ଭୁବନେଶ୍ୱର : ଏବେ ସୁପ୍ରିମକୋର୍ଟରେ ଜଣେ ହେଲେ କେହି ଓଡିଆ ବିଚାରପତି ନଥିବାବେଳେ ଓଡିଶା ସମେତ ଦେଶର କୌଣସି ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ବି ଓଡିଆ ନାହାନ୍ତି ।
ପୂର୍ବରୁ ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଦୀପକ ମିଶ୍ରଙ୍କ ଭଳି ଓଡିଆ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦବୀ ଅଳଙ୍କୃତ କରିଥିଲେ । ରାଧାଚରଣ ପଟ୍ଟନାୟକ, ଅନଙ୍ଗ କୁମାର ପଟ୍ଟନାୟକ, ଅରିଜିତ୍ ପଶାୟତଙ୍କ ଭଳି ଓଡିଆମାନେ ସୁପ୍ରିମକୋର୍ଟର ବିଚାରପତି ଭାବେ ସେମାନଙ୍କ ଦକ୍ଷତାର ଛାପ ଛାଡି ଆସିଛନ୍ତି । ସେହିପରି ବିଭିନ୍ନ ସମୟରେ ବହୁ ଓଡିଆ ବିଚାରପତି ଅନେକ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛନ୍ତି ।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଦୁଇମାସରୁ ଅଧିକ ସମୟ ଧରି ଖାଲି ପଡିଛି । ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଡକ୍ଟର ଷଡଙ୍ଗୀ ୨୭ବର୍ଷ ଧରି ଓକିଲାତି ବୃତ୍ତିରେ ରହିବା ସଂଗେ ସଂଗେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ପ୍ରାୟ ୧୦ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏବେ ଡକ୍ଟର ଷଡଙ୍ଗୀଙ୍କ ନାମ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ସୁପାରିଶ୍ ହୋଇଛି ।
ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି ଯେ ଡକ୍ଟର ଷଡଙ୍ଗୀ ଯେଭଳି ନିର୍ଭିକ, ନିରପେକ୍ଷ ଓ ନିଷ୍ଠାର ସହ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ଏବଂ ତାଙ୍କର ଫଏସଲା ହାରର ଯେଭଳି ରେକର୍ଡ ରହିଛି ସେ ଦୃଷ୍ଟିରୁ ଢେର ପୂର୍ବରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକଥା । ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଶଶୀକାନ୍ତ ମିଶ୍ର ଅବସର ଗ୍ରହଣ କରିବାପରେ ତାଙ୍କ ସ୍ଥାନରେ ଡକ୍ଟର ଷଡଙ୍ଗୀଙ୍କୁ ନିଯୁକ୍ତି ଦେବାପାଇଁ ସୁପାରିଶ୍ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦେବାପାଇଁ ପ୍ରାୟ ମାସେ ତଳେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ୍ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଯାବତ୍ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇନାହାନ୍ତି । ତେଣୁ ଡକ୍ଟର ଷଡଙ୍ଗୀଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଯେଉଁ ସୁପାରିଶ୍ କରିଛନ୍ତି ତାହାକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ କେନ୍ଦ୍ର ସରକାର କେବେ ପଠାଇବେ ତାହା ନିର୍ଦ୍ଦିଷ୍ଟ ଭାବେ କେହି କହିପାରିବେ ନାହିଁ ।
ଏବେ ଓଡିଶା ଓ ଝାଡଖଣ୍ଡ ଛଡା ରାଜସ୍ଥାନ, ଗୌହାଟୀ, ଆହ୍ଲାବାଦ ଏବଂ ପଞ୍ଜିବ ଓ ହରିଆନା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡିଛି । ସୁପ୍ରିମ୍କୋର୍ଟ କଲେଜିୟମ ମଧ୍ୟ ଏଥିପାଇଁ ନାମ ସୁପାରିଶ୍ କରିଛନ୍ତି ।
କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସପକ୍ଷରେ କେନ୍ଦ୍ର ସରକାର ଅଛନ୍ତି । ତେଣୁ ବହୁ କ୍ଷେତ୍ରରେ ବିଚାରପତି ନିଯୁକ୍ତି ଲାଗି କଲେଜିୟମଙ୍କ ସୁପାରିଶ୍ ଉପରେ କେନ୍ଦ୍ର ସରକାର ସମୟ ଗଡାଉଛନ୍ତି । ଏହି ଟଣା ଓଟରାରେ ଦେଶର ଅଧିକାଂଶ ହାଇକୋର୍ଟରେ ବହୁ ବିଚାରପତି ପଦବୀ ଖାଲି ରହିଛି । ଏମିତିକି ଓଡିଶା ହାଇକୋର୍ଟରେ ଏବେ ଅନ୍ୟୁନ ୧୩ଟି ବିଚାରପତି ପଦବୀ ମଧ୍ୟ ପୂରଣ ହୋଇପାରୁନାହିଁ । ଗୋଟିଏ ପଟେ ଦେଶର ଆଇନ୍ ଅଦାଲତଗୁଡିକ ଉପରେ ମାମଲାର ବୋଝ ଗଡି ଚାଲୁଥିବାବେଳେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କିନ୍ତୁ ଶିଥିଳତା ପ୍ରକାଶ ପାଇବା ବ୍ୟବସ୍ଥାକୁ ଅଧିକ ବିଗାଡୁଛି । ତେବେ ନିମ୍ନ ଅଦାଲତଗୁଡିକରେ କିନ୍ତୁ ନିୟମିତ ବ୍ୟବଧାନରେ ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ ବିଚାରପତି ନିଯୁକ୍ତି ହେଉଛି । (ତଥ୍ୟ)