Home General ମାଗଣା ଚାଉଳ ଅପେକ୍ଷାରେ ୧୫ଲକ୍ଷ

ମାଗଣା ଚାଉଳ ଅପେକ୍ଷାରେ ୧୫ଲକ୍ଷ

ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳର ବ୍ୟବସ୍ଥା ହୋଇଥିବାବେଳେ ଏବେ ବି ଆଉ ପ୍ରାୟ ୧୫ଲକ୍ଷ ଲୋକ ଏଥିରେ ସାମିଲ ହେବାପାଇଁ ଅପେକ୍ଷାରେ ରହିଛନ୍ତି ।

ଗୋଟିଏ ପଟେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୧୧ ପ୍ରତିଶତରେ ପହଞ୍ଚିଛି ବୋଲି କୁହାଯାଉଥିବାବେଳେ ଅନ୍ୟପକ୍ଷରେ ୭୫ ପ୍ରତିଶତରୁ ଅଧିକ ଲୋକ ଖାଦ୍ୟ ଦୃଷ୍ଟିରୁ ଅସୁରକ୍ଷିତ ରହିଥିବା ଏହି ସରକାରୀ ପରିସଂଖ୍ୟାନରୁ ଜଣାପଡୁଛି । ଏଠାରେ ଉଲ୍ଲେଖନୀୟ ଯେ ସାରା ଦେଶରେ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି କୁହାଯାଉଥିବାବେଳେ ପ୍ରାୟ ୫୬ ପ୍ରତିଶତ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ, ଗହମ ଆଦି ପାଉଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଏବେ ଦେଶରେ ପ୍ରାୟ ୮୦କୋଟି ୧୧ଲକ୍ଷ ଲୋକଙ୍କ ପାଇଁ ମୁଣ୍ଡ ପିଛା ମାସିକ ୫କିଲୋ କରି ଚାଉଳ କିମ୍ବା ଗହମ ଯୋଗାଇ ଦିଆଯାଉଛି ଏବଂ ଏହି କାର୍ଯ୍ୟକ୍ରମ ୨୦୨୯ ପର୍ଯ୍ୟନ୍ତ ଚାଲୁରହିବ । ସେତେବେଳେ ଏହି କାର୍ଯ୍ୟକ୍ରମର ବିସ୍ତାର ହେବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।

ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ସାରା ଦେଶରେ ୮୦, ୧୦, ୯୬,୦୦୦ ଲୋକଙ୍କ ପାଇଁ ମାଗଣା ଚାଉଳ ଗହମ ଆଦି ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରେ ଓଡ଼ିଶାର ୩କୋଟି ୨୫ଲକ୍ଷ ୩ହଜାର ଲୋକ ରହିଛନ୍ତି । ତେବେ ମାଗଣା ଚାଉଳ, ଗହମ ପାଇବା କ୍ଷେତ୍ରରେ ଓଡ଼ିଶାଠାରୁ ଆଗରେ ଆଉ ୯ଟି ରାଜ୍ୟ ରହିଛନ୍ତି ।

ଉତ୍ତରପ୍ରଦେଶ ଲାଗି ସର୍ବାଧିକ ୧୪,୯୭,୭୭,୦୦୦ ଲୋକଙ୍କ ପାଇଁ ମାଗଣା ଚାଉଳ, ଗହମ ବ୍ୟବସ୍ଥା ହୋଇଥିବାବେଳେ ବିହାରରେ ୮କୋଟି ୭୧ଲକ୍ଷ, ଗୁଜୁରାଟରେ ୩କୋଟି ୪୪ଲକ୍ଷ, କର୍ଣ୍ଣାଟକରେ ୪କୋଟି ୨ଲକ୍ଷ, ମଧ୍ୟପ୍ରଦେଶରେ ୫କୋଟି ୧୧ଲକ୍ଷ, ମହାରାଷ୍ଟ୍ରରେ ୭କୋଟି, ପଶ୍ଚିମବଙ୍ଗରେ ୬କୋଟି, ତାମିଲନାଡୁରେ ୩କୋଟି ୬୫ଲକ୍ଷ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି । ଅନ୍ୟ ରାଜ୍ୟ ଗୁଡିକରେ ମାଗଣା ଚାଉଳ ଗହମ ପାଉଥିବା ଲୋକଙ୍କ ସଂଖ୍ୟା ଓଡ଼ିଶାଠାରୁ କମ୍‍ ।

ଏହି ଯୋଜନାର ନାମ ପରିବର୍ତ୍ତନ କରାଯାଇ ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରଖାଯାଇଛି । ଅର୍ଥାତ୍‍ ଯେତେଲୋକଙ୍କ ପାଇଁ ମାଗଣା ଚାଉଳ, ଗହମ ଯୋଗାଇ ଦିଆଯାଉଛି ସେମାନେ ଯେ ଗରିବ ଏକଥା ସ୍ୱୀକାର କରାଯାଉଛି । ଦେଶର ଜନସଂଖ୍ୟା ୧୪୩କୋଟି ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ପାଖାପାଖି ୫୬ ପ୍ରତିଶତ ।

ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚଳିତମାସ ୭ ତାରିଖରେ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କେନ୍ଦ୍ର ସରକାର ଆମ ରାଜ୍ୟର ୩,୨୬,୦୧, ୩୪୬ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯,୯୭,୦୫୫ଜଣ ହିତାଧିକାରୀଙ୍କୁ ରାଜ୍ୟ ସରକାର ୨୦୨୩ ଜାନୁୟାରୀ ପହିଲାଠାରୁ ମାଗଣାରେ ରାସନ ଯୋଗାଉଛନ୍ତି ।

ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବାପାଇଁ ଓଡ଼ିଶାରେ ଢେର୍‍ ଅଧିକ ଆବେଦନ ଥିବାବେଳେ କେନ୍ଦ୍ର ସରକାର କୋଟା ବଢାଉ ନଥିବା ଯୋଗୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାରେ ଆଉ ପାଖାପାଖି ୧୦ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟବସ୍ଥା କରିବା ପରେ ବି ଆଉ ପ୍ରାୟ ୧୫ଲକ୍ଷ ଲୋକ ଏଥିରେ ସାମିଲ ହେବାପାଇଁ ପ୍ରତିକ୍ଷାରେ ଅଛନ୍ତି ।

ବିହାର, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଚିମବଙ୍ଗ ଆଦି ରାଜ୍ୟ ପାଇଁ ଢେର୍‍ ଅଧିକ ସଂଖ୍ୟକ ଲୋକଙ୍କ ଲାଗି ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବ୍ୟବସ୍ଥା ଥିବାବେଳେ ଓଡ଼ିଶାର ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଉଛି । (ତଥ୍ୟ)