Home General ୧୧ଦିନ ଚାଲିବ ଆଦିବାସୀ ମେଳା

୧୧ଦିନ ଚାଲିବ ଆଦିବାସୀ ମେଳା

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୨୬ରୁ ଫେବୃଆରୀ ୫ ଯାଏ ଅନୁଷ୍ଠିତ ହେବାକୁ ଯାଉଛି ବହୁପ୍ରତିକ୍ଷିତ ବାର୍ଷିକ ଆଦିବାସୀ ମେଳା -୨୦୨୪ ।  ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ପାରମ୍ପାରିକ ଆଦିବାସୀ ହାଟ, ଆଦିବାସୀ କଳା ଏବଂ ହସ୍ତଶିଳ୍ପର ଷ୍ଟଲଗୁଡିକ ସାମିଲ ରହିବ । ୨୨ଟି ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୁକ୍ଷ୍ମ ପରିଯୋଜନା କ୍ଷେତ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ଅପରାହ୍ନ ୨.୩୦ରୁ ରାତି ୯ଟା ଯାଏ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।

ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ବାର୍ଷିକ ଆଦିବାସୀ ମେଳା । ଏହା ରାଜ୍ୟ ରାଜଧାନୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆକର୍ଷିତ କରିଥାଏ । ଆଦିବାସୀ ଜୀବନ, ମାନବ ବିଜ୍ଞାନକୁ ପ୍ରଦର୍ଶିତ  କରି କୃଷିଜାତ ଦ୍ରବ୍ୟ, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ଏକ ବଜାର ଯୋଗାଇଥାଏ । ଏହି ମେଳାରେ ସୁନ୍ଦର ଆଦିବାସୀ ନୃତ୍ୟ, ଆଦିବାସୀ ଭାଷାରେ ବହୁଭାଷୀ ନାଟକ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ସାଂସ୍କୃତିକ ସଙ୍ଗଠନ ଏବଂ ଭଜନ ସନ୍ଧ୍ୟା ଭଳି କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥାଏ ।

ଏହି ମେଳାର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ବିଭିନ୍ନ ପ୍ରକାରର ଆଦିବାସୀ ଗାଁ ଓ ହାଟ, ଯାହା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କ ଜୀବନଶୈଳୀ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ ।

ଚଳିତ ବର୍ଷ ଆଦିବାସୀ ହାଟରେ ପ୍ରମୁଖତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡି ଭୁୟାଁ, ଖରିଆ ଏବଂ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଏବଂ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟ ଯୋଗ ଦେବେ ।

ଜାନୁଆରୀ ୨୬ରୁ ଫେବୃଆରୀ ୧ ଯାଏ ୩୯ଟି ସାଂସ୍କୃତିକ ଗୋଷ୍ଠୀ ସୁନ୍ଦର ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଜାନୁଆରୀ ୩୦ରେ ଭଜନ ସନ୍ଧ୍ୟା ଏବଂ ଫେବୃଆରୀ ୨ରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ସାଂସ୍କୃତିକ ସଙ୍ଗଠନର ଏକ ନାଟକ ଆୟୋଜିତ ହେବ। ସେହିଭଳି ଫେବୃଆରୀ ୩ ରୁ ୫ମଧ୍ୟରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଦ୍ବାରା ବହୁଭାଷୀ ନାଟକ ଆୟୋଜିତ ହେବ । ଏହି ମେଳାରେ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଉତ୍ପାଦିତ କଳା ଏବଂ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରାଯିବ ।

ଆଦିବାସୀ ସାମଗ୍ରୀକୁ ଜନସାଧାରଣ ଅଧିକ ସୁବିଧାଜନକ ଭାବରେ କିଣି ପାରିବେ ସେଥିପାଇଁ ଡିଜିଟାଲ ପେମେଣ୍ଟ ବିକଳ୍ପ ମାଧ୍ୟମରେ ନଗଦବିହୀନ କାରବାରର ସୁବିଧା ଉପଲବ୍ଧ କରାହେବ । ପ୍ଲାଷ୍ଟିକ ଏବଂ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ରହିବ ଏବଂ ମେଳା ସମୟରେ ଏହି ସାମଗ୍ରୀର ବ୍ୟବହାର ଦଣ୍ଡନୀୟ ହେବ । ମିଶନ୍ ଶକ୍ତି, ଓରମାସ, ମିଲେଟ୍ ମିଶନ୍, ହସ୍ତଶିଳ୍ପ ଏବଂ ହସ୍ତତନ୍ତ, ଯୋଜନା ଏବଂ ସଂଯୋଜନା, ସୁଚନା ଓ ଜନ ସମ୍ପର୍କ ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଜାତି ଗବେଷଣା ତାଲିମ ସଂସ୍ଥା, ଆଦିବାସୀ ଭାଷା ଏବଂ ସଂସ୍କୃତି ଏକାଡେମୀ, ଆଦିବାସୀ ସଂଗ୍ରହାଳୟ ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ଭଳି ବିଭିନ୍ନ ବିଭାଗ ଏବଂ ସଂଗଠନ ମେଳାରେ ଅଂଶଗ୍ରହଣ କରିବେ ।

ଇତିହାସ କୁହେ ଯେ ଆଦିବାସୀ ମେଳା ବା ୧୩ ଟି ଆଦିମ ଜନଜାତି ସମେତ ଓଡିଶାର ୬୨ଟି ଆଦିବାସୀ ସମ୍ପ୍ରଦାୟର ବାର୍ଷିକ ସଂସ୍କୃତିକ-ତଥା-ବାଣିଜ୍ୟ ମେଳା ୧୯୫୧ମସିହାରେ ପ୍ରଥମେ ଓଡିଶାର ତତକାଳିନ ରାଜଧାନୀ କଟକ ଠାରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ ନୂତନ ରାଜଧାନୀ ଭୁବନେଶ୍ୱରକୁ ଏହା ସ୍ଥାନାନ୍ତରିତ ହୋଇଥିଲା । ଭୁବନେଶ୍ବରର ୟୁନିଟ୍ -୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ୨୦୧୮ରୁ ଭୁବନେଶ୍ବର ୟୁନିଟ ୩ସ୍ଥିତ ଇଡେକା ପ୍ରଦର୍ଶନୀ ପଡିଆକୁ ସ୍ଥାନାନ୍ତରିତ ହୋଇଥିଲା । ଚଳିତ ବର୍ଷ ଏହା ପୁଣି ମୂଳ ସ୍ଥାନକୁ ଫେରି ଆସିଛି। ବିଭାଗ ତରଫରୁ ଆଦିବାସୀ ଭାଷା ଏବଂ ସଂସ୍କୃତି ଏକାଡେମୀ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଥମେ ଏକ ସପ୍ତାହ ଧରି ହୋଇଥିଲା । ୨୦୧୦ ପରେ ଏହାର ଲୋକପ୍ରିୟତା ହେତୁ ଏହି ମେଳାକୁ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ରାଜ୍ୟରେ ଆଦିବାସୀଙ୍କ ବିକାଶ ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି କରିବା ପାଇଁ ଆଦିବାସୀ ମେଳା ଏକ ମଂଚ ଭାବରେ କାର୍ଯ୍ୟ କରିଥାଏ । ଯେଉଁଥିରେ ସେମାନଙ୍କର ମାନବଜନିତ ପରିଚୟ ଏବଂ ସ୍ବତନ୍ତ୍ରତା ବଞ୍ଚାଇ ଆଦିବାସୀ ସମ୍ପ୍ରଦାୟଗୁଡିକ କିପରି ମୁଖ୍ୟ ସ୍ରୋତ ସହିତ ନିଜକୁ ଏକୀଭୂତ କରନ୍ତି ତାହା ଦର୍ଶାଇଥାଏ ।  ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନନ୍ଦରେ ଜୈବିକ ଆଦିବାସୀ ସାମଗ୍ରୀ ଏବଂ ଲଘୁ ଜଙ୍ଗଲ-ଜାତ ସାମଗ୍ରୀ କିଣିଥାନ୍ତି ।