ଭୁବନେଶ୍ୱର : ସଂସଦର ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି କ୍ରମେ ପ୍ରଣୀତ କେନ୍ଦ୍ରୀୟ ଆଇନକୁ ରାଜ୍ୟ ସରକାର ବଦଳାଇ ପାରିବେ ନାହିଁ । ଯଦି କୌଣସି କ୍ଷେତ୍ରରେ ଏଭଳି କରାଯାଏ ତେବେ ତାହା ବେଆଇନ ଭାବେ ବିବେଚିତ ହେବ । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟରେ ଏପରି ମନ୍ତବ୍ୟ ଦେଇଛନ୍ତି ।
ମିଳିତ ଜାତିସଂଘରେ ଭାରତ ସରକାର କରିଥିବା ଅଙ୍ଗୀକାର ଆଧାରରେ ସଂସଦରେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ସଂକ୍ରାନ୍ତରେ ଏକ ବିଲ୍ ଆସିଥିଲା ଏବଂ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ୨୦୧୬ ମସିହାରେ ଏହା ଆଇନରେ ପରିଣତ ହୋଇଥିଲା । ଆର୍ପିଡବ୍ଲ୍ୟୁଡି ଆକ୍ଟ ନାମରେ ପରିଚିତ ଏହି ଆଇନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି । ମାମଲାର ବିବରଣୀରୁ ପ୍ରକାଶ ଯେ ଶାରିରୀକ ଭିନ୍ନକ୍ଷମମାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦିଆଯିବା ପ୍ରସଙ୍ଗରେ ଉକ୍ତ ଆଇନକୁ ରାଜ୍ୟରେ କଡାକଡି ଭାବେ ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ୨୦୧୭ ମସିହାରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ ।
କେନ୍ଦ୍ରୀୟ ଆଇନରେ ଅତି କମ୍ରେ ୪୦ ପ୍ରତିଶତ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିରେ କିନ୍ତୁ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ସୀମାରେଖା ଟଣା ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କ ତ୍ରୁଟି ବୁଝିପାରି ଅନ୍ୟଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ତ୍ରୁଟି ସଂଶୋଧନ କରିଥିଲେ । ତେବେ ଓଡ଼ିଶା ଲୋକସେବା ଆୟୋଗ କେନ୍ଦ୍ରୀୟ ଆଇନକୁ ଅଣଦେଖା କରି ରାଜ୍ୟ ସରକାରଙ୍କ ପ୍ରସ୍ତାବ ମୁତାବକ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଆଧାରରେ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଲାଗି ଦରଖାସ୍ତ ଆହ୍ୱାନ କରିଥିଲେ ।
ଅଣୁଶ୍ରଭ ଗନ୍ତାୟତ ନାମକ କୋରାପୁଟ ଜିଲ୍ଲାର ଜଣେ ଅଣସଂରକ୍ଷିତ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀ ଓଏଏସ୍ ଚାକିରି ଲାଗି ଆବେଦନ କରିଥିଲେ । ତାଙ୍କ ଆବେଦନପତ୍ରରେ ସେ ୪୦ ପ୍ରତିଶତ ଭିନ୍ନକ୍ଷମ ଥିବାର ପ୍ରମାଣପତ୍ର ସହ ଅନ୍ୟାନ୍ୟ ତଥ୍ୟ ଦେଇଥିଲେ । ଏହାକୁ ତନଖି କରି ଓପିଏସ୍ସି ତାଙ୍କୁ ପ୍ରିଲିମ୍ନାରୀ ପରୀକ୍ଷା ଲାଗି ସୁଯୋଗ ଦେଇଥିଲେ ଏବଂ ଏଥିରେ ଉତ୍ତୀର୍ଣ୍ଣ ହେବାପରେ ଅଣୁଶ୍ରଭ ଲିଖିତ ପରୀକ୍ଷା ଦେଇ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ଏହାପରେ ଆଉଥରେ ସାର୍ଟିଫିକେଟ ତନଖି କରାଯାଇ ତାଙ୍କୁ ଅନ୍ୟମାନଙ୍କ ସହ ୨୦୧୮ ମସିହାରେ ମୌଖିକ ପରୀକ୍ଷା ପାଇଁ ଡକାଯାଇଥିଲା ଓ ସେଥିରେ ବି ସେ ଭଲ ପ୍ରଦର୍ଶନ କରିଥିଲେ ।
ଏହି ଭିନ୍ନକ୍ଷମ ପ୍ରାର୍ଥୀ ନିଜ ଦକ୍ଷତା ଓ ଯୋଗ୍ୟତା ବଳରେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ସେ ୪୦ ପ୍ରତିଶତ ଭିନ୍ନକ୍ଷମ ଥିବା ଦର୍ଶାଇ ତାଙ୍କ ପ୍ରାର୍ଥିତ୍ୱକୁ ନାକଚ କରିଦେବା ସହ ଓପିଏସ୍ସି ୧୩୦୨ରୁ ୧୦୬୫ ନମ୍ବର ଥିବା ବହୁ ପ୍ରାର୍ଥୀଙ୍କୁ ଚୟନ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯୋଗ୍ୟତା ଆଧାରରେ ଅଣୁଶ୍ରଭଙ୍କ ନାମ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଯୋଗ୍ୟତା ତାଲିକାରେ ସାମିଲ କରିବାକୁ କହିଥିବାବେଳେ ସ୍ୟାଟ୍ ବି କେନ୍ଦ୍ରୀୟ ଆଇନର ଅନୁପାଳନ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ଏସବୁ ସତ୍ତ୍ୱେ ଏହି ଭିନ୍ନକ୍ଷମ ପ୍ରାର୍ଥୀ ନିଯୁକ୍ତି ନପାଇବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ଅନ୍ୟତମ ବିଚାରପତି ସଞ୍ଜୟ କୁମାର ମିଶ୍ର ମାମଲାର ଦୀର୍ଘ ଶୁଣାଣି କରି ଓପିଏସ୍ସିଙ୍କ ଆଦେଶକୁ ରଦ୍ଦ କରିବା ସହିତ ୨ମାସ ମଧ୍ୟରେ ବଞ୍ôଚତ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଅଭିଜ୍ଞ ଆଇନଜୀବୀ ପ୍ରହଲାଦ ସିଂହ ଓ ଅମୀୟ ଛାଟୋଇ ମାମଲା ପରିଚାଳନା କରୁଥିଲେ ।
ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଯୋଗୁ ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ନିଯୁକ୍ତି ନପାଇ ୫ବର୍ଷ ଧରି ହଇରାଣ ହେଉଛନ୍ତି । ସରକାର ତ୍ରୁଟି ସଂଶୋଧନ କରିବା ପରେ ଓପିଏସ୍ପି ଅନ୍ୟ ନିଯୁକ୍ତି କ୍ଷେତ୍ରରେ ଏହା ଗ୍ରହଣ କରିଥିଲେ ମଧ୍ୟ କେବଳ ଅଣୁଶ୍ରଭଙ୍କ ପ୍ରତି ଅଣଦେଖା କରିଛନ୍ତି । କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଆଇନର ଅନୁପାଳନ ନକରି ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପ୍ରତି ବିଳମ୍ବରେ ଗୁରୁତ୍ୱ ଦେବା ସମୀଚିନ ହୋଇନାହିଁ । ଏହାଛଡା ସଂରକ୍ଷିତ ବର୍ଗର ଜଣେ ପ୍ରାର୍ଥୀ ତାଙ୍କ ଯୋଗ୍ୟତା ବଳରେ ଯଦି ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଠାରୁ ଅଧିକ ନମ୍ବର ରଖିଥାନ୍ତି ତେବେ ତାଙ୍କୁ ସଂରକ୍ଷିତ ପରିବର୍ତ୍ତେ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ଦେବାପାଇଁ ଆଇନଗତ ବ୍ୟବସ୍ଥା ରହିଛି । ଏବେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଏହି ରାୟ ଉପରେ ଏବେ ତର୍ଜମା ଚାଲିଛି । (ତଥ୍ୟ)