ଭୁବନେଶ୍ୱର : କଲେଜରେ ନିଯୁକ୍ତ ହୋଇଥିବା ଡିମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ଦରମା ଦେବାପାଇଁ ଓଡିଶା ହାଇକୋର୍ଟ ଓ ସ୍ୟାଟ୍ର ରାୟ ସୁପ୍ରିମକୋର୍ଟରେ କାଏମ ରହିବାପରେ ଏବେ ଅନୁରୂପ ଆର୍ଥିକ ସୁବିଧା ପାଇବାପାଇଁ ଓଡିଶା ହାଇକୋର୍ଟରେ ବହୁ ଅଦାଲତ ଅବମାନନା ମାମଲା ଚାଲିଛି । ଏହା ଉଚ୍ଚଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ।
ପୂର୍ବରୁ ଅଦାଲତଙ୍କ ରାୟ ଆଧାରରେ ବିଶ୍ୱବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ବିଭିନ୍ନ ବିଷୟର ଡିମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ଅଧିକ ବେତନ ଦିଆଯାଉଛି । ଅବଶ୍ୟ ଏଥିଲାଗି ବି ଅଦାଲତ ଅବମାନନା ମାମଲାର ଚାପ କର୍ତ୍ତୃପକ୍ଷଙ୍କ ଉପରେ ରହିଥିଲା ।
ରାଜଧାନୀ କଲେଜରୁ ଅବସର ଗ୍ରହଣ କରିଥିବା ଜଣେ ଡିମୋନଷ୍ଟ୍ରେଟର ସୁରେନ୍ଦ୍ର ନାଥ ମିଶ୍ରଙ୍କ ମାମଲାର ବିଚାର କରି ପୂର୍ବରୁ ସ୍ୟାଟ୍ ଓ ହାଇକୋର୍ଟ ତାଙ୍କୁ ୟୁଜିସି ହାରରେ ବେତନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚଶିକ୍ଷା ବିଭାଗ ଏହି ରାୟ ଉପରେ ଦୀର୍ଘଦିନ ଧରି ନିରବ ରହିବାପରେ ସୁପ୍ରିମ୍କୋର୍ଟରେ ଏସଏଲପି ଦାଖଲ କରିଥିଲେ । ତେବେ ଠିକଣା ସମୟରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆସିନଥିବାରୁ ଏହି ମାମଲାଟିର ଭବିଷ୍ୟତ ଘେନି ପୂର୍ବରୁ ପ୍ରଶାସନିକ ସ୍ତରରେ ଆଶଙ୍କା ଉପୁଜିଥିଲା । ଶେଷରେ ସୁପ୍ରିମ୍କୋର୍ଟଙ୍କ ଏକ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଏସଏଲପିକୁ ଖାରଜ କରିଦେବାପରେ ସୁରେନ୍ଦ୍ରନାଥ ମିଶ୍ରଙ୍କ ମାମଲରେ ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଛି ଏବଂ ଏହି ଆଧାରରେ ରାଜ୍ୟ ସରକାର ତାଙ୍କୁ ୟୁଜିସି ହାରରେ ସୁବିଧା ସୁଯୋଗ ଦେବାକୁ ବାଧ୍ୟ ।
ଏ ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜରେ ନିୟୋଜିତ ଅନେକ ଡିମୋନଷ୍ଟ୍ରେଟର ଆଇନ୍ ଅଦାଲତଙ୍କ ଆଶ୍ରୟ ନେଇଥିଲେ ଏବଂ ସେଠାରୁ ମଧ୍ୟ ସେମାନଙ୍କ ସପକ୍ଷରେ ରାୟ ହାସଲ କରିଥିଲେ । ଏହା କାର୍ଯ୍ୟକାରୀ ହେଉନଥିବାରୁ ଅନେକ ଡିମୋନଷ୍ଟ୍ରେଟର ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ସୁପ୍ରିମକୋର୍ଟରେ ଅନୁରୂପ ମାମଲା ବିଚାରାଧିନ ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ସମୟ ଗଡା ଚାଲିଥିଲା । ଇତି ମଧ୍ୟରେ ସୁପ୍ରିମକୋର୍ଟରେ ସରକାରଙ୍କ ମାମଲା ଖାରଜ ହୋଇଯାଇଥିବା ପରିପ୍ରେକ୍ଷୀରେ ଅଦାଲତ ଅବମାନନା ମାମଲାଗୁଡିକରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ତାହା ଉପରେ ସମସ୍ତ ନଜର ।
ଗତ ସପ୍ତାହରେ ଡିମୋନଷ୍ଟ୍ରେଟରମାନଙ୍କ କେତେକ ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ବିଚାର ପାଇଁ ଆସିଥିଲା । ଏହା ଉପରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିବାପାଇଁ କୁହାଯାଇଥିବା ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରି ସମସ୍ତ ଡିମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ଦେଇ ଅଦାଲତ ଅବମାନନା ମାମଲାରୁ ମୁକୁଳିବେ ବୋଲି ଆଶା କରାଯାଉଛି । ତେବେ ବିଳମ୍ବରେ ହେଲେ ମଧ୍ୟ ସରକାର ପୁଣି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବା ସମ୍ଭାବନାକୁ ଏଡାଇ ହେବନାହିଁ ।
ଏହି ଘଟଣା ଏବେ ପ୍ରଶାସନ ତଣ୍ଟିରେ କଣ୍ଟା ଭଳି ଲାଗିଛି । ପୂର୍ବରୁ ସରକାର ବିଶ୍ୱବିଦ୍ୟାଳୟର ଡିମୋନଷ୍ଟ୍ରେଟରମାନଙ୍କୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୟୁଜିସି ହାରରେ ବେତନ ଦେଇଥିବାବେଳେ ଡିଗ୍ରୀକଲେଜଗୁଡିକ କ୍ଷେତ୍ରରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମାମଲା ସଂଖ୍ୟା ବୃଦ୍ଧି ପାଉଛି ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କର ସମୟ, ସମ୍ବଳ ଓ ଶକ୍ତି ମଧ୍ୟ ନଷ୍ଟ ହେଉଛି । (ତଥ୍ୟ)