାରେ ଦିଆଯାଉଛି ସେଗୁଡିକ ଛିଣ୍ଡିଯିବା ପରେ ପୁଣି ଲୋକେ ଅଧିକ ବ୍ୟାଗ୍ ପାଇଁ ଦାବି କରିବେ । ଏହାଛଡା ଅଟା, ସୁଜି, ମଇଦା, ଚିନି, ଚାଉଳ ଓ ମିଲେଟ ସାମଗ୍ରୀ ପ୍ଲାଷ୍ଟିକ ବ୍ୟାଗରେ ରଖିବା ସ୍ୱାସ୍ଥ୍ୟ ଅନୁକୂଳ ହେଉନଥିବାରୁ ଝୋଟ ବ୍ୟାଗରେ ତାହା ରଖିବାଲାଗି ବାରମ୍ବାର ବିଭିନ୍ନ ସ୍ତରରୁ ସଚେତନତା ବାର୍ତ୍ତା ଦିଆଯାଉଛି । ଏମିତିକି କେନ୍ଦ୍ର ସରକାର ମଧ୍ୟ ଝୋଟ ବ୍ୟାଗ ଉପରେ ଗୁରୁତ୍ୱ ଦେଉଛନ୍ତି ।
ଧାନମଣ୍ଡଳ ଝୋଟ କଳ ବନ୍ଦ କରିଦିଆଯିବା ଫଳରେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ୬ ହଜାର ପରିବାରର ଦାନାପାଣି ଉଜୁଡି ଯାଇଛି । ଏହାଛଡା ଏକଦା ସାରା ଦେଶରେ ଝୋଟ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆମ ରାଜ୍ୟ ଓଡିଶାରେ ଏବେ ଲଳିତା ଚାଷ ବନ୍ଦ ହେବାକୁ ବସିଲାଣି ।
ଲଳିତା ଚାଷ ଯୋଗୁଁ ଜମିର ଉର୍ବରତା ବଢୁଥିଲା ଏବଂ ବିନା ରସାୟନିକ ସାରରେ ଲଳିତା ପରେ ଭଲ ଧାନ ଓ ଅନ୍ୟାନ୍ୟ ଫସଲ ଫଳୁଥିଲା । ଏବେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଆୟୋଜନ କରୁଥିବା କାର୍ଯ୍ୟକ୍ରମଗୁଡିକରେ ଅତିଥିମାନଙ୍କୁ ପ୍ଲାଷ୍ଟିକ ପରିବର୍ତ୍ତେ ଝୋଟ ବ୍ୟାଗ୍ ଦିଆଯାଉଥିବା ଦେଖାଯାଉଛି । ଏମିତିକି କେତେକ କ୍ଷେତ୍ରରେ ଝୋଟ ତିଆରି ଫୋଲ୍ଡର ଫାଇଲ୍ ମଧ୍ୟ ବ୍ୟବହୃତ ହେଉଛି । ଘର ସଜାଇବାପାଇଁ ବି ଝୋଟ ତିଆରି ଉପକରଣର ଚାହିଦା ବଢୁଛି । ଏ ପରିପ୍ରେକ୍ଷୀରେ ଧାନମଣ୍ଡଳ ଝୋଟକଳର ପୁନରୁଦ୍ଧାର ସହିତ ରାଜ୍ୟର ଚାହିଦାକୁ ଆଖିଆଗରେ ରଖି ଅନ୍ତତଃ ପକ୍ଷେ ଆଉ ୫/୬ଟି ଝୋଟକଳ ପ୍ରତିଷ୍ଠା କରିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)