Home Judiciary ବିଚାର ପ୍ରତୀକ୍ଷାରେ ୧୦ଲକ୍ଷ ଆଇପିସି ମାମଲା

ବିଚାର ପ୍ରତୀକ୍ଷାରେ ୧୦ଲକ୍ଷ ଆଇପିସି ମାମଲା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ଏବେ ଭାରତୀୟ ପିଙ୍ଗଳ କୋଡ୍‍ (ଆଇପିସି)ର ବିଭିନ୍ନ ଦଫାରେ ରୁଜୁ ହୋଇଥିବା ପାୟ ୧୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ବର୍ଷକୁ ବର୍ଷ ଅପରାଧିକ ବାତାବରଣ ବୃଦ୍ଧି ହେଉଥିବା ଫଳରେ ପ୍ରତିବର୍ଷ ଲକ୍ଷାଧିକ ନୂଆ ଆଇପିସି ମାମଲା ଯୋଡି ହେଉଥିବାବେଳେ ବାର୍ଷିକ ୫୦ହଜାର ମାମଲା ଫଏସଲା ହୋଇପାରୁ ନାହିଁ ।

ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୦୯ ପ୍ରତିଶତ ରହୁଥିବା ସର୍ବଶେଷ ଏନ୍‍ସିଆରବି ରିପୋର୍ଟରୁ ଜଣାପଡିଛି । କେବଳ ସେତିକି ନୁହେଁ, ଏହି ରିପୋର୍ଟର ତଥ୍ୟ ମୁତାବକ ଏହି କିସମର ଅପରାଧିକ ମାମଲାଗୁଡିକ ମଧ୍ୟରୁ ବର୍ଷରେ ମାତ୍ର ୩.୨ ପ୍ରତିଶତ ଫଏସଲା ହେଉଛି । ଅର୍ଥାତ୍‍ ବିଚାର ପ୍ରତୀକ୍ଷାରେ ଥିବା ଆଇପିସି ମାମଲାଗୁଡିକ ଭିତରୁ ୯୬.୮ ପ୍ରତିଶତ ବକେୟା ମାମଲା ଭାବେ ପରବର୍ଷକୁ ଗଡିଥିବା ଏଥିରେ ଉଲ୍ଲେଖ କରାଯାଇଛି ।

୨୦୨୨ ଆରମ୍ଭ ବେଳକୁ ଓଡିଶାରେ ବକେୟା ଆଇପିସି ମାମଲା ସଂଖ୍ୟା ଥିଲା ୭,୮୦,୯୫୩ । ତେବେ ଗତବର୍ଷ ଏଥିରେ ଆଉ ୧,୧୨,୩୭୦ଟି ନୂଆ ମାମଲା ଯୋଡି ହୋଇଥିଲା । ଫଳରେ ୨୦୨୨ ବର୍ଷରେ ୮,୯୩,୩୨୩ ଟି ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଉକ୍ତ ବର୍ଷରେ ମାତ୍ର ୨୮,୬୧୨ଟି ମାମଲାର ଫଏସଲା ହୋଇଥିଲା । ଏଥି ମଧ୍ୟରୁ ୨୪,୧୮୯ଟିରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବାବେଳେ ମାତ୍ର ୩୨୭୧ଟିରେ ଦଣ୍ଡବିଧାନ କରାଯାଇଥିଲା । ଆଇପିସିର ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଏତେ କମ୍‍ ରହିବା ଏବଂ ମାମଲା ଫଏସଲା ହାର ମଧ୍ୟ ନଗଣ୍ୟ ରହିବା ପେଶାଦାର ଅପରାଧିମାନଙ୍କୁ ସୁହାଉଛି ଏବଂ ଏଥିଯୋଗୁଁ ନୂଆ ନୂଆ ଲୋକ ଅପରାଧ କ୍ଷେତ୍ରରେ କ୍ୟାରିଅର ବନାଉଛନ୍ତି ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ।

ମୋଟାମୋଟି ଭାବେ ୨୦୨୩ ଆରମ୍ଭ ବେଳକୁ ୮,୬୪,୭୧୧ଟି ଆଇପିସି ମାମଲା ଓଡିଶାରେ ବିଚାରାଧିନ ଥିଲା । ୨୦୨୩ରେ ବିଚାର ପାଇଁ ଆସିଥିବା ମାମଲାଗୁଡିକୁ ଏଥି ସହ ଯୋଡିଲେ ଏହି ସଂଖ୍ୟା ପ୍ରାୟ ୧୦ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ଏହାଛଡା ବର୍ଷ ବର୍ଷ ଧରି ଆଉ ଅନେକ ଅପରାଧିକ ମାମଲା ଥାନାଗୁଡିକରେ ଦରଜ ହୋଇ ତଦନ୍ତ ପ୍ରତୀକ୍ଷାରେ ରହିଛି । ବହୁ କ୍ଷେତ୍ରରେ ଚାର୍ଜସିଟ୍‍ ଦାଖଲ ବିଳମ୍ବ ହେଉଛି ।

ଅପରାଧିକ ମାମଲା ପରିଚାଳନା କ୍ଷେତ୍ରରେ ଦକ୍ଷତା ରଖିଥିବା କେତେକ ଆଇନ୍‍ଜୀବୀ କହୁଛନ୍ତି ଯେ ମିଛି ମାମଲା ରୁଜୁ, ତଦନ୍ତରେ ତ୍ରୁଟି ବିଚ୍ୟୁତି, ମାମଲା ବିଚାରରେ ବିଳମ୍ବ ଯୋଗୁଁ ସାକ୍ଷ୍ୟ ପ୍ରମାଣ ନଷ୍ଟ, ଯୋଗ୍ୟତା ଓ ଦକ୍ଷତା ପରିବର୍ତ୍ତେ ରାଜନୈତିକ ସମ୍ପୃକ୍ତିକୁ ଆଧାର କରି ମାମଲା ପରିଚାଳକ ନିଯୁକ୍ତ, ପୁଲିସ୍‍ ଉପରେ ବାହ୍ୟ ଚାପ ଆଦି ବିଭିନ୍ନ କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ହାଲୁକା ହୋଇଯାଉଛି । ଫଳରେ ଦଣ୍ଡବିଧାନ ହାର କମୁଛି । କେବଳ ସେତିକି ନୁହେଁ, ବାରମ୍ବାର ଏକଥା ପୁଲିସ୍‍ ଅଧିକାରୀମାନେ ଗଣମାଧ୍ୟମ ଆଗରେ ସ୍ୱୀକାର କରୁଛନ୍ତି ଯେ ନିଶା କାରବାର ବୃଦ୍ଧି ପାଇବା ଯୋଗୁଁ ଅପରାଧ ବୃଦ୍ଧି ପାଉଛି । ଏହା ସତ୍ୱେ ବି ନିଶା ପ୍ରସାରଣକୁ ନିୟନ୍ତ୍ରିତ କରାଯାଇ ପାରୁନାହିଁ । ଫଳରେ ସାଧାରଣ ଲୋକଙ୍କ ଧନ ଜୀବନ ବିପନ୍ନ ହେଉଥିବାବେଳେ ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ଅପରାଧିମାନଙ୍କୁ ଦଣ୍ଡିତ କରାଯାଇ ପାରୁନାହିଁ । (ତଥ୍ୟ)