ଭୁବନେଶ୍ୱର : ଓଡିଶାରେ ଏକ ଲକ୍ଷ ଏକର ଅଞ୍ଚଳରେ କଫିଚାଷ ହେବ । ବର୍ତ୍ତମାନ ରାଜ୍ୟରେ ୧୦ହଜାର ଏକରରେ କଫିଚାଷ ହେଉଥିବାବେଳେ ଏହାକୁ ୧୦ଗୁଣ ବୃଦ୍ଧି କରାଯିବା ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ବସିଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ଜେନା କହିଛନ୍ତି ଯେ କଫି ନର୍ସରୀ ପ୍ରସ୍ତୁତିରେ ଏଣିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସାମିଲ କରାଯିବ ଏବଂ ୫୦ହଜାରରୁ ଅଧିକ କୃଷକ ପରିବାର ଏହି ଯୋଜନାରେ ଉପକୃତ ହେବେ ।
ଏହା ମାଧ୍ୟମରେ ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେଥି ମଧ୍ୟରୁ ୫୬୭ କୋଟି ଟଙ୍କା ରାଜ୍ୟ ଯୋଜନା ମାଧ୍ୟମରେ ଏବଂ ୫୭୭ କୋଟି ଟଙ୍କା ଅନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆଗାମୀ ବର୍ଷରେ ଏହି ଯୋଜନାର ଉତ୍ପାଦର ମୂଲ୍ୟବୃଦ୍ଧି ଓ କିଣାବିକା ଦିଗକୁ ମଧ୍ୟ ଅର୍ନ୍ତଭୁକ୍ତ କରାଯିବ ।
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହାର କାର୍ଯ୍ୟକାରିତା ସମୟରେ ଉକ୍ତ ନିର୍ଦ୍ଦେଶାଳୟ କଫିର ଉତ୍ପାଦକତା ବୃଦ୍ଧି, ଗୁଣବତ୍ତା ବୃଦ୍ଧି, ଭିତ୍ତିଭୂମି ନିର୍ମାଣ ଏବଂ ଉତ୍ପାଦକ ବ୍ରାଣ୍ଡର ବିକାଶ ପାଇଁ କଫି ବୋର୍ଡ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂଗଠନର ସହଭାଗିତାରେ କାର୍ଯ୍ୟ କରିବ ।
ପରିବେଶର ହିତସାଧନ ସହିତ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି କଫି ଚାଷ ରାଜ୍ୟର କୃଷକମାନଙ୍କ ମଧ୍ୟରେ ସବୁଠାରୁ ଅର୍ଥକରୀ ଫସଲ ଭାବରେ ଉଭା ହୋଇଛି । ବିଶେଷକରି ଅନୁକୂଳ ଜଳବାୟୁ ଓଡିଶାରେ ବ୍ୟବସାୟିକ ଭିତ୍ତିରେ କଫିଚାଷ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଛି ଏବଂ ଏହା ଆଦିବାସୀ ଅଞ୍ଚଳରେ ପାରମ୍ପରିକ ଫସଲ ପଦ୍ଧତିର ଏକ ଉପଯୁକ୍ତ ବିକଳ୍ପ ଭାବେ କାର୍ଯ୍ୟ କରିବ ।