ଭୁବନେଶ୍ୱର : ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ପ୍ରକଳ୍ପ ଅଧୀନରେ ବିଭିନ୍ନ କୃଷି ଭିତ୍ତିଭୂମି ସୃଷ୍ଟି ପାଇଁ ଯୋଗ୍ୟ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଚିହ୍ନଟ କରିବାକୁ ରାଜ୍ୟ ସରକାର ସମସ୍ତ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟି (ଡିଆରସିଏସ୍)ଙ୍କୁ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ‘ପାଇଲଟ୍ ପ୍ରକଳ୍ପ\’ ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନାବାର୍ଡ ସହ ପରାମର୍ଶ କରି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ବହୁମୁଖୀ ସେବା ସମବାୟ ସମିତି (ଲାମ୍ପସ) କୁ ଚୟନ କରାଯାଇଛି । ଏହାବ୍ୟତୀତ ଅଗ୍ରାଧିକାର ଭିତ୍ତିରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ସମିତି ଚିହ୍ନଟ କରାଯିବ ।
ଏହାବ୍ୟତୀତ ସମସ୍ତ ପଂଞ୍ଚାୟତକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତି ଜିଲ୍ଲାରେ ଅତି କମରେ ୫ଟି ନୂତନ ବହୁମୁଖୀ କୃଷି ସମବାୟ ସମିତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ସମବାୟ ଅଧିକାରୀମାନଙ୍କୁ କୁହାଯାଇଛି । ଏହି ବହୁମୁଖୀ ସମିତି ଗୁଡ଼ିକ ସେମାନଙ୍କ ଆବଶ୍ୟକତା ଏବଂ ସାମର୍ଥ୍ୟ ଅନୁଯାୟୀ ଦୁଗ୍ଧ ଏବଂ ମତ୍ସ୍ୟ ଚାଷ କାର୍ଯ୍ୟ ମଧ୍ୟ କରିବେ ବୋଲି ଅଧିକାରୀମାନେ କହିଛନ୍ତି । ଇତିମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏହି ଯୋଜନା ଅଧୀନରେ କୃଷି ଭିତ୍ତିଭୂମି ର୍ନିମାଣ ପାଇଁ ନିୟମକୁ କୋହଳ କରିଛନ୍ତି ।
ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନାର ପାଇଲଟ୍ ପ୍ରକଳ୍ପ ଅଧୀନରେ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଗୋଦାମ ସମେତ କୃଷି ଭିତ୍ତିଭୂମି ର୍ନିମାଣ ପାଇଁ ଏକ ଏକର ଜମିର ବାଧ୍ୟତାମୂଳକ ଆବଶ୍ୟକତା ନାହିଁ । ପ୍ରକଳ୍ପ ଅଧୀନରେ ସମିତି ଦ୍ୱାରା ଚୟନ କରାଯାଇଥିବା ଗୋଦାମର କ୍ଷମତା ଏବଂ ଉପାଦାନ ଅନୁଯାୟୀ ଜମିର ଆବଶ୍ୟକତା ଭିନ୍ନ ହୋଇପାରେ ବୋଲି ସମବାୟ ମନ୍ତ୍ରଣାଳୟ ସମବାୟ ବିଭାଗର ସଚିବଙ୍କୁ ଏକ ଚିଠିରେ କହିଛନ୍ତି ।
ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ସଂସ୍ଥା ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ନିକଟରେ ନାବାର୍ଡ କନସଲଟାନ୍ସି ସର୍ଭିସେସ୍ (ନାବାକନ୍ସ), କେନ୍ଦ୍ରୀୟ ଗୋଦାମ ନିଗମ (ସିଡବ୍ଲ୍ୟୁସି), ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଇତ୍ୟାଦି ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏବଂ ୨୪ଟି ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨୪ଟି ପ୍ରାଥମିକ କୃଷି ସମବାୟ ସମିତିରେ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ତ୍ରିପୁରା, ହରିୟାଣା, ତାମିଲନାଡୁ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଗୋଟିଏ ଲେଖାଏଁ ସମିତିରେ ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଅବଶିଷ୍ଟ ପାକ୍ସ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।
ଏହାବ୍ୟତୀତ ଏନସିଡିସି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାନ୍ସି ସେବା ପ୍ରଦାନ ପାଇଁ ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ (ଏନବିସିସି)ରେ ମଧ୍ୟ ସାମିଲ ହୋଇଛି । ଏହି ପ୍ରକଳ୍ପକୁ ବ୍ୟାପକ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ସଂରକ୍ଷଣ କ୍ଷମତାର ଅଭାବ ଥିବା ପ୍ରତ୍ୟେକ ଜିଲ୍ଲାରୁ ଅତି କମରେ ୫ଟି କୃଷି ସମବାୟ ସମିତି ଚିହ୍ନଟ କରିବାକୁ କହିଥିଲା । ଏହି ପ୍ରକଳ୍ପରେ ଅଂଶଗ୍ରହଣ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ନାଫେଡ୍ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୧୪୦୦ରୁ ଅଧିକ ସମିତି ଚିହ୍ନଟ କରାଯାଇଛି ।
ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ୫୦୦ ମେଟ୍ରିକ୍ ଟନରୁ ୨୦୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ମହଜୁଦ କ୍ଷମତା ସୃଷ୍ଟି ହେଲେ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ସୃଷ୍ଟି କରି ଖାଦ୍ୟଶସ୍ୟ ଅପଚୟ ହ୍ରାସ ପାଇବ, ଦେଶର ଖାଦ୍ୟ ନିରାପତ୍ତା ସୁଦୃଢ଼ ହେବ, ଫସଲର ଅଭାବୀ ବିକ୍ରିକୁ ରୋକାଯାଇପାରିବ ଏବଂ କୃଷକମାନେ ସେମାନଙ୍କ ଫସଲର ଉତ୍ତମ ମୂଲ୍ୟ ହାସଲ କରିପାରିବେ । ଯେହେତୁ ପ୍ରାଥମିକ କୃଷି ସମବାୟ ସମିତି ଏକ କ୍ରୟ କେନ୍ଦ୍ର ତଥା ସୁଲଭ ମୂଲ୍ୟ ଦୋକାନ (ଏଫପିଏସ) ଭାବରେ କାର୍ଯ୍ୟ କରିବ, ତେଣୁ ଖାଦ୍ୟଶସ୍ୟ କ୍ରୟ କେନ୍ଦ୍ରକୁ ପରିବହନ ଏବଂ ପୁନର୍ବାର ଗୋଦାମରୁ ଏଫପିଏସକୁ ସାମଗ୍ରୀ ପରିବହନ କରିବାରେ ହେଉଥିବା ଖର୍ଚ୍ଚ ମଧ୍ୟ ସଞ୍ଚୟ ହେବ ।
ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ଭିନ୍ନ ଭିନ୍ନ ହେବ ଏବଂ ମହଜୁଦ କ୍ଷମତା, କଷ୍ଟମ୍ ହାୟାରିଂ ସେଣ୍ଟରର ଆବଶ୍ୟକତା, ପ୍ରକ୍ରିୟାକରଣ ୟୁନିଟ୍ ଇତ୍ୟାଦି ବିଭିନ୍ନ ମାନଦଣ୍ଡ ଉପରେ ର୍ନିଭର କରିବ । କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସୁଧ ରିହାତି ସମିତି ସ୍ତରରେ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିଭୂମି ର୍ନିମାଣ ପାଇଁ ଚିହ୍ନଟ ଯୋଜନା ଅଧୀନରେ ଉପଲବ୍ଧ ସବସିଡି ସହିତ ଯୋଡ଼ାଯିବ । (ତଥ୍ୟ)