ଭୁବନେଶ୍ୱର : ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)ରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିକଳ୍ପିତ ସୁସ୍ଥ ଗ୍ରାମର ପରିକଳ୍ପନାରେ ପଞ୍ଚାୟତଗୁଡ଼ିକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।
ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ମିଳିତ ଭାବେ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ‘ଯକ୍ଷ୍ମା ମୁକ୍ତ ପଞ୍ଚାୟତ’ ଘୋଷଣା ପାଇଁ ଏକ ଚିଠି ଲେଖିଛନ୍ତି ।
ଗ୍ରାମ ପଞ୍ଚାୟତର ସହାୟତା ସହ ଗ୍ରାମ ଓ ଉପକେନ୍ଦ୍ର/ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର (ଏଚଡବ୍ଲ୍ୟୁସି) ସ୍ତରର ସ୍ୱାସ୍ଥ୍ୟ କର୍ମୀମାନେ ଭାରତରେ ଯକ୍ଷ୍ମା ନିରାକରଣ ପାଇଁ ଯଥେଷ୍ଟ ପ୍ରୟାସ କରୁଛନ୍ତି । ତେବେ ପଞ୍ଚାୟତଗୁଡ଼ିକୁ ଯକ୍ଷ୍ମା ମୁକ୍ତ ଘୋଷଣା କରିବା ପାଇଁ ଏହି ପ୍ରୟାସକୁ ବୈଧକରିବାର ଆବଶ୍ୟକତା ରହିଛି । ‘ଯକ୍ଷ୍ମା ମୁକ୍ତ ପଞ୍ଚାୟତ’ ଏ ଦିଗରେ ଏକ ପଦକ୍ଷେପ ବୋଲି ସେମାନେ କହିଛନ୍ତି । ‘ଯକ୍ଷ୍ମା ମୁକ୍ତ ପଞ୍ଚାୟତ’ର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଯକ୍ଷ୍ମା ସହ ଜଡ଼ିତ ସମସ୍ୟାର ବ୍ୟାପକତାକୁ ଅନୁଭବ କରିବା, ତାହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା, ପଞ୍ଚାୟତ ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ।
ପତ୍ରରେ କୁହାଯାଇଛି ଯେ ଯକ୍ଷ୍ମା ମୁକ୍ତ ପଞ୍ଚାୟତର ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟରେ ସହାୟକ ହେବା ଆବଶ୍ୟକ । ଯକ୍ଷ୍ମା ମୁକ୍ତ ପଞ୍ଚାୟତ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ (ଡିଟିଓ) ଓ ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ (ଡିପିଓ) ମିଳିତ ଭାବେ ଉଦବୋଧନ ଦେଉଥିବା ବେଳେ ସମସ୍ତ ବ୍ଲକ ପଞ୍ଚାୟତ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ପଞ୍ଚାୟତର ବୈଠକ ସମ୍ପର୍କରେ ଅବଗତ କରାଇବାକୁ ଦୁଇ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ବ୍ଲକସ୍ତରରେ ସମସ୍ତ ପଞ୍ଚାୟତର ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ତଥା ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ଉଦବୋଧନ ଦେବେ । ଜିଲ୍ଲା ଯକ୍ଷ୍ମା ସେଲ୍ ସହ ସମନ୍ୱୟ ରକ୍ଷା କରି ଯକ୍ଷ୍ମା ମୁକ୍ତ ପଞ୍ଚାୟତ ମାନ୍ୟତା ପାଇଁ ଗ୍ରାମପଞ୍ଚାୟତଗୁଡିକୁ ପ୍ରସ୍ତୁତ କରାଯିବ ।
କାର୍ଯ୍ୟ ଯୋଜନା ଅନୁଯାୟୀ ଯକ୍ଷ୍ମାରୋଗୀଙ୍କ ପାଇଁ ଯକ୍ଷ୍ମାର ବିଭିନ୍ନ ଦିଗ ଯଥା ଯକ୍ଷ୍ମାର ଲକ୍ଷଣ, ଉପଲବ୍ଧ ନିଦାନ ସ୍ୱାସ୍ଥ୍ୟ ସୁବିଧା, ଚିକିତ୍ସା ଅନୁପାଳନ, ନିରାକରଣ, ଅପବାଦ ହ୍ରାସ ଏବଂ ଯକ୍ଷ୍ମା ରୋଗୀଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ଉପରେ ଗୋଷ୍ଠୀ ସଚେତନତା ଅଭିଯାନ ବର୍ଷକୁ ଅତି କମରେ ଦୁଇଥର ଅନୁଷ୍ଠିତ ହେବ । ପଞ୍ଚାୟତ ଉନ୍ନୟନ ଯୋଜନା (ପିଡିପି)ରେ ଯକ୍ଷ୍ମା ମୁକ୍ତ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଗ୍ରାମସ୍ତରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯିବ । (ତଥ୍ୟ)