Home Energy ଛାତ ଉପରେ ସୌର ପ୍ରକଳ୍ପ ଧିମା

ଛାତ ଉପରେ ସୌର ପ୍ରକଳ୍ପ ଧିମା

ଭୁବନେଶ୍ୱର : ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଓଡିଶାରେ ସେତେଟା ସନ୍ତୋଷଜନକ ନୁହେଁ । ସମଗ୍ର ଦେଶରେ ୧୦,୪୦୦ ମେଗାୱାଟ କ୍ଷମତାରୁ ଅଧିକ ସୌରଶକ୍ତି ପ୍ରକଳ୍ପ ଛାତ ଉପରେ ସ୍ଥାପନ ହୋଇଥିବାବେଳେ ଓଡିଶାରେ ଏହା ୪୨ ମେଗାୱାଟରୁ କମ୍‍ ରହିଛି ।

ଘରର ଛାତ ଉପରେ ଖାଲିଥିବା ସ୍ଥାନରେ ସୌରଶକ୍ତି ପ୍ୟାନେଲ ବସାଇବା ସହିତ ବିନା ମୂଲ୍ୟରେ ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ମସିହାରେ ଛାତ ଉପରେ ସୌର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟ୍ୟାୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୪୦ ଗିଗାୱାଟର ସୌରଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୪୦୦୦ ମେଗାୱାଟ ସୌର ପ୍ରକଳ୍ପ ସ୍ଥାପନ ପାଇଁ କେନ୍ଦ୍ରୀୟ ଅର୍ଥ କମିଶନ ମଞ୍ଜୁରୀ ଦେଇଥିଲେ । ଏଥିପାଇଁ ପ୍ରଥମ ତିନି ମେଗାୱାଟ ପର୍ଯ୍ୟନ୍ତ ମେଗାୱାଟ ପ୍ରତି ୧୪,୫୮୮ ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ତିନି ରୁ ୧୦ ମେଗାୱାଟ ପର୍ଯ୍ୟନ୍ତ ଏହା ୭୨୯୪ ଟଙ୍କା ରହିଥିଲା । ପାର୍ବତ୍ୟାଞ୍ଚଳ ରାଜ୍ୟଗୁଡିକ ପାଇଁ ଅର୍ଥ ପରିମାଣ ଅଧିକ ରହିଥିଲା ।

କେନ୍ଦ୍ରୀୟ ଅନୁଦାନ ସତ୍ୱେ ଓଡିଶାରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ସେତେଟା ଆଗେଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧା ୪୧.୯୧ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ପ୍ରକଳ୍ପ ସ୍ଥାପନ ହୋଇଥିବାବେଳେ ଏଥିରେ ସବସିଡ୍‍ ପାଇଁ ସ୍ଥାପନ ହୋଇଥିବା ପ୍ରକଳ୍ପ ପରିମାଣ ୨ ମେଗାୱାଟରୁ କମ୍‍ ରହିଛି । ବ୍ୟାପକ ପ୍ରଚାର ପ୍ରସାର ଓ ସବସିଡ୍‍ ପ୍ରଦାନ ସତ୍ୱେ ଲୋକେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ହିତାଧିକାରୀମାନେ ଯେଭଳି ବିକଳ୍ପ ଶକ୍ତି ଭାବେ ସୌରଶକ୍ତିର ବିନିଯୋଗ କରିବେ ଏବଂ ସୁବିଧାରେ ନିଜ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିପାରିବେ ତାହାର ଦାୟିତ୍ୱ ବିଦ୍ୟୁତ୍‍ ବଣ୍ଟନକାରୀ ସଂସ୍ଥାଗୁଡିକୁ ପ୍ରଦାନ କରାଯାଇଛି । ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ହେଲେ ଏହା କେବଳ ବିଭିନ୍ନ ବିଦ୍ୟୁତ୍‍ ଅଫିସରରେ ଫଳରେ ସୀମିତ ରହିଯାଇଛି । ହିତାଧିକାରୀମାନଙ୍କ ନିକଟରେ ସଠିକ୍‍ ସୂଚନା ପହଞ୍ଚି ପାରୁନଥିବାରୁ ସେମାନେ ବି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସେହିଭଳି ସବସିଡ୍‍ ଜରିଆରେ କେତେକ ବେସରକାରୀ କମ୍ପାନୀ ଏଥିପାଇଁ ଆଗେଇ ଆସୁଥିଲେ ମଧ୍ୟ ସେମାନଙ୍କ ଉପରେ ସାଧାରଣ ଲୋକେ ଭରସା କରିପାରୁ ନାହାନ୍ତି ।

ଖୋଦ୍‍ ରାଜ୍ୟ ରାଜଧାନୀରେ କାଁ ଭାଁ କେତେକ ସରକାରୀ ଦପ୍ତରକୁ ବାଦ୍‍ ଦେଲେ ଘରୋଇ କ୍ଷେତ୍ରରେ ଛାତ ଉପରେ ସୌରଶକ୍ତି ସ୍ଥାପନ ପ୍ରାୟତଃ ନାହିଁ କହିଲେ ଚଳେ । ଲୋକେ ଦିନକୁ ଦିନ ବିଦ୍ୟୁତ୍‍ ଶକ୍ତି ଦେୟ ବାବଦରେ ଅଧିକରୁ ଅଧିକ ଅର୍ଥ ଗଣୁଥିଲେ ମଧ୍ୟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁନାହାନ୍ତି ସେ ସଂକ୍ରାନ୍ତରେ କେହି ଖୋଳତାଡ ବି କରୁନାହାନ୍ତି । ସୌରଶକ୍ତି ପ୍ରକଳ୍ପ ସ୍ଥାପନ କଲେ ଏହା କେବଳ ଲୋକଙ୍କ ଖର୍ଚ୍ଚ ହ୍ରାସ କରିବ ନାହିଁ ପରିବେଶ ଅନୁକୂଳ ମଧ୍ୟ ରହିବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ କେନ୍ଦ୍ର ସରକାର ୧୧,୮୧୪ କୋଟି ଟଙ୍କା ବ୍ୟୟ କରିଥିବାବେଳେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ବାବଦରେ ପାଖପାଖି ୫୦୦୦ କୋଟି ଟଙ୍କା ଦିଆଯାଇ ସାରିଲାଣି । ଏତେ ସବୁ ସତ୍ୱେ ମଧ୍ୟ ଓଡିଶାରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପଛରେ ରହିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)