Home Education ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍‌ ସମୀକ୍ଷା ବୈଠକ

ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍‌ ସମୀକ୍ଷା ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱାହା, ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ସମେତ ରାଜ୍ୟର ୨୨ ଗୋଟି ମହାବଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଅଫିସର, ଜିଲ୍ଲା ପ୍ରୋଗ୍ରାମ ଅଫିସର, ବିଶ୍ୱବିଦ୍ୟାଳୟର ଅଫିସ ଆସିଷ୍ଟାଣ୍ଟ ପ୍ରମୁଖ ବୈଠକରେ ଯୋଗଦେଇଥିଲେ ।

ପ୍ରଫେସର ଶ୍ରୀମତୀ ଆଚାର୍ଯ୍ୟ ବୈଠକରେ ଯୋଗଦେଇ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଏନ୍‌ଏସ୍‌ଏସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉତ୍କଳ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଶାଖା ମଧ୍ୟ ଏଥିରେ ଖୁବ ସକ୍ରିୟ ଏବଂ ଏହାର କାର୍ଯ୍ୟଶୈଳୀ ମଧ୍ୟ ପ୍ରଶଂସନୀୟ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଧ୍ୟାନ ଦେଲେ ଏହା ଯୁବସମାଜ ମଧ୍ୟରେ ନବସୃଜନ ସୃଷ୍ଟି କରିପାରିବ ।

ରାଜ୍ୟ ଏନଏସଏସ ଏନ୍‌ଏସ୍‌ଏସ୍‌ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ଶ୍ରୀ ବେହେରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଥିବା ଏନ୍‌ଏସ୍‌ଏସ୍‌ ଶାଖାଗୁଡ଼ିକ ଭଲ କାର୍ଯ୍ୟ କରୁଛନ୍ତି ଓ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ସେବାକାର୍ଯ୍ୟ ନିମନ୍ତେ ଏନ୍‌ଏସ୍‌ଏସ୍‌ ପାଇଁ ଯୋଗାଇ ଦିଆଯାଉଥିବା ପାଣ୍ଠି ଯଥା ପିଏଫଏମ୍‌ଏସ୍‌, ଜେଡ୍‌ ବିଏସ୍‌ଏ ର ସମୟପଯୋଗୀ ସୁବିନିଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଏହି ପାଣ୍ଠି ଅନ୍ତର୍ଗତ କଲେଜଗୁଡିକ ବୃକ୍ଷରୋପଣ, ରକ୍ତଦାନ, ସ୍ୱଚ୍ଛ ଅଭିଯାନ, ସ୍ୱତନ୍ତ୍ର ଶିବିର, ପରିବେଶ ସୁରକ୍ଷା, ଶାରୀରିକ ଶିକ୍ଷା, ନିଶା ନିବାରଣ ଇତ୍ୟାଦି ଭଳି କାର୍ଯ୍ୟକ୍ରମ କରିପାରିବେ । ଏହି ପାଣ୍ଠିର ଆବଣ୍ଟନ ତଥା ବିନିଯୋଗବେଳେ ହେଉଥିବା ଅସୁବିଧାର ସମାଧାନ ପାଇଁ ଜିଲ୍ଲା ପ୍ରୋଗ୍ରାମ ଅଫିସର ଓ ଅଫିସ ଆସିଷ୍ଟାଣ୍ଟମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦିଆଯାଇଥିଲା ।

ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ କୁଶୱାହା ଜିଲାରୁ ଆସିଥିବା ପ୍ରୋଗ୍ରାମ ଅଫିସରମାନଙ୍କ ସହ ଆଲୋଚନା କରି କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନରେ ୧୨୪୧ ଏନ୍‌ଏସ୍‌ଏସ୍‌ ୟୁନିଟରେ ୧୨୪୦୦୦ରୁ ଅଧିକ ସେ୍ୱଚ୍ଛାସେବୀ ଅଛନ୍ତି । ସେମାନଙ୍କୁ ଅଧିକ କ୍ରିୟାଶୀଳ କରିପାରିଲେ ଓଡ଼ିଶା ଜାତୀୟ ସ୍ତରରେ ଶ୍ରେଷ୍ଠତ୍ୱ ହାସଲ କରିପାରିବ । ଭଲ ପ୍ରଦର୍ଶନ କରିଥିବା କଲେଜଗୁଡିକୁ ପ୍ରଶଂସା କରି କହିଥିଲେ ଯେ ବିଗତ କିଛିଦିନ ମଧ୍ୟରେ ଏନ୍‌ଏସ୍‌ଏସ୍‌ର କାର୍ଯ୍ୟବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହାର କାର୍ଯ୍ୟମାର୍ଗ ଆହୁରି ପ୍ରଶସ୍ତ ଓ ସୁଦୂରପ୍ରସାରୀ ହେବ ।