ଭୁବନେଶ୍ୱର : କମ୍ ପରିମାଣର ବର୍ଷା ଯୋଗୁଁ ଯେଉଁ ଛଅଟି ବ୍ଲକରେ ଭୂତଳ ଜଳସ୍ତର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ସେଥିରୁ ୪ଟି କେନ୍ଦ୍ରାପଡା ଜିଲ୍ଲାରେ ଥିବାବେଳେ ଅନ୍ୟ ଦୁଇଟି ମଧ୍ୟରେ ଜଗତ୍ସିଂହପୁର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କରି ଅଛି ।
ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୩ ମସିହାରେ ଭୂତଳ ଜଳସ୍ତର ନେଇ ହୋଇଥିବା ଆକଳନ ଅନୁଯାୟୀ ୨୯୯ଟି ବ୍ଲକରେ ଭୂତ ଜଳ ସୁରକ୍ଷିତ ରହିଛି । ଅବଶିଷ୍ଟ ୧୫ଟି ବ୍ଲକରେ କମ୍ ପରିମାଣର ବୃଷ୍ଟିପାତ ଯୋଗୁଁ ସେଠାରେ ଭୂତଳ ଜଳସ୍ତର କମି କମି ଯାଉଛି । ଏହି ୧୫ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ଭୂତଳ ଜଳସ୍ତର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି । ଏହିସବୁ ବ୍ଲକଗୁଡିକ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ମାର୍ଶାଘାଇ, ରାଜଗନଗର ଓ ରାଜକନିକା ଥିବାବେଳେ ଭଦକ୍ର ଜିଲ୍ଲାର ଚାନ୍ଦବାଲି ଓ ଜଗତ୍ସିଂହପୁର ଜିଲ୍ଲାର ଏରସମା ବ୍ଲକ ରହିଛି ।
ଅନ୍ୟ ଯେଉଁ ୯ଟି ବ୍ଲକରେ ଭୂତଳ ଜଳସ୍ତର ଖରାପ ସ୍ଥିତିରେ ଅଛି ସେଗୁଡିକ ମଧ୍ୟରେ ତାଳଚେର, ବାଲିଆପାଳ, କୋରେଇ, ଝାରସୁଗୁଡା, ଭୁବନେଶ୍ୱର, ଖୋର୍ଦ୍ଧା, ବୋଲଗଡ, ନୟାଗଡ ଓ ନୂଆପଡା ଆଦି ରହିଛି । ଏହାଛଡା ୨୯୯ଟି ବ୍ଲକ ମଧ୍ୟରୁ ୪୭ଟି ବ୍ଲକରେ ଭୂତଳ ଜଳସ୍ତର ଖରାପ ସ୍ଥିତି ଆଡକୁ ଗତି କରୁଛି ।
ତେବେ ଅଣମୌସୁମୀ ଋତୁରେ ନଦୀରେ ଜଳପ୍ରବାହ ହ୍ରାସ ଯୋଗୁଁ ନଦୀ ତଟବର୍ତ୍ତୀ ଜିଲ୍ଲାରେ ଭୂତଳ ଜଳସ୍ତରର ସ୍ଥିତି ଆକଳନ କରାଯାଇ ନାହିଁ । ବର୍ତ୍ତମାନ ଏ ଦିଗରେ ପଦକ୍ଷେପ ନିଆଯାଉଛି । ତେବେ ବିଶେଷଜ୍ଞମାନଙ୍କ ମତରେ ଶୁଖିଲା ପଡୁଥିବା ଅନେକ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳସ୍ତର ତଳକୁ ତଳକୁ ଯିବାରେ ଲାଗିଛି । ଠିକଣା ଆକଳନ କରାଗଲେ ଅନେକ ସ୍ଥାନରେ ସ୍ଥିତି ଖରାପ ରହିଥିବା ସାମ୍ନାକୁ ଆସିବ ।
ତେଣେ ଦୀର୍ଘ ମିଆଦୀ ସୂତ୍ରରେ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତର ଧାରା ଅନୁଧ୍ୟାନ ଅନୁଯାୟୀ ରାଜ୍ୟରେ ଭୂମି ଠାରୁ ୫ମିଟର ତଳେ ଥିବା ଭୂତଳ ଜଳସ୍ତର ଅଞ୍ଚଳ ତଥା ବିଗତ ୧୦ବର୍ଷରେ ୧୦ସେଣ୍ଟିମିଟରରୁ ଉର୍ଦ୍ଧ ଜଳସ୍ତର ହ୍ରାସ ପାଉଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରାଯାଇ ଭୂତଳଜଳ କୃତ୍ରିମ ଭାବେ ଭରଣା କରାଯିବା ପାଇଁ ୨୦୨୦ ମସିହାରୁ ୫ବର୍ଷ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି ।
ଏହି ଯୋଜନା ଅନୁଯାୟୀ ରାଜ୍ୟର ୧୪ଟି ଜିଲ୍ଲା ଅନୁଗୁଳ ବଲାଙ୍ଗିର, ବରଗଡ, ଢେଙ୍କାନାଳ, ଗଜପତି, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାରେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇ ତଳକୁ ଖସୁଥିବା ଜଳସ୍ତରକୁ ରକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା ।
ଗୋଟିଏ ପଟେ କମ୍ ପରିମାଣର ବର୍ଷା ଓ ଅନ୍ୟପଟେ ଭୁବନେଶ୍ୱର, ଖୋର୍ଦ୍ଧା ଭଳି ସହରାଞ୍ଚଳ ଥିବା ବ୍ଲକଗୁଡିକରେ ମନଇଚ୍ଛା ଭୂତଳ ଜଳ ଶୋଷଣ ଯୋଗୁଁ ଭୂତଳ ଜଳସ୍ତର ଖରାପ ସ୍ଥିତିରେ ରହିଛି । ଏହା ଉପରେ କଟକଣା ଜାରି ନହେଲେ ଏହି ସ୍ଥିତି ଆହୁରି ବିଗିଡିବ ବୋଲି ଆଶଙ୍କା କରାଯାଉଛି । କାରଣ ଏଠାରେ ଗଢି ଉଠୁଥିବା ସଂଖ୍ୟାଧିକ ଆପାର୍ଟମେଣ୍ଟ ଭୂତଳ ଜଳ ଶୋଷୁଥିବାବେଳେ ନିୟମ ଅନୁଯାୟୀ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରୁନାହାନ୍ତି । (ତଥ୍ୟ)