ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବାୟୁ ପ୍ରଦୂଷଣକୁ ନେଇ ଉଦ୍ବେଗ ପ୍ରକାଶ ପାଉଥିବାବେଳେ ଏହାର ନିରାକରଣ ଲାଗି ପୌରାଞ୍ଚଳଗୁଡିକୁ କେନ୍ଦ୍ରୀୟ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି । ଏହି ଅର୍ଥ ବ୍ୟୟ ପାଇଁ ସହରାଞ୍ଚଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି ।
ସହରାଞ୍ଚଳରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ରୋକିବାପାଇଁ କେନ୍ଦ୍ର ସରକାର ଜାତୀୟ ଶୁଦ୍ଧ ବାୟୁ ଯୋଜନା ମାଧ୍ୟମରେ ସହରାଞ୍ଚଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ସହରାଞ୍ଚଳରେ ପକ୍କା ରାସ୍ତା ନିର୍ମାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟବସ୍ତୁର ପରିଚାଳନା ସହିତ ବନୀକରଣ ଆଦି ପାଇଁ ଅର୍ଥ ମିଳୁଛି । କେବଳ ବାଲେଶ୍ୱର ପୌରାଞ୍ଚଳକୁ ଏ ବାବଦରେ ୨.୬୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ମହାନଗର ନିଗମ ଓ ପୌରସଂସ୍ଥାଗୁଡିକ ଅର୍ଥ ପାଇଛନ୍ତି ।
ତେବେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ କେନ୍ଦ୍ରୀୟ ପାଣ୍ଠି ମିଳୁଥିଲେ ମଧ୍ୟ ତାହାର ଠିକଣା ବିନିଯୋଗ ହେଉନଥିବା ପରିବେଶବିତ୍ମାନେ କହୁଛନ୍ତି । ବିଶେଷକରି ରାଜ୍ୟର ବଡ ବଡ ସହରରେ ଦ୍ରୁତ ର୍ନିମାଣ କାର୍ଯ୍ୟ ଚାଲୁଥିବାବେଳେ ସେଠାରୁ ବାହାରୁଥିବା ବର୍ଜ୍ୟବସ୍ତୁର ସଠିକ ପରିଚାଳନା ହେଉନାହିଁ । ନିର୍ମାଣ ସଂସ୍ଥା ଓ ଠିକାଦାରମାନେ ବାହାରୁଥିବା ଇଟା, ପଥର, ବାଲି, ଗୋଡି ଆଦିର ଠିକଣା ଭାବେ ପରିଚାଳନା କରୁନଥିବାରୁ ତାହା ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଛି ।
ତେବେ କେତେକ ପୌରସଂସ୍ଥା ନିର୍ମାଣ କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଆପ୍ ପ୍ରଚଳନ ସହିତ ଏଥିପାଇଁ ଦର ଧାର୍ଯ୍ୟ ବି କରିଛନ୍ତି । ଏପରିକି ରାସ୍ତାଉପରେ ଏଭଳି ନିର୍ମାଣ ସାମଗ୍ରୀ ଗଦାକଲେ ଜୋରିମାନା ଦେବାକୁ ପଡିବ ବୋଲି କହିଛନ୍ତି । ତଥାପି ନିର୍ମାଣକାର୍ଯ୍ୟ ଚଳାଉଥିବା ସଂସ୍ଥାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏ ନେଇ ସଚେତନ ହୋଇପାରୁ ନାହାନ୍ତି । ନିର୍ମାଣାଧିନ କୋଠାବାଡିରୁ ବାହାରୁଥିବା ବର୍ଜ୍ୟ ପକାଇବାକୁ ସ୍ଥାନାଭାବ ଦେଖାଯାଉଥିବାରୁ କେତେକ ସ୍ଥାନରେ ଏହାର ପରିଚାଳନା ସମ୍ଭବପର ହେଉନାହିଁ ।
ସେହିଭଳି ଜାତୀୟ ଶୁଦ୍ଧ ବାୟୁ ଯୋଜନାରେ ସହରାଞ୍ଚଳରେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ବି ସଠିକ ଭାବେ ହେଉଥିବା ଲକ୍ଷ୍ୟ କରାଯାଉନାହିଁ । ବଡ ବଡ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ସଂସ୍ଥାପାଇଁ ବୃକ୍ଷରୋପଣ ଲାଗି ସ୍ଥାନ ରଖିବାକୁ ନିର୍ଦ୍ଦେଶ ଥିବାବେଳେ ଅଧିକାଂଶ ଏହାକୁ ପାଳନ କରୁନାହାନ୍ତି । ସହରାଞ୍ଚଳରେ ସ୍ଥାନ ସଙ୍କୁଚିତ ହେଉଥିବାରୁ ଆବଶ୍ୟକ ଅନୁଯାୟୀ ବୃକ୍ଷରୋପଣ ହୋଇପାରୁ ନାହିଁ । ଫଳରେ ସବୁଜ ବଳୟ ଦ୍ୱାରା ସହରାଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବାପାଇଁ ଲକ୍ଷ୍ୟ ଥିବାବେଳେ ତାହା ପୂରଣ ହୋଇପାରୁ ନାହିଁ ।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଦେଶର ଅନ୍ୟାନ୍ୟ ବଡ ବଡ ସହର ବିଶେଷକରି ଦିଲ୍ଲୀର ବାୟୁ ପ୍ରଦୂଷଣ ସହିତ ସମାନ ହୋଇଥିବାବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । କିନ୍ତୁ ଏହା ସାମୟିକ ଏବଂ ବିପଦର କୌଣସି କାରଣ ନୁହେଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ପଷ୍ଟ କରିଛି । (ତଥ୍ୟ)