Home General ରାଜ୍ୟରେ ଥମୁନି ଗଞ୍ଜେଇ କାରବାର

ରାଜ୍ୟରେ ଥମୁନି ଗଞ୍ଜେଇ କାରବାର

ଭୁବନେଶ୍ୱର : ବ୍ୟାପକ ଚୋରା ଗଞ୍ଜେଇ ଧରପଗଡ ସତ୍ୱେ ଓଡିଶାରେ ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା କାରବାର ଥମିବାର ନାଁ ଧରୁନି । ୨୦୨୩ ବର୍ଷରେ ରାଜ୍ୟରେ ପାଖାପାଖି ୧୮୦୦ କୁଇଣ୍ଟାଲ ଚୋରା ଗଞ୍ଜେଇ ଜବତ ହୋଇଥିବାବେଳେ ଆଉ କେତେ ଗଞ୍ଜେଇ ଯେ ରାଜ୍ୟ ବାହାରକୁ ଚାଲାଣ ହୋଇଛି ଓ ରାଜ୍ୟ ଭିତରେ ବିକ୍ରି କରାଯାଇଛି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ କାହାରି ପାଖରେ ନାହିଁ ।

ଗଞ୍ଜେଇ ଚାଷକୁ ଆମ ଦେଶରେ ନିଷିଦ୍ଧ କରାଯାଇଛି । ଗଞ୍ଜେଇ ଚାଷ ସହିତ ଏହାର ପରିବହନ, ବିପ୍ପଣନ, ମହଜୁଦ ଓ ସେବନକୁ ମଧ୍ୟ ଆଇନତଃ ଅପରାଧ ଭାବେ ଗଣାଯାଇଛି । ଏହା ସତ୍ୱେ ବି ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି ଏବଂ ଓଡିଶା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଥିବାରୁ ଅନ୍ୟ ରାଜ୍ୟର ଚୋରା ନିଶା ବେପାରୀମାନେ ବିଭିନ୍ନ ମାଧ୍ୟମରେ ଏଠାରୁ ଗଞ୍ଜେଇ ସଂଗ୍ରହ କରି ଅନ୍ୟ ରାଜ୍ୟରେ ବିକ୍ରି କରୁଛନ୍ତି । ଏମିତିକି ସୀମା ପାର କରି ଗଞ୍ଜେଇ ଚାଲାଣ ବେଳେ ବି ଧରାପଡୁଛି ।

୨୦୨୧ ବର୍ଷରେ ୧୬୬୫ କୁଇଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ ଆମ ରାଜ୍ୟରେ ଜବତ ହୋଇଥିଲା । ୨୦୨୨ ବର୍ଷରେ ବି ପାଖପାଖି ଅନୁରୂପ ପରିମାଣର ଚୋରା ଗଞ୍ଜେଇ ଜବତ ହୋଇଥିଲା । ଚୋରା ଗଞ୍ଜେଇ ଜବତ ସହିତ ଏହାକୁ ବିପ୍ପଣନ ଓ ପରିବହନ କରିବାରେ ସହଯୋଗ କରୁଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସରକାର ବି କୋଟି କୋଟି ଟଙ୍କା ବ୍ୟୟକରି ଗଞ୍ଜେଇ କ୍ଷେତ ନଷ୍ଟ କରୁଛନ୍ତି । ଗଞ୍ଜେଇ କ୍ଷେତ ନଷ୍ଟ ପରେ ପୁଣି ଏତେ ଗଞ୍ଜେଇ କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠୁଛି ।

ଖୋଦ ରାଜଧାନୀ ଭୁବନେଶ୍ୱରରେ ଗଞ୍ଜେଇ ସିଗାରେଟ ବିପୁଳ ପରିମାଣରେ ବିକ୍ରୟ କରାଯାଉଛି । କେତେକ କ୍ଷେତ୍ରରେ ଅବଶ୍ୟ ପୁଲିସ୍‍ ଚଢଉ କରି ବେଆଇନ୍‍ ଗଞ୍ଜେଇ ସିଗାରେଟ ଜବତ କରିବା ସହିତ ଏହାର ବିକ୍ରେତାମାନଙ୍କୁ ଧରୁଛନ୍ତି । ରାସ୍ତାଘାଟରେ ଦିନ ରାତି ଗଞ୍ଜେଇ ଧୂଆଁର ଗନ୍ଧ ଆସୁଥିବାରୁ ରାଜଧାନୀରେ କେତେ ଚୋରା ଗଞ୍ଜେଇ ବ୍ୟବହାର କରାଯାଉଛି ତାହା ସହଜରେ ଅନୁମେୟ ।

ଗଞ୍ଜେଇ ବେପାରୀମାନେ ଏବେ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭକରି ଯୁବକ ଯୁବତୀମାନଙ୍କୁ ସେମାନଙ୍କ ପାଲରେ ପକାଉଛନ୍ତି । ଗଞ୍ଜେଇ ସହ ବ୍ରାଉନସୁଗାର ବି ବିପୁଳ ପରିମାଣରେ ଉପଲବ୍ଧ ହେଉଛି । ଏହା ସହିତ ମଦ ଓ ଅନ୍ୟାନ୍ୟ ନିଶାର ଲଗାମଛଡା ପ୍ରସାର ଘଟୁଛି । ଅବସ୍ଥା ଏଭଳି ହେଲାଣି ଯେ କମିଶନରେଟ ପୁଲିସ୍‍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକରେ ନିଶା ସେବନ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ପଡୁଛି ।

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ରାଜ୍ୟର କୋଣ ଅନୁକୋଣରେ ଏବେ ଗଞ୍ଜେଇ ସହିତ ଅନ୍ୟାନ୍ୟ ଚୋରା ନିଶାର ପ୍ରସାର ବଢି ବଢି ଚାଲିଛି । ଅବକାରୀ ଓ ପୁଲିସ୍‍ ବିଭାଗର ପୁରୁଖା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଗଞ୍ଜେଇ ଫୁଲ ଉଡାଇଲାବେଳକୁ ଖଣ୍ଡମଣ୍ଡଳ ବାସ୍ନାରେ ଭରିଯାଏ । କ୍ଷେତ୍ରରେ ଥିବା ସଂଖ୍ୟାଧିକ ନିର୍ବାଚିତ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭକରି ସରକାରୀ ଅଧିକାରୀମାନେ ଏହା ଜାଣିବା ସ୍ୱାଭାବିକ ।

ଏହା ସତ୍ୱେ ଅଳ୍ପ କିଛି ଗଞ୍ଜେଇ କ୍ଷେତକୁ ନଷ୍ଟ କରାଯାଇ ସଂଖ୍ୟାଧିକ ଗଞ୍ଜେଇ କ୍ଷେତକୁ ମାଫିଆମାନଙ୍କ ହାତରେ ଛାଡି ଦିଆଯାଉଥିବାରୁ ଓଡିଶାରେ ଗଞ୍ଜେଇ ଚୋରା ବେପାର ଭଲ ଜମୁଛି । ଏହି ସମସ୍ୟାକୁ ଗଞ୍ଜେଇ ଚାଷ ସମୟରୁ ନିୟନ୍ତ୍ରଣ କରାଯାଇ ପାରିଲେ ଗଞ୍ଜେଇ ବ୍ୟବସାୟ ହୁଅନ୍ତା ନାହିଁ । ଏବେ ପ୍ରଯୁକ୍ତିବିଦ୍ୟା ବଳରେ କେଉଁଠି କେତେ ଧାନ ଚାଷ ହେଉଛି ତାହା ସାଟେଲାଇଟ୍‍ ଫଟୋଚିତ୍ରରୁ ଜଣାପଡି ଯାଉଛି । ଏପରି କ୍ଷେତ୍ରରେ କେଉଁଠି ଗଞ୍ଜେଇ ଚାଷ ହେଉଛି ତାହା କର୍ତ୍ତୃପକ୍ଷ କିପରି ଧରିପାରୁ ନାହାନ୍ତି ତାହା ବିସ୍ମୟକର । (ତଥ୍ୟ)