ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ସେମାନଙ୍କର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପାଇଁ ଗର୍ବିତ କରିଛି ରାୟଗଡା ଜିଲ୍ଲାର ଦୁଇଟି ଆଦିବାସୀ ସାମଗ୍ରୀ — ଡଙ୍ଗରିଆ କନ୍ଧମାନଙ୍କ ଛୁଂଚିସୂତାରେ କନା ଉପରେ କାରୁକାର୍ଯ୍ୟ ହେଉଥିବା କପଡାଗନ୍ଦା ଶାଲ୍ ଏବଂ ଲାଂଜିଆ ସୌରା ଜନଜାତିଙ୍କ ଇଡିତାଲ ଚିତ୍ରକଳା । ଆଦିବାସୀ ସାଂସ୍କୃତିକ ପରମ୍ପରା, କଳା ଏବଂ ହସ୍ତଶିଳ୍ପକୁ ଉନ୍ନତ ତଥା ଲୋକପ୍ରିୟ କରିବା ପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତା ପାଇଁ ରାୟଗଡା ଜିଲ୍ଲାର ଏହି ଦୁଇ ସାମଗ୍ରୀକୁ ମିଳିଛି ସମ୍ମାନଜନକ ଜିଆଇ ଟ୍ୟାଗ୍ ।
ଏହି ଅନନ୍ୟ ସଫଳତା ଓଡିଶା ସରକାରଙ୍କ ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରତିଫଳିତ କରିଛି । ଜିଆଇ ଟ୍ୟାଗିଂ ପ୍ରକ୍ରିୟାକୁ ସମର୍ଥନ ଏବଂ ଦସ୍ତାବିଜିକରଣ କରିବାକୁ ଆଗେଇ ଆସି ଆଦିବାସୀ ଭାଷା ଏବଂ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଏକକାଳୀନ କାର୍ଯ୍ୟ କରିଛି ବିଭାଗ।
ଆଦିବାସୀଙ୍କ ସାଂସ୍କୃତିକ ତଥା ଅର୍ଥନୈତିକ ଦିଗ ଗୁଡିକୁ ସଂରକ୍ଷଣ ପାଇଁ ମହତ୍ବପୂର୍ଣ୍ଣ ପଦକ୍ଷେପ ଅନୁଯାୟୀ ଡଙ୍ଗରିଆ କନ୍ଧ ଜନଜାତି ଦ୍ବାରା ହାତରେ ବୁଣା ଯାଉଥିବା କପଡାଗନ୍ଦା ଶାଲକୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ) ଦ୍ବାରା ଆବେଦନ ପରେ ଏହି ମାନ୍ୟତା ଗ୍ରହଣ କରାଯାଇଥିଲା ।
ଡଙ୍ଗରିଆ କନ୍ଧ କପଡାଗନ୍ଦା ଶାଲର ଜିଆଇ ଟ୍ୟାଗ ପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ବୁଣାକାର ସଂଘ ଏବଂ ନିର୍ଦ୍ଦେଶାଳୟ ମିଳିତ ଭାବେ ଆବେଦନ ଦାଖଲ କରିଥିଲେ ।ସେହିଭଳି ଲାଂଜିଆ ସୌରାଙ୍କ ଇଡିତାଲ୍ ଚିତ୍ରକଳା ପାଇଁ ଇଦାଇ ଇଡିତାଲ୍ ସଂଘ ଏବଂ ନିର୍ଦ୍ଦେଶାଳୟ ଦ୍ୱାରା ଆବେଦନ ଦାଖଲ କରାଯାଇଥିଲା ।
ଏହି ଐତିହାସିକ ସଫଳତାରେ ଖୁସି ପ୍ରକାଶ କରି ବିଭାଗୀୟ କମିଶନର-ତଥା-ସଚିବ ରୂପା ରୋଶନ ସାହୁ କହିଛନ୍ତିଯେ, ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ଘର ହେଉଛି ଓଡିଶା । ଜିଆଇ ଟ୍ୟାଗିଂ ଆଦିବାସୀ ସାଂସ୍କୃତିକ ସୁନ୍ଦର ପରମ୍ପରାର ସଂରକ୍ଷଣକୁ ଜାରି ରଖିବାରେ ଓଡିଶା ସରକାରଙ୍କ ନିଷ୍ଠାକୁ ପ୍ରମାଣିତ କରିଛି ।
ଡଙ୍ଗରିଆ କନ୍ଧ ଆଦିବାସୀମାନେ ହାତବୁଣା କଳା ପାଇଁ ଲୋକପ୍ରିୟ । କପଡାଗନ୍ଦା ଶାଲ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ସମ୍ପୃଦ୍ଧ ଐତିହ୍ୟର ଏକ ଉଦାହରଣ । ବିଶେଷ କରି ଅବିବାହିତ କନ୍ଧ ମହିଳାଙ୍କ ଦ୍ବାରା ବୁଣା ଯାଉଥିବା ଏହି ଶାଲ୍ ସେମାନଙ୍କ ଐତିହ୍ୟ ଏବଂ ଜାତିଗତ ପରିଚୟକୁ ବୁଝାଏ ।
ଶାଲରେ ଦର୍ଶାଯାଇଥିବା ବିଭିନ୍ନ ଚିତ୍ର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ସମ୍ପର୍କକୁ ପ୍ରତିପାଦିତ କରେ । ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ସେମାନଙ୍କ ମାତୃଭୂମି ଏବଂ ନିୟମ ରାଜାଙ୍କ ବାସସ୍ଥାନ ନିୟମଗିରି ପାହାଡ ସହ ଜଡିତ ରହିଛନ୍ତି । ଡଙ୍ଗରିଆ କନ୍ଧ ଶାଲର ରଙ୍ଗ ମଧ୍ୟ ସେମାନଙ୍କର ଗୁଣ ଏବଂ ପ୍ରକୃତିର ପ୍ରତୀକ ଅଟେ । ଏହା ସେମାନଙ୍କର ସାମାଜିକ-ସାଂସ୍କୃତିକ ମହତ୍ତ୍ବକୁ ପ୍ରକାଶ କରିଜୀବନର ଦର୍ଶନକୁ ଉଜାଗର କରିଥାଏ ।
୧୭ ଶହ ଶତାବ୍ଦୀର ମଧ୍ୟଭାଗରୁ ଜୟପୁର ଅଞ୍ଚଳର ରାଜା ବିକ୍ରମ ଦେବଙ୍କ ଶାସନ କାଳରେ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ କପଡାଗନ୍ଦା ଅଭିକଳ୍ପ ଥିବା କପଡା ବ୍ୟବହାର କରିବାର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ମହାରାଜାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ଭିନ୍ନ ପୋଷାକ ଭାବରେ ଏହାକୁ ତିଆରି କରାଯାଇଥିଲା ଓ ପରେଏହା ପର୍ବତର ଉଚ୍ଚ ଅଞ୍ଚଳରେ ସେମାନଙ୍କର ସ୍ୱତନ୍ତ୍ର ପୋଷାକ ଭାବରେ କାର୍ଯ୍ୟ କଲା । ସେହି ସମୟରେ ସେମାନଙ୍କ ନିକଟରେ ଉପଲବ୍ଧ ଉତ୍ସଗୁଡିକୁ ବ୍ୟବହାର କରିଡଙ୍ଗରିଆ କନ୍ଧମାନେ ସୂତା ଏବଂ ରଙ୍ଗ ଠାରୁ ଆରମ୍ଭ କରି ଜଟିଳ ବୁଣା ପର୍ଯ୍ୟନ୍ତ ସମସ୍ତ ଦିଗରେ ଏହାକୁ ପ୍ରସ୍ତୁତ କରୁଥିଲେ ।
ଓଡ଼ିଶାର ଦକ୍ଷିଣ ଭାଗରେ ବାସ କରୁଥିବା ସୌରା ସମ୍ପ୍ରଦାୟ ଭାରତର ସର୍ବ ପୁରାତନ ଜନଜାତିମାନଙ୍କ ମଧ୍ୟରୁ ଅନ୍ୟତମ । ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ଇତିହାସ ଅନୁସାରେ, ସୌରା ଆଦିବାସୀ ସେମାନଙ୍କ ବିଶିଷ୍ଟ ଜନଜାତି ସଂସ୍କୃତି ଏବଂ କଳା ପାଇଁ ପରିଚିତ ।
ପ୍ରକୃତି ସହିତ ଗଭୀର ଭାବରେ ଜଡିତ ଏହି ଜନଜାତି ଭୂପୃଷ୍ଠରେ ସେମାନଙ୍କର କଳା ଦୈନନ୍ଦିନ ଗ୍ରାମ୍ୟ ଜୀବନର ଏକ ସରଳ ଚିତ୍ର ପରି ମନେହୁଏ । କିନ୍ତୁ ସୌରାମାନଙ୍କର କଳା ପ୍ରତୀକ ଏବଂ ଅର୍ଥରେ ଭରପୁର ରହିଥାଏ । ଆଦିମ ଜନଜାତିଙ୍କ ମଧ୍ୟରୁ ଲାଂଜିଆ ସୌରାଙ୍କ ଶୌଳୀ, ରୀତିନୀତି ଏବଂ ପରମ୍ପରା, ଜନଜାତିଙ୍କ ଦ୍ୱାରା ନିର୍ମିତ କଳାକୃତିରେ ଚିତ୍ରିତ କରାଯାଇଛି । ଲାଂଜିଆ ସୌରାଙ୍କ ଚିତ୍ରଶିଳ୍ପ କାନ୍ଥ-ଭିତ୍ତିଚିତ୍ରର ଏକ ଶୈଳୀ । ଏହି ଚିତ୍ରଗୁଡ଼ିକୁ “ଇକନ୍ସ” ବା ଲୋକପ୍ରିୟ ଭାବରେ ଇଡିତାଲ୍ ମଧ୍ୟ କୁହାଯାଏ ।ଯାହାର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଅନେକ ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି ।
ବର୍ତମାନ ଲାଂଜିଆ ସମ୍ପ୍ରଦାୟମାନେ ଆର୍ଥିକ ଅନଗ୍ରସର ସମ୍ପ୍ରଦାୟ, ଯେଉଁମାନେ ସେମାନଙ୍କ ସମ୍ପୃଦ୍ଧ ସଂସ୍କୃତିକୁ ଯତ୍ନର ସହ ବଂଚାଇ ରଖିଛନ୍ତି । ସେମାନଙ୍କର ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସେମାନଙ୍କର ପ୍ରିୟ “ଇଡିତାଲ” । ନିଜର ସୁନ୍ଦରତା, ଆକର୍ଷଣ, ଚିତ୍ରପଟ୍ଟବିଜ୍ଞାନ, ସୌନ୍ଦର୍ଯ୍ୟଶାସ୍ତ୍ର ଏବଂ ଆନୁଷ୍ଠାନିକ ମହତ୍ବ ପାଇଁ ପ୍ରସିଦ୍ଧ ଏହି କଳାକୃତିଗୁଡ଼ିକ ଲାଂଜିଆ ସୌରା ସମ୍ପ୍ରଦାୟର ସଂସ୍କୃତିର ବାସ୍ତବ ଭଣ୍ଡାର । ସେମାନେ ପାରମ୍ପାରିକ ଜ୍ଞାନ, ବୁଝାମଣା ଏବଂ ଲୋକନୃତ୍ୟର ଭଣ୍ଡାର ଭାବରେ କାର୍ଯ୍ୟ କରନ୍ତି ।କେବଳ ସେମାନଙ୍କର ସାହିତ୍ୟକୁ ନୁହେଁ ବରଂ ସେମାନଙ୍କର ଅସ୍ତିତ୍ୱର ଦର୍ଶନକୁ ମଧ୍ୟ ପରିପ୍ରକାଶ କରନ୍ତି ।
ସୌରା ଜନଜାତି ସମ୍ପ୍ରଦାୟ ଦ୍ବାରା ତିଆରି କରାଯାଇଥିବା ଏହି କାରୁକାର୍ଯ୍ୟର ଆଭିମୁଖ୍ୟ ଦେବାତା କିମ୍ବା ସାଧାରଣରେ କୁହାଯାଉଥିବା ଚିତ୍ର ପୁରୁଷ ବ୍ୟାଖ୍ୟା କରିବା ପରେ ସ୍ପଷ୍ଟ ହୋଇଥାଏ । ଚିତ୍ରଗୁଡ଼ିକର ଜଟିଳ ବିବରଣୀ ଲାଂଜିଆ ସୌରା ସମ୍ପ୍ରଦାୟର ଦୈନନ୍ଦିନ ଜୀବନକୁ ପ୍ରତିଫଳିତ କରିଥାଏ । ଲାଂଜିଆ ସୌରାର କଳାତ୍ମକ ଅଭିବ୍ୟକ୍ତିକୁ ଆକାର ଦେବାରେ ସଂସ୍କୃତି ଏବଂ ପୁରାଣ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।