Home Environment ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍ ପାଇଁ ଆହ୍ୱାନ

ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍ ପାଇଁ ଆହ୍ୱାନ

ଭୁବନେଶ୍ୱର : ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ – “ପ୍ଲାଷ୍ଟିକ୍ ମୁକ୍ତ ପିକନିକ’’ । ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି ।

ଏବେ ପିକ୍‌ନିକ୍ ଋତୁ ଆରମ୍ଭ ହୋଇଯାଇଛି । ବଣ ଭୋଜି କରିବା ପାଇଁ ରାଜ୍ୟର ବିଭିନ୍ନ ପିକ୍‌ନିକ୍ ସ୍ପଟ୍‌ରେ ଭିଡ଼ ଜମୁଛି । ଭୋଜି ପରେ ପିକ୍‌ନିକ୍ ସ୍ପଟରେ ଏଣେତେଣେ ପ୍ଲାଷ୍ଟିକ୍ ପ୍ଲେଟ୍‌, ବାଉଲ୍‌, ଗ୍ଲାସ୍‌, ଚାମଚ, ସ୍ନାକ୍ସ ଜରି, ସୋଲୋ ଥାଳି ଓ ପଲିଥିନ୍ ପଡ଼ିରହୁଛି । ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ବଣଭୋଜି ବେଳେ ପରିବେଶ-ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି ।

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ତଥା ସୁନ୍ଦର ପରିବେଶର ଆବଶ୍ୟକତା ରହିଛି । ତେଣୁ ପରିବେଶକୁ କିପରି ସୁରକ୍ଷିତ ରଖିବା ସେଥିପାଇଁ ଏବେଠୁ ସମସ୍ତେ ଯତ୍ନବାନ ହେବାର ବେଳ ଆସିଛି । ପିକ୍‌ନିକ୍ ବେଳେ ପୁନଃବ୍ୟହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ସହ ପରିବେଶକୁ କିପରି ସଫା ସୁତରା ରଖିବା ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସନ୍ତୁ”, ପ୍ଲାଷ୍ଟିକ୍ ମୁକ୍ତ ପିକନିକ ଅଭିଯାନ ଅବସରରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଏଥର ପିକ୍‌ନିକ୍ ପ୍ଲାନ୍ କରିବା ବେଳେ ପ୍ଲାଷ୍ଟିକ୍ ଜିନିଷ ଓ ପଲିଥିନ ବଦଳରେ ଖଲିପତ୍ର ଏବଂ ଦନା ବ୍ୟବହାର କରିପାରିବେ । ସେହିପରି ଟିସୁ ପେପର ବଦଳରେ କପଡ଼ା ରୁମାଲ ବା ଟାୱେଲ୍ ଏବଂ କପଡ଼ା ବ୍ୟାଗ୍ ଆଦି ସାଙ୍ଗରେ ନେଇପାରିବେ । ପିକ୍‌ନିକ୍ ସ୍ଥାନରେ ଆବର୍ଜନାଗୁଡ଼ିକୁ ଏଣେତେଣେ ନପକାଇ ଡଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି ।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ “ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍’’ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଓଲିଉଡ୍ ଅଭିନେତା ସବ୍ୟସାଚି ମିଶ୍ର ସାମିଲ ହୋଇ ପିକ୍‌ନିକ୍ ବେଳେ ପ୍ଲାଷ୍ଟିକ ଜିନିଷ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

“ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ଭଳି ପ୍ରଦୂଷଣକାରୀ ଜିନିଷ ଆମ ପରିବେଶ ପାଇଁ କ୍ଷତିକାରକ । ତେଣୁ ପ୍ରାକୃତିକ ସ୍ଥାନରେ ପିକ୍‌ନିକ୍ କରିବା ବେଳେ ଏଭଳି ସାମଗ୍ରୀ ବ୍ୟବହାର କରିବା ନାହିଁ । ଏହି ପ୍ରଦୂଷଣକାରୀ ଜିନିଷ ମଣିଷ ସମାଜକୁ ବିପଦରେ ପକାଇବା ସହିତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍ ଅଭିଯାନରେ ସାମିଲ ହୋଇ ପରିବେଶକୁ ସୁରକ୍ଷିତ ରଖନ୍ତୁ”, ଏହି ଆହ୍ୱାନ ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର କେ ମୁରୁଗେସନ ।

ପ୍ଲାଷ୍ଟିକ୍ ଓ ପଲିଥିନଜାତୀୟ ଆବର୍ଜନା ବର୍ଷ ବର୍ଷ ପରେ ବି ମାଟିରେ ମିଶିପାରେ ନାହିଁ । ଏହା ମାଟିର ଉର୍ବରତା ନଷ୍ଟ କରିବା ସହ ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ । ଖୋଲାଜାଗାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା ଗଦା ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ । ତେଣୁ ଏସବୁ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରିବାରେ “ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍‌’’ ବିଶେଷ ସହାୟକ ହେବ ।

ଚଳିତବର୍ଷ ୧୭୬ଟି ପ୍ରମୁଖ ପିକ୍‌ନିକ୍ ସ୍ଥାନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି । ଏ ବିଷୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ଇକୋ କ୍ଲବର ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲୋକମାନଙ୍କୁ ସଚେତନ କରୁଛନ୍ତି । ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର୍ ୱାଟର ଅଭିଯାନ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

“ପ୍ରକୃତି ଆମକୁ ବହୁତ କିଛି ଦେଉଛି । ତେଣୁ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ସୃଷ୍ଟି କରି ପରିବେଶକୁ ପ୍ରଦୂଷିତ କରିବା ନାହିଁ । ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଏଥିପାଇଁ ଯୁବପିଢ଼ି ସକଳ୍ପବଦ୍ଧ ହେବା ଦରକାର”, କହିଛନ୍ତି ୟୁଥ ଫର୍ ୱାଟର ଅଭିଯାନର ପ୍ରତିଷ୍ଠାତା ତଥା ଓଡ଼ିଶାର ୱାଟର ମ୍ୟାନ ଭାବେ ପରିଚିତ ରଞ୍ଜନ ପଣ୍ଡା ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଏବଂ ୧୨୦ ମାଇକ୍ରନରୁ କମ୍ ପତଳା ପଲିଥିନ ବ୍ୟାଗ ଆଦି ବ୍ୟବହାରକୁ ନିଷେଧ କରାଯାଇଛି । ୨୦୨୨ ଡିସେମ୍ବର ୩୧ରୁ ଏହି ନିୟମ ଲାଗୁ ହୋଇଛି । ସେହିପରି ରାଜ୍ୟର ବିଭିନ୍ନ ପିକ୍‌ନିକ୍ ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ କରାଯାଇଛି ।