Home News in Odia ହଜାରେ କିଲୋମିଟର ହୋଇନି ମେଟ୍ରୋ

ହଜାରେ କିଲୋମିଟର ହୋଇନି ମେଟ୍ରୋ

ଭୁବନେଶ୍ୱର : ଓଡିଶାରେ ମେଟ୍ରା ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ସମଗ୍ର ଦେଶରେ ଏବେ ସୁଦ୍ଧା ମେଟ୍ରୋ ଲାଇନ୍‍ ହଜାରେ କିଲୋମିଟରରେ ପହଞ୍ଚି ପାରିନାହିଁ । ଦିଲ୍ଲୀର ମୋଟ୍‍ ୪୧୦ କିଲୋମିଟର ମେଟ୍ରୋ ଲାଇନ୍‍କୁ ମିଶାଇ ଦଶଟି ରାଜ୍ୟରେ ମେଟ୍ରୋର ଦୈର୍ଘ୍ୟ ମୋଟ୍‍ ୯୦୫ କିଲୋମିଟର ରହିଛି ।

ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ଥିବା ମୋଟ୍‍ ୯୦୫ କିଲୋମିଟର ମେଟ୍ରୋ ଲାଇନ୍‍ ମଧ୍ୟରୁ ଦିଲ୍ଲାରେ ୪୧୦ କିଲୋମିଟର ଥିବାବେଳେ ମୁମ୍ବାଇରେ ଦ୍ୱିତୀୟ ସର୍ବାଧିକ ୭୭ କିଲୋମିଟର ରହିଛି । ସେହିଭଳି ବାଙ୍ଗାଲୋରରେ ୭୪ କିଲୋମିଟର, ହାଇଦ୍ରାବାଦରେ ୬୯ କିଲୋମିଟର, ଚେନ୍ନାଇରେ ୫୪ କିଲୋମିଟର, କୋଲକୋତାରେ ୪୭କିଲୋମିଟର, ନାଗପୁରରେ ୪୦ କିଲୋମିଟର, କୋଚିରେ ୨୭, ପୁନେରେ ୨୪, ଜୟପୁରରେ ୧୨, କାନପୁରରେ ୯ କିଲୋମିଟର ମେଟ୍ରୋ ଲାଇନ୍‍ ରହିଛି ।

ତେବେ ୨୦୧୭ ମସିହାର ରେଳ ନୀତି ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ମେଟ୍ରୋ ରେଳ ସ୍ଥାପନ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ଏଥିପାଇଁ ରାଜ୍ୟ ସରକାରମାନେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ମେଟ୍ରୋ ଲାଇନ୍‍ ସ୍ଥାପନ ପାଇଁ କେନ୍ଦ୍ର ନିକଟକୁ ଯେତେ ପ୍ରସ୍ତାବ ଯାଇଛି ସେଥି ମଧ୍ୟରେ ଓଡିଶାର ପ୍ରସ୍ତାବ ନଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ୨୦୧୮ ମସିହାରେ ମଧ୍ୟପୟଦେଶ ସରକାର ଭୋପାଳ ଓ ଇନ୍ଦୋର ଠାରେ ମେଟ୍ରୋ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିବାବେଳେ ସେହିବର୍ଷ ଉତ୍ତରପ୍ରଦେଶ ସରକାର ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ, ମହାରାଷ୍ଟ୍ର ସରକାର ପୁଣେ ମେଟ୍ରୋର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୯ ମସିହାରେ ଦିଲ୍ଲୀ ସରକାର ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ, ବିହାର ସରକାର ପାଟନା ମେଟ୍ରୋ ପ୍ରକଳ୍ପ, ଉତ୍ତରପ୍ରଦେଶ ସରକାର କାନପୁର, ମିରଟ, ଆଗ୍ରା ଓ ଗୁଜୁରାଟ ସରକାର ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୨୧ ରେ କର୍ଣ୍ଣାଟକ ପକ୍ଷରୁ ବାଙ୍ଗାଲୋର ମେଟ୍ରୋର ଦୁଇଟି ପର୍ଯ୍ୟାୟ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ୨୦୨୨ରେ ମହାରାଷ୍ଟ୍ର ସରକାର ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଏବଂ କେରଳ ପକ୍ଷରୁ କୋଚି ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ୨୦୨୩ରେ ମଧ୍ୟ ହରିଆନା, କେରଳ ଓ ମହାରାଷ୍ଟ୍ର ପକ୍ଷରୁ ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପାଞ୍ଚବର୍ଷରେ ମୋଟ୍‍ ୧୮ଟି ପ୍ରସ୍ତାବ କେନ୍ଦ୍ରକୁ ବିଭିନ୍ନ ରାଜ୍ୟମାନେ ଦେଇଥିଲେ ।

କେନ୍ଦ୍ର ସରକାର ଏହିସବୁ ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ଉପରେ ବିଚାର କରିବା ସହିତ ୨୦ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ ବାଙ୍ଗାଲୋର ମେଟ୍ରୋ ପାଇଁ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ସର୍ବାଧିକ ୧୩,୯୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ମୁମ୍ବାଇ ମେଟ୍ରୋ ପାଇଁ ୧୨,୨୯୯ କୋଟି, ଦିଲ୍ଲୀ ଗାଜିଆବାଦ ମେଟ୍ରୋ ପାଇଁ ୧୨,୫୯୩ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଓଡିଶା ସରକାର କିନ୍ତୁ ନିଜସ୍ୱ ଅର୍ଥରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଏଥିପାଇଁ ଶୁଭ ଦେଇଛନ୍ତି । ପ୍ରସ୍ତାବିତ ୨୬ କିଲୋମିଟରର ଏହି ପ୍ରକଳ୍ପରେ ୬୨୫୫.୯୪ କୋଟି ଟଙ୍କା ବ୍ୟୟ ହେବା ସହିତ ଚାରି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । (ତଥ୍ୟ)