Home News in Odia ଓଡିଶା ପର୍ଯ୍ୟଟନ ପ୍ରତି ବିମୁଖ ପର୍ଯ୍ୟଟକ

ଓଡିଶା ପର୍ଯ୍ୟଟନ ପ୍ରତି ବିମୁଖ ପର୍ଯ୍ୟଟକ

ଭୁବନେଶ୍ୱର : ଓଡିଶାର ପର୍ଯ୍ୟଟନ ସମ୍ଭାର ପ୍ରତି ପର୍ଯ୍ୟଟକ ବିମୁଖ । ସେମାନଙ୍କୁ ଆକୃଷ୍ଟ ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯାଉଥିବାବେଳେ ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ୨୦୧୪ ମସିହାରେ ରାଜ୍ୟରେ ଏକ କୋଟିରୁ ଅଧିକ ପର୍ଯ୍ୟଟକ ଉପସ୍ଥିତି ଦେଖିବାକୁ ମିଳିଥିବାବେଳେ ୨୦୨୨ରେ ତାହା ୮୦ଲକ୍ଷ ତଳକୁ ଖସି ଆସିଛି ।

ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେବା ସହିତ ଓଡିଶାକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ସରକାରୀ ସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ଭିତରେ ଓ ବିଦେଶରେ ଓଡିଶା ପର୍ଯ୍ୟଟନର ଆକର୍ଷଣୀୟ ପ୍ରଚାର ପ୍ରସାର ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା । କାରଣ ଏ ଶିଳ୍ପରେ ପରିବେଶ ପ୍ରତି ବିପଦ ନଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଧିକ ସଂଖ୍ୟାରେ ଲୋକେ କର୍ମସଂସ୍ଥାନ ପାଇଥାନ୍ତି ।

ତେବେ ପରିସଂଖ୍ୟାନକୁ ଜଣାଯାଇଛି ଯେ ୨୦୧୪ ମସିହାରେ ରାଜ୍ୟକୁ ୧,୦୮,୬୨,୦୪୮ ପର୍ଯ୍ୟଟକ ଆସିଥିବା ସରକାରୀ ସ୍ତରରେ ଆକଳନ ହୋଇଥିଲା । ସେହିବର୍ଷ ଓଡିଶାକୁ ୭୧ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇ ୨୦୧୯ରେ ଏହା ୧କୋଟି ୫୪ଲକ୍ଷକୁ ଅତିକ୍ରମ କରିଯାଇଥିଲା । ସେହିବର୍ଷ ରାଜ୍ୟକୁ ୧ଲକ୍ଷ ୧୫ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ତେବେ ଏହାପରେ ସମଗ୍ର ବିଶ୍ୱରେ କରୋନା ପ୍ରାର୍ଦୁଭାବ ପରିଲକ୍ଷିତ ହୋଇଥିଲା । କିନ୍ତୁ କରୋନା ଯିବାପରେ ପର୍ଯ୍ୟଟକମାନେ ଆଉ ଓଡିଶା ମୁହାଁ ହେଉନାହାନ୍ତି । ବିଦେଶୀ ପର୍ଯ୍ୟଟକ ତ ଦୂରରକଥା ଘରୋଇ ପର୍ଯ୍ୟଟକ ମଧ୍ୟ ରାଜ୍ୟର ପର୍ଯ୍ୟଟନକ୍ଷେତ୍ରଗୁଡିକ ପ୍ରତି ମୁହଁ ମୋଡୁଥିବା ଦେଖିବାକୁ ମିଳୁଛି । ୨୦୨୨ ମସିହାରେ ମୋଟ୍‍ ପର୍ଯ୍ୟଟକଙ୍କ ସଂଖ୍ୟା ପାଖାପାଖି ୭୯ ଲକ୍ଷ ରହିଥିବାବେଳେ ଏଥିରେ ବିଦେଶୀଙ୍କ ସଂଖ୍ୟା ମାତ୍ର ୨୨,୧୨୧ ରହିଛି ।

ଓଡିଶାକୁ ପର୍ଯ୍ୟଟକମାନଙ୍କୁ ଟାଣିବାପାଇଁ ବ୍ୟାପକ ପ୍ରଚାର ପ୍ରସାର ସତ୍ୱେ ଉଭୟ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ଏବେ ହୋଟେଲ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଏ କ୍ଷେତ୍ରରେ ପୁଞ୍ଜି ଖଟାଇଥିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ବିଶେଷଜ୍ଞମାନଙ୍କ କହିବାକଥା ଯେ ଆର୍ନ୍ତଜାତୀୟ ବିମାନ ସେବାର ଅଭାବ ସହିତ ରାଜ୍ୟ ଭିତରେ ପର୍ଯ୍ୟାପ୍ତ ବିମାନ ସଂଯୋଗ ବ୍ୟବସ୍ଥା ନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ଓଡିଶାକୁ ଆସିବାକୁ ରାଜି ହେଉନାହାନ୍ତି । ଓଡିଶା ପରିବର୍ତ୍ତେ ସିଧାସଳଖ ଆର୍ନ୍ତଜାତୀୟ ବିମାନ ସଂଯୋଗ ଥିବା ଅନ୍ୟାନ୍ୟ ରାଜ୍ୟକୁ ଯିବାକୁ ସେମାନେ ପସନ୍ଦ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ସହାୟତାରେ ଏବେ ଓଡିଶାରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡକୁ ବିମାନ ଚଳାଚଳ କରୁଥିବାରୁ ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ସେହିଭଳି ଓଡିଶାର ପର୍ଯ୍ୟଟନସ୍ଥଳୀଗୁଡିକରେ ବ୍ୟାପକ ବିକାଶ କରାଯାଉଥିଲେ ମଧ୍ୟ ଏଠାକୁ ଦେଶୀୟ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଉଛି । ଓଡିଶାକୁ ଯେତେ ସଂଖ୍ୟାରେ ଦେଶୀୟ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦିରୁ ଆସୁଥିବାବେଳେ ଅନ୍ୟାନ୍ୟ ରାଜ୍ୟରୁ ପର୍ଯ୍ୟଟକଙ୍କ ଆଗମନ ସେଭଳି ଉତ୍ସାହଜନକ ନୁହେଁ । ମୋଟାମୋଟି ଭାବେ କରୋନା ପୂର୍ବରୁ ଓଡିଶାକୁ ପର୍ଯ୍ୟଟକଙ୍କର ଯେଭଳି ସୁଅ ଛୁଟୁଥିଲା କରୋନା ପରବର୍ତ୍ତୀ ସମୟରେ ପୂର୍ବାବସ୍ଥା ଫେରାଇ ଆଣିବାରେ ଓଡିଶାକୁ ସେଭଳି ସଫଳତା ମିଳିପାରି ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)