ଭୁବନେଶ୍ୱର : ରାଜଧାନୀରେ ଦୁଇ ଚକିଆ ଯାନରେ କ୍ୟାବ୍ ସେବା ଯୋଗାଉଥିବା ବିଭିନ୍ନ କମ୍ପାନୀ ଦ୍ୱାରା ନିୟୋଜିତ ଚାଳକଙ୍କ ମନମାନି ଯୋଗୁଁ ଲୋକେ ହଟହଟା ହେଉଛନ୍ତି । ଏପରିକି ବିନା ଯାତ୍ରାରେ କିଛି ଯାତ୍ରୀଙ୍କୁ ବି ତଣ୍ଡ ଗଣିବାକୁ ପଡୁଛି ।
ସହରରେ କୌଣସି ସ୍ଥାନରେ ଯିବାପାଇଁ ଦୁଇ ଚକିଆ ଯାନ ବୁକିଂ କଲେ ଗାଡି ଚାଳକ ପ୍ରଥମେ ପଚାରୁଛନ୍ତି ଯେ ଆଜ୍ଞା କେତେ ଟଙ୍କା ହୋଇଛି ? ଯଦିଓ ସମ୍ପୃକ୍ତ କମ୍ପାନୀର ଚାଳକଙ୍କ ନିକଟକୁ ମଧ୍ୟ ଅର୍ଥ ପରିମାଣ ମେସେଜ ଆକାରରେ ଯାଉଛି କିନ୍ତୁ ସେ ପ୍ରଥମେ ବୁକିଂ କରିଥିବା ଲୋକଙ୍କୁ ଏହା ପଚାରୁଛନ୍ତି । ସମୟ ଓ ଦୂରତା ଅନୁଯାୟୀ ଯେତିକି ଅର୍ଥ କମ୍ପାନୀ ଧାର୍ଯ୍ୟ କରୁଛି ସେତିକି ଅର୍ଥରେ ଗାଡି ଚାଳକ ନେବାକୁ ରାଜି ହେଉନାହାନ୍ତି । ବୁକିଂ କରିଥିବା ଲୋକଙ୍କ ନିକଟକୁ ଆସିବା ପରିବର୍ତ୍ତେ ଦୂରରେ ରହି ମୁଲଚାଲ କରୁଛନ୍ତି ।
କମ୍ପାନୀ କର୍ତ୍ତୃପକ୍ଷ ଆପ୍ରେ ଯେତିକି ଅର୍ଥ ଦେବାପାଇଁ ଉଲ୍ଲେଖ କରୁଛନ୍ତି ତାହାଠାରୁ ୧୦/୧୨ ଟଙ୍କା ଅଧିକ ଦେବାକୁ ଚାଳକମାନେ ଜିଦ୍ କରୁଛନ୍ତି । ଏପରିକି କମ୍ପାନୀ କର୍ତ୍ତୃପକ୍ଷ ଅର୍ଥ କମାଇ ଦେଉଥିବାରୁ ଅଧିକ ଅର୍ଥ ନଦେଲେ ଯାଇ ପାରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଉଛନ୍ତି । କଥାବାର୍ତ୍ତା ମଧ୍ୟରେ ଧାର୍ଯ୍ୟ ସମୟ ଗଡିଯାଉଥିଲେ ବି ସମ୍ପୃକ୍ତ ଚାଳକ ଜାଣିଶୁଣି ବୁକିଂ ବାତିଲ କରୁନାହାନ୍ତି କି ଲୋକଙ୍କୁ ନେଉନାହାନ୍ତି ।
ଧାର୍ଯ୍ୟ ସମୟ ପରେ ବୁକିଂ କରିଥିବା ଲୋକଙ୍କ ମୋବାଇଲକୁ ୧୦/୧୫ ଟଙ୍କାର ଜୋରିମାନା ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ କର୍ତ୍ତୃପକ୍ଷ ପଠାଇ ଦେଉଛନ୍ତି । ଯେଉଁମାନେ ସମୟ ଦେଇ କମ୍ପାନୀ ନିକଟରେ ଅନ୍ଲାଇନ୍ରେ ଫେରାଦ ହେଉଛନ୍ତି ସେମାନଙ୍କ ଟଙ୍କା କଟୁଛି, ନହେଲେ ଆଗାମୀ ବୁକିଂରେ ଜୋରିମାନା ଅର୍ଥ ଯୋଡାଯାଇ ଲୋକଙ୍କ ନିକଟରୁ ଆଦାୟ କରାଯାଉଛି ।
ସେହିଭଳି ଅନେକ ଦୁଇ ଚକିଆ କ୍ୟାବ୍ ଚାଳକ ଗ୍ରାହକଙ୍କ ଠାରୁ ଅନ୍ଲାଇନ୍ରେ ଅର୍ଥ ନେବା ପରିବର୍ତ୍ତେ ନଗଦ ଦେବାକୁ ବାଧ୍ୟ କରୁଛନ୍ତି । ଫଳରେ ଯେଉଁମାନଙ୍କ ଅଛିଣ୍ଡା ଅଙ୍କର ଅର୍ଥ ଦେବାର ରହୁଛନ୍ତି ସେମାନଙ୍କ ଠାରୁ ଚାଳକମାନେ ଅଧିକ ଅର୍ଥ ନେଉଛନ୍ତି ।
ବିଭିନ୍ନ କମ୍ପାନୀ ଦୁଇ ଚକିଆ ଯାନ ସେବା ସହିତ ତିନି ଚକିଆ ଓ ଚାରିଚକିଆ ସେବା ଯୋଗାଇ ଦେଉଛନ୍ତି । ତେବେ ତିନି ଚକିଆ ଓ ଚାରିଚକିଆ ବର୍ଗର ବିଭିନ୍ନ ଗାଡି ବୁକିଂ କରୁଥିବା ଲୋକେ ହଇରାଣ ହରକତ ହେଉନଥିବାବେଳେ ଦୁଇ ଚକିଆ ବୁକିଂ କରୁଥିବା ଲୋକେ ଏବେ ରାଜଧାନୀରେ ହୀନସ୍ତା ହେଉଛନ୍ତି । ତେଣୁ ଯେଉଁସବୁ କମ୍ପାନୀ ଏହି ସେବା ଯୋଗାଉଛନ୍ତି ସେମାନେ ନିୟମିତ ଭାବେ ଗ୍ରାହକଙ୍କ ମତାମତ ସଂଗ୍ରହ କରିବା ସହିତ ଅମାନିଆ ଚାଳକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ନହେଲେ ଆର୍ନ୍ତଜାତୀୟ ସ୍ତରର ଏହି କମ୍ପାନୀଗୁଡିକ କେବଳ ବଦନାମ ହେବେ ନାହିଁ ଆଗାମୀ ଦିନରେ ଟଙ୍କା ଗଣ ହଇରାଣ ହରକତ ହେଉଥିବା ଲୋକେ ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବେ ବୋଲି ମତ ଦେଉଛନ୍ତି । (ତଥ୍ୟ)