Home Education ଘରୋଇ ବିଦ୍ୟାଳୟରେ କମୁଛନ୍ତି ଛାତ୍ରଛାତ୍ରୀ

ଘରୋଇ ବିଦ୍ୟାଳୟରେ କମୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟର ଘରୋଇ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ପରିମାଣ ହ୍ରାସ ପାଇବାରେ ଲାଗିଛି । ଏହିସବୁ ବିଦ୍ୟାଳୟରେ ଗୋଟିଏ ବର୍ଷରେ ପ୍ରାୟ ୩ଲକ୍ଷ ଛାତ୍ରଛାତ୍ରୀ କମିଛନ୍ତି ।

ସମଗ୍ର ଦେଶରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ୨୦୧୯-୨୦ ର୍ବେରେ ଓଡିଶାର ଘରୋଇ ବିଦ୍ୟାଳୟଗୁଡିକରେ ୧୪,୯୪,୯୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୧୬,୨୭,୪୪କୁ ବୃଦ୍ଧି ପାଇଥିଲା । ହେଲେ ୨୦୨୧-୨୨ ବର୍ଷରେ ଏହା ୧୩,୬୧,୦୫୧କୁ ହ୍ରାସ ପାଇଛି । ଅନୁରୂପ ଭାବେ ଜାତୀୟ ସ୍ତରରେ ଏହି ସମୟରେ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ୯.୮୨ କୋଟିରୁ ୮.୮୨ କୋଟିକୁ ହ୍ରାସ ପାଇଛି ।

ଗୋଟିଏ ପଟେ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଉଥିବାବେଳେ ଅନ୍ୟପଟେ ସରକାରୀ ବିଦ୍ୟାଳୟଗୁଡିକରେ କିନ୍ତୁ ଏହା ବଢୁଥିବା ଦେଖିବାକୁ ମିଳିଛି । ୨୦୨୦-୨୧ ବର୍ଷରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ୫୨,୧୩,୩୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୫୨,୫୫,୧୯୮କୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମଧ୍ୟ ଏହି ଦୁଇବର୍ଷରେ ସରକାରୀ ବିଦ୍ୟାଳୟଗୁଡିକରେ ନାମଲେଖା ୧୩.୪୯ କୋଟିରୁ ୧୪.୩୨ କୋଟିକୁ ବୃଦ୍ଧି ପାଇଛି ।

ତେବେ ଘରୋଇ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇଁ ଅତ୍ୟଧିକ ଫି ବିଦ୍ୟାଳୟର ଅନ୍ୟାନ୍ୟ ଦାବିକୁ ଶିକ୍ଷାବିତ୍‍ମାନେ ଦାୟୀ କରିଛନ୍ତି । ଏଥି ସହିତ ସରକାରୀ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁକିଛି ଉପରେ ସରକାର ଗୁରୁତ୍ୱ ଦେବା ଯୋଗୁଁ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି ।

କେବଳ ଭିତ୍ତିଭୂମି ବିକାଶ ନୁହେଁ, ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ, ପାଠ୍ୟପୁସ୍ତକ, ସାଇକେଲ, ମଧ୍ୟାହ୍ନ ଭୋଜନ ସହିତ ଛାତ୍ରୀମାନଙ୍କ ପାଇଁ ଫି ଛାଡ କରାଯାଉଛି । ଏଥି ସହିତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବୃତ୍ତି ସହିତ ଯୁକ୍ତ ଦୁଇ ସ୍ତରରେ ଲାପ୍‍ଟପ୍‍ ଆଦି ଯୋଗାଇ ଦେଉଛନ୍ତି । ଏପରିକି ମାତୃଭାଷାରେ ଅଧିକ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ଅନ୍ୟ ପକ୍ଷରେ ଘରୋଇ ବିଦ୍ୟାଳୟଗୁଡିକ ମନଇଚ୍ଛା ଫି ବୃଦ୍ଧି କରିବା ଫଳରେ ଅଧିକାଂଶ ସମୟରେ ଅଭିଭାବକ ସଂଘ ଏହାକୁ ନେଇ ଆଇନ୍‍ ଅଦାଲତକୁ ଦଉଡୁଛନ୍ତି । ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତାହାର ଖର୍ଚ୍ଚ ଅଭିଭାବକଙ୍କ ମୁଣ୍ଡରେ ଲଦୁଥିବାରୁ ତାହାକୁ ନେଇ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି । ଯାହାର ପରିଣାମ ସ୍ୱରୂପ ଏବେ ରାଜ୍ୟରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଘରୋଇ ବିଦ୍ୟାଳୟରୁ ମୁହଁ ଫେରାଇବାରେ ଲାଗିଛନ୍ତି । (ତଥ୍ୟ)